୧୫ଟିକିଆ ହାତୀପଲ ଜନବସତି ମୁହାଁ, ସାଧାରଣରେ ଆତଙ୍କ

0 67

ପାରଳାଖେମୁଣ୍ଡି,୨୪ା୫ : ଲଗାଦାର ଜଙ୍ଗଲ କ୍ଷୟ ଓ ଚୋରା କାଠ ମାଫିଆଙ୍କ ଦ୍ୱାରା ଦକ୍ଷିଣ ଓଡିଶାର ବୃହତ୍ତର ଲଖାରୀ ଅଭୟାରଣ୍ୟ ବର୍ତ୍ତମାନ ପଦା ହେବାରେ ଲାଗିଛି । ଏଠାରେ ବସବାସ କରୁଥିବା ହାତୀମାନେ ଅଭୟାରଣ୍ୟ ମଧ୍ୟରେ ଠିକ୍ ଭାବେ ଖାଦ୍ୟ ଓ ପାନୀୟ ଜଳ ନପାଇ ନିକଟସ୍ଥ ଜନବସତି ମୁହାଁ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ବନାଞ୍ଚଳ ଅଧିନସ୍ଥ ସିଦ୍ଧବା, ବାଦପୁର ଆଦି ଗ୍ରାମରେ ଲଖାରୀ ଅଭୟାରଣ୍ୟର ୧୫ଟିକିଆ ବଣୁଆ ହାତୀପଲ ବିଚରଣ କରୁଛନ୍ତି । ଏମାନେ ସେହି ଅଞ୍ଚଳରେ ଥିବା ପଣସ, ଆମ୍ବ ଓ କାଜୁ ଆଜି ଗଛର ଡାଳ ଓ ଫସଲକୁ ଖାଉଥିବା ସହ ନିକଟସ୍ଥ ଝରଣା ଓ ପାହାଡିଆ ନାଳରେ ପାଣିପିଇ ଗଜପତିରୁ ଗଂଜାମ ଓ ଗଂଜାମରୁ ଗଜପତି ସୀମାନ୍ତରେ ଥିବା ବିଭିନ୍ନ ଗ୍ରାମାଞ୍ଚଳ ନିକଟରେ ବିଚରଣ କରୁଛନ୍ତି । ଗତ ୧୮ ତାରିଖରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଘୋଡାହାଡ ଡ୍ୟାମ ନିକଟରେ ରହିଥିଲେ । ୧୯ ତାରିଖରେ ଲଖାରୀ ଅଭିମୁଖେ ଆସି କୁମ୍ଭିଖାଲ, ଜାମକୁଣିଆ ଆଦି ଅଞ୍ଚଳରେ ଦେଖିବାକୁ ମିଳିଥିଲା ଏହି ୧୫ଟିକିଆ ବଣୁଆ ହାତୀପଲ । ଏହି ଦଳରେ ମାଇହାତୀ ୯ଟି ରହିଥିବା ବେଳେ ଛୁଆ ହାତୀ ୪ଟି ଏବଂ ଦନ୍ତା ୨ଗୋଟି ରହିଛନ୍ତି । ପୁଣି ୨୦ ତାରିଖରେ ବାଦପଡା, ସିଦ୍ଧବା ଗ୍ରାମାଞ୍ଚଳରେ ଏହି ହାତୀପଲ ଦେଖା ଦେଇଥିଲେ । ୨୧ ତାରିଖରେ ମଧ୍ୟ ଉକ୍ତ ସ୍ଥାନରେ ହାତୀମାନେ ରହି ୨୨ତାରିଖରେ ଶକ୍ତି ଘାଟି ନିକଟରେ ଥିବା ବାହାର ତମ୍ପା ଗ୍ରାମ ନିକଟରେ ବିଚରଣ କରୁଥିଲେ । ଗତକାଲି ୨୩ ତାରିଖ ଦିନ ମଣିଡିହ ଗ୍ରାମ ଜଙ୍ଗଲରେ ଏହି ହାତୀପଲ ରହିଥିବା ଦେଖିବାକୁ ମିଳିଛି । ହାତୀପଲ ଗୁଡିକ ଘୋଡାହାଡ ଡ୍ୟାମ ଠାରୁ ରାମନଦୀ ମଧ୍ୟରେ ୬କିମି ପରିଧି ମଧ୍ୟରେ ଜଳର ସୁବିଧା ରହିଥିବାରୁ ସେମାନେ ପ୍ରତ୍ୟେକ ଦିନ ଆହାର ପାଇଁ ରାତ୍ର ସମୟରେ ଗାଁ ମୁହାଁ ହୋଇ ବିଭିନ୍ନ ଜନବସତି ନିକଟରେ ଥିବା ପଣସ, ଆମ୍ବ, କଦଳୀ ଖାଇବା ସହ ଗଛ ଡାଳକୁ ଭାଙ୍ଗି ଖାଉଛନ୍ତି । ଉପରୋକ୍ତ ଗ୍ରାମାଞ୍ଚଳର ବାସିନ୍ଦା ଶଙ୍କର ଦଳାଇ, ଉପେନ୍ଦ୍ର ଦଳାଇ, ଭୀମସେନ ଦଳାଇ ପ୍ରମୁଖ କହିଛନ୍ତି ସେମାନଙ୍କ ବାଇଗଣ ବାଡରେ ଏହି ହାତୀପଲ ପ୍ରବେଶ କରି ଫସଲ ନଷ୍ଟ କରିବା ସହ ନିକଟରେ ଥିବା ସେମାନଙ୍କ କୁଡିଆ ଘରକୁ ଭାଙ୍ଗି ନଷ୍ଟ କରି ଦେଇଛନ୍ତି । ଏ ନେଇ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ କହିଛନ୍ତି, ଲଖାରୀ ଅଭୟାରଣ୍ୟରେ ହାତୀଙ୍କ ପାଇଁ ଖାଦ୍ୟଭାବ ନାହିଁ । ଏହି ବଣୁଆ ହାତୀପଲ ସଦାସର୍ବଦା ନିକଟସ୍ଥ ବିଭିନ୍ନ ଜଙ୍ଗଲ ମଧ୍ୟରେ ବିଚରଣ କରିଥାନ୍ତି । ବର୍ତ୍ତମାନ ଆମ୍ବ ଓ ପଣସ ଫସଲ ଉତ୍ପାଦନ ସମୟ । ତେଣୁ ହାତୀମାନେ ଜନବସତି ଠାରୁ ଦୂରରେ ଥିବା ଜଙ୍ଗଲର ପଣସ ଓ ଆମ୍ବଗଛରୁ ଫସଲ ଖାଇବା ସହ ଡାଳ ଭାଙ୍ଗି ଖାଉଛନ୍ତି । ଏହି ହାତୀପଲଙ୍କ ଦ୍ୱାରା ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ଘଟିଥିବା ଖବର ଆସିନାହିଁ । ଯଦି ଏହି ହାତୀପଲଙ୍କ ଦ୍ୱାରା କୌଣସି ବ୍ୟକ୍ତି ବିଶେଷଙ୍କ ସେପରି କୌଣସି କ୍ଷତି ହୋଇଥିଲେ ତାହା ବନ ବିଭାଗକୁ ଜଣାଇବା ଆବଶ୍ୟକ । ଏନେଇ ବନବିଭାଗ ଅନୁଧ୍ୟାନ କରିବା ପରେ ସରାକରୀ ନିୟମ ଅନୁଯାୟୀ କ୍ଷତିପୁରଣ ଯୋଗାଇ ଦିଆଯିବ । ଏଥି ସହ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀ ବେହେରା ସାଧାରଣଙ୍କୁ ନିବେଦନ କରିଛନ୍ତି ଯେ, ହାତୀପଲର ଗତିବିଧି ଜାଣିଲେ ତୁରନ୍ତ ବନ ବିଭାଗକୁ ଖବର ଦିିଅନ୍ତୁ । କୌଣସି ପରିସ୍ଥିତିରେ ହାତୀପଲ ନିକଟକୁ ଯାଇ ସେମାନଙ୍କୁ ତଡିବା ପାଇଁ କୌଣସି ଉଦ୍ଦ୍ୟମ କରନ୍ତୁ ନାହିଁ । କାରଣ ଜଙ୍ଗଲରେ ବିଚରଣ କରୁଥିବା ଏହି ହାତୀମାନେ କୌଣସି କାରଣରୁ ହିଂସ୍ର ପାଲଟିଲେ ତାହା ଧନଜୀବନ କ୍ଷତିର କାରଣ ହେବ ।

Leave A Reply

Your email address will not be published.