ଗଜପତିରେ କ୍ୱାକ୍ଙ୍କ ନକଲି ଚିକିତ୍ସା ନେଇ ମିଳିତ ଚଢାଉ

0 45

ପାରଳାଖେମୁଣ୍ଡି, ୧୬ା୫ : ଗଜପତି ଜିଲ୍ଲା ରାୟଗଡ ବ୍ଲକର ବିଭିନ୍ନ ସ୍ଥାନରେ କ୍ୱାକ୍ଙ୍କ ଦ୍ୱାରା ନକଲି ଚିକିତ୍ସା ନେଇ ସେମାନଙ୍କ ଘର ଓ କ୍ଲିନିକ୍ରେ ଗତକାଲି ପ୍ରଶାସନର ମିଳିତ ଚଢାଉ କରାଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଗଜପତି ଜିଲ୍ଲାରେ ନିଜକୁ ନିଜେ ଡାକ୍ତର ସାଜିି କେତେକ କ୍ୱାକ୍ ଲୋକଙ୍କୁ ଚିକିତ୍ସା ଦେବା ନାମରେ ବ୍ୟାପକ ଅର୍ଥ ଆଦାୟ କରି ଚାଲିଛନ୍ତି । ଏମାନଙ୍କର ବିପଦଜନକ ସେବାରେ ଗ୍ରାମାଞ୍ଚଳବାସୀଙ୍କ ଜୀବନ ବିପନ୍ନ ହେବାରେ ଲାଗିଛି । ଏଭଳି କେତେକ ଅଭିଯୋଗ ନେଇ ଗଜପତି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ, ରାୟଗଡ ତହସିଲଦାର ଲୀଳାବତୀ ଆଚାର୍ଯ୍ୟ, ଡାକ୍ତର ୟୁ.ଗିରିଜାପତି, ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା ପ୍ରମୁଖ ଏକ ତିନିଜଣିଆ ଟିମ୍ ଗଠନ କରି ରାୟଗଡ ଅଞ୍ଚଳରେ ଥିବା ରାୟଗଡ, ପଦ୍ମପୁର, କରଡାସିଂ, ନାରାୟଣପୁର ଆଦି ଗ୍ରାମରେ ଥିବା କ୍ୱାକ୍ଙ୍କ ଘର ଓ କ୍ଲିନିକ୍ରେ ଚଢାଉକରି ସେମାନଙ୍କ କାର୍ଯ୍ୟକଳାପର ତଦନ୍ତ କରିଛନ୍ତି । ଚଢାଉ ବେଳେ କିଛି ନକଲି ଡାକ୍ତରମାନେ ନିଜକୁ ଡାକ୍ତର ବୋଲାଇ ଲୋକମାନଙ୍କୁ ଠକୁଥିବା ଦେଖିବାକୁ ମିଳିଥିଲା । ସେମାନଙ୍କ ସମସ୍ତ କାଗଜପତ୍ର ଓ କାର୍ଯ୍ୟକଳାପ ସବୁକୁ ଯାଞ୍ଚ କରି ଏଥିରୁ ନିବୃତ ରହିବାକୁ ଟିମ୍ ସଦସ୍ୟମାନେ ଚେତାବନୀ ଦେଇଥିବା ଜଣାପଡିଛି । ତେବେ ଏହି ପ୍ରକାର ଆତ୍ମ ଘୋଷିତ ଡାକ୍ତରମାନଙ୍କୁ କେବଳ ଚଢାଉ କରି ନିବୃତ ରହିବା ପାଇଁ କହିବା ଦ୍ୱାରା ଏହି କ୍ୱାକ୍ ସେବା ବନ୍ଦ ହୋଇପାରିବ ନାହିଁ ବୋଲି ସାଧାରଣରେ ପ୍ରକାଶ କରାଯାଇ କେବଳ ଟଙ୍କା ଅର୍ଜନ ପାଇଁ ଏମାନଙ୍କ ନକଲି ସେବା ନେଇ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.