ଲୁହାଗୁଡି କ୍ୱାରେଣ୍ଟାଇନରୁ ଚମ୍ପଟ ମାରିଥିବା ୨ଅନ୍ତେବାସୀ ଫେରିଲେ

0 69

ପାରଳାଖେମୁଣ୍ଡି, ୧୬ା୫ : ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ଲୁହାଗୁଡି କ୍ୱାରେଣ୍ଟାଇନରୁ ଗତ କାଲି ଚମ୍ପଟ ମାରିଥିବା ୨ଅନ୍ତେବାସୀ ଫେରିଥିବା ସୂଚନା ମିଳିଛି । ଲୁହାଗୁଡି କ୍ୱାରେଣ୍ଟାଇନରୁ ତେଲେଙ୍ଗାନାରୁ ଫେରନ୍ତା ୨ ଭାଇ ଅନ୍ତେବାସୀ ଭାବେ ରହି ଆସୁଥିଲେ । ଗତକାଲି କ୍ୱାରେଣ୍ଟାଇନ ସେଣ୍ଟରରେ କେତେକ ଅବ୍ୟବସ୍ଥା ଯୋଗୁଁ ଏହି ଦୁଇ ଭାଇ ଅନ୍ତେବାସୀ କ୍ୱାରେଣ୍ଟାଇନରୁ ଚମ୍ପଟ ମାରିଥିଲେ । ଗଜପତି ଜିଲ୍ଲାପାଳ ଶ୍ରୀ ସାହା ଜାଣିବା ସଙ୍ଗେ ସଙ୍ଗେ ଗଜପତି ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଓ ଡିଆର୍ଡିଏ ପିଡି ଅନାମ ଚରଣ ପାତ୍ରଙ୍କୁ ଘଟଣାସ୍ଥଳକୁ ପଠାଇ ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ଓ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ଏହି ଦୁଇ ପ୍ରଶାସନିକ ଅଧିକାରୀ ମୋହନା ତହସିଲଦାର ଏବଂ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ସହାୟତାରେ କ୍ୱାରେଣ୍ଟାଇନରୁ ଚମ୍ପଟ ମାରିଥିବା ୨ଜଣଙ୍କୁ ଆଜି ଠାବ କରିପାରିଥିଲେ । ଏହି ୨ଜଣଙ୍କ ଠାରୁ ୨ପ୍ରଶାସନିକ ଅଧିକାରୀ କ୍ୱାରେଣ୍ଟାଇନରୁ କାହିଁକି ଫେରାର ହେଲେ ସେ ନେଇ ସମସ୍ତ ତଥ୍ୟ ସଂଗ୍ରହ କରିବା ସହ କରୋନାରୁ ରକ୍ଷା କରିବା ପାଇଁ ପ୍ରଶାସନ କେଉଁ କେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ବୁଝାଇ ୨ଜଣଙ୍କୁ ନିଜ ଘର ମୋହନା ବ୍ଲକର ବିରିକୋଟ ପଞ୍ଚାୟତର ପ୍ରେମନଗର ଗ୍ରାମରୁ ଫେରାଇ ଆଣିଥିଲେ । ପ୍ରଥମେ ଏହି ଦୁଇ ଭାଇ ଗଜପତିର ଅଡବା ଥାନାରେ ଆତ୍ମସମର୍ପଣ କରିଥିଲେ । ସେଠାରୁ ଏହି ଦୁଇ ଜଣଙ୍କୁ ଲୁହାଗୁଡି କ୍ୱାରେଣ୍ଟାଇନକୁ ଅଣାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ଏବଂ ପିଡି ଡିଆର୍ଡିଏ ଶ୍ରୀ ପାତ୍ର ଆଜି ଲୁହାଗୁଡି କ୍ୱାରେଣ୍ଟାଇନର ବିଭିନ୍ନ ଅବ୍ୟବସ୍ଥା ନେଇ ତଦନ୍ତ କରି ସେ ସବୁର ପ୍ରତିକାର କରିଥିବା ସୂଚନା ମିଳିଛି । ଏଥି ସହ ଆଜି ଠାରୁ ଲୁହାଗୁଡି କ୍ୱାରେଣ୍ଟାଇନର ସମସ୍ତ ଦାୟିତ୍ୱ ସ୍ଥାନୀୟ ସରପଞ୍ଚ ଓ ପିଇଓଙ୍କୁ ସମ୍ପୂର୍ଣ୍ଣ ଭାବେ ହସ୍ତାନ୍ତର କରାଯାଇଛି । କ୍ୱାରେଣ୍ଟାଇନର ବିଭିନ୍ନ ଅବ୍ୟବସ୍ଥା ପାଇଁ ଦାୟୀ ଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଅତି ଶୀଘ୍ର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏହି ୨ ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.