ଖରାପ ପାଗ ଯୋଗୁଁ ଚାଲିଗଲା ୨୧ ଧାବକଙ୍କ ଜୀବନ

0 68

ବେଜିଂ: ଖରାପ ପାଗ କାରଣରୁ ଚାଲିଗଲା ୨୧ ଜଣ ଧାବକଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଚାଇନାରେ । ଏହି ୨୧ ଜଣ ଧାବକ ଚାଇନାରେ ଆୟୋଜିତ ୧୦୦ କିଲୋମିଟର କ୍ରସ୍ କଣ୍ଟ୍ରୀ ମାଉଣ୍ଟେନ ରେସରେ ଭାଗ ନେଇଥିଲେ । ହେଲେ ହଠାତ୍ କୁଆପଥର, ତୁଷାରପାତ ଏବଂ ପ୍ରବଳ ପବନ ମାଡ଼ି ଯାଇଥିଲା, ଯେଉଁଥିରେ ଏହି ୨୧ ଜଣଙ୍କର ମୃତ୍ୟୁ ଘଟିଛି । ତେବେ କିଛି ନିଖୋଜ ଥିବା ଖବର ମିଳିଛିତ । ନିଖୋଜ ମଧ୍ୟରୁ ଜଣଙ୍କୁ ସକାଳ ୯:୩୦ରେ ଉଦ୍ଧାର କରାଯାଇଥିଲା, କିନ୍ତୁ ତାଙ୍କ ଶରୀରର ସବୁ ଅଙ୍ଗ କାମ ବନ୍ଦ କରିଦେଇଛି । ଗାନସୁ ପ୍ରଦେଶର ବେୟିନ୍ ସହର ନିକଟରେ ଥିବା ୟେଲୋ ନଦୀର ଅତ୍ୟଧିକ ଉଚ୍ଚତା ବିଶିଷ୍ଟ ଜଙ୍ଗଲରେ ଅନୁଷ୍ଠିତ ଏହି ରେସରେ ହଠାତ୍ ଖରାପ ପାଗର କଳା ସାୟା ଦେଖା ଦେଇଥିଲା । ଏ ନେଇ ବେୟିନ୍ ସହରର ମେୟର ଝାଙ୍ଗ ଜୁଚେନ କହିଛନ୍ତି, ଦୌଡ଼ର ୨୦ ରୁ ୩୧ କିଲୋମିଟର ଉଚ୍ଚତା ଭିତରେ ହଠାତ୍ ପାଗ ବିଗିଡ଼ି ଯାଇଥିଲା । ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ କୁଆପଥର ବର୍ଷା ଏବଂ ତୁଷାରପାତ ସାଙ୍ଗକୁ ପ୍ରବଳ ପବନ ଆରମ୍ଭ ହୋଇଥିଲା । ଏହାଦ୍ୱାରା ତାପମାତ୍ରା ଲଗାତର ହ୍ରାସ ପାଇଥିଲା । ସେ କହିଛନ୍ତି ଯେ କିଛି ଅଂଶଗ୍ରହଣକାରୀଙ୍କ ଠାରୁ ବାର୍ତ୍ତା ପାଇବା ପରେ ମାରାଥନ୍ ଆୟୋଜକମାନେ ଏକ ଉଦ୍ଧାରକାରୀ ଦଳ ସେଠାକୁ ପଠାଇଥିଲେ, ଯେଉଁମାନେ ୧୮ ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ଝାଙ୍ଗ୍ କହିଛନ୍ତି ଯେ ଅପରାହ୍ନ ପ୍ରାୟ ୨ଟା ସମୟରେ ହଠାତ୍ ପାଗ ଖରାପ ହୋଇଥିଲା । ଯାହା ପରେ ରେସକୁ ତୁରନ୍ତ ବାତିଲ କରିଦିଆଗଲା । ପରିସ୍ଥିତିକୁ ଦେଖି ସ୍ଥାନୀୟ କର୍ତ୍ତୃପକ୍ଷ ତୁରନ୍ତ ସହାୟତା ପାଇଁ ଉଦ୍ଧାରକାରୀ ଦଳ ପଠାଇଥିଲେ । ଝାଙ୍ଗ କହିଛନ୍ତି ଯେ ୮ ଜଣ ଧାବକ ସାମାନ୍ୟ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ସରକାରୀ ନ୍ୟୁଜ୍ ଏଜେନ୍ସି ଶିନହୁଆ ପୂର୍ବରୁ ରିପୋର୍ଟ କରିଥିଲା ଯେ ଖରାପ ପାଗ ଯୋଗୁଁ କିଛି ଧାବକ ହାଇପୋଥର୍ମିଆରେ ପୀଡିତ ଥିଲେ । ନ୍ୟୁଜ୍ ଏଜେନ୍ସି କହିଛି ଯେ ପାହାଡ଼ିଆ ଅଞ୍ଚଳରେ ତାପମାତ୍ରା ରାତିରେ ଆହୁରି କମିଥିଲା, ଯାହାଦ୍ୱାରା ଉଦ୍ଧାର କାର୍ଯ୍ୟ ଅଧିକ କଷ୍ଟକର ହୋଇଥିଲା । ଏଜେନ୍ସି ଏକ ବିବୃତ୍ତିରେ କହିଛି ଯେ ରବିବାର ସକାଳ ୩ଟା ସୁଦ୍ଧା ୧୫୧ ଜଣ ଲୋକ ସୁରକ୍ଷିତ ଉଦ୍ଧାର ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.