ପଳାତକ ମେହୁଲ ଭାରତ ଆସିବା ଆଶା ମଉଳିଲା

0 77

ଡୋମିନିକି, ୨୮ ।୫: ପଳାତକ ହୀରା ବ୍ୟବସାୟୀ ତଥା ପିଏନବି ଠକେଇ ମାମଲାର ମାଷ୍ଟର ମାଇଣ୍ଡ ମେହୁଲ ଚୋକସି ଭାରତ ଆସିବା ପ୍ରସଙ୍ଗ ମଉଳିଲା । ଡୋମିନିକିରୁ କୋର୍ଟ ପ୍ରତ୍ୟର୍ପଣ ପାଇଁ ଭାରତକୁ ହସ୍ତାନ୍ତର କରିବା ପାଇଁ ଅନୁମତି ନଦେବା ପରେ ଭାରତର ଆଶା ମଉଳିଛି । କୋର୍ଟରେ ମେହୁଲ ଚୋକସିର ଓକିଲ କହିଛନ୍ତି ମେହୁଲ ଆଇନ ପ୍ରକ୍ରିୟା ଦ୍ୱାରା ବଞ୍ଚିତ । ଆରମ୍ଭରୁ ମେହୁଲଙ୍କ ସହ ଓକିଲଙ୍କର ଦେଖାସାକ୍ଷାତ ହୋଇପାରୁନି । ଏହାପରେ କୋର୍ଟ ପ୍ରତ୍ୟର୍ପଣକୁ ସ୍ଥଗିତ ରଖିଛନ୍ତି । ଆଜି ପୁଣିଥରେ କୋର୍ଟ ଏହି ପ୍ରସଙ୍ଗରେ ଶୁଣାଣି କରିବେ ବୋଲି ସୂଚନା ରହିଛି । ତେଣୁ ମେହୁଲ ଏବେ ଭାରତ ନଆସି ଆଣ୍ଟିଗୁଆ ଫେରିଯିବ । ଏବେ ସେ ଡୋମିନିକି ପୁଲିସର ହେପାଜତରେ ରହିଛି । ଡୋମିନିକାରେ ମେହୁଲ ଚୋକସିର ଓକିଲ ୱେନ ମାର୍ଶ କହିଛନ୍ତି ଯେ ମେହୁଲଙ୍କୁ ନ୍ୟାୟିକ ପ୍ରକ୍ରିୟାରୁ ବଞ୍ଚିତ କରିବା ଆଇନକୁ ଉପହାସ ସହିତ ସମାନ । ଏଥିସହିତ ଭାରତରେ ଚୋକସିର ଓକିଲ ବିଜୟ ଅଗ୍ରୱାଲ କହିଛନ୍ତି ଯେ ମେହୁଲ ଚୌକସିଙ୍କୁ ଜଲି ହାରବୋରରୁ କିଛିଲୋକ ଉଠାଇ ନେଇଥିଲେ । ଏହାପରେ ସେ ହଠାତ୍ ନିଖୋଜ ହୋଇଯାଇଥିଲେ । ପରେ ତାଙ୍କ କାର ମିଳିଥିଲା ଏବଂ ପରେ ଡୋମିନିକାକୁ ନିଆଯାଇଥିଲା । ଚୋକସିଙ୍କ ଡୋମିନିକା ଓକିଲ ୱେନ ମାର୍ଶ କହିଛନ୍ତି ଯେ ମେହୁଲ ଚୋକସିଙ୍କୁ ମାଡ ମରାଯାଇଛି । ତେଣୁ ତାଙ୍କ ଆଖି ଫୁଲି ଯାଇଥିଲା ଏବଂ ଦେହରେ ଅନେକ ମାଡ଼ ମରାଯାଇଥିବାର ଦାଗ ରହିଛି । ଆଣ୍ଟିଗୁଆର ଜଲି ହାର୍ବରରେ ତାଙ୍କୁ ଅପହରଣ କରାଯାଇଥିଲା ବୋଲି ସେ କହିଛନ୍ତି । ଆଣ୍ଟିଗୁଆ ପୁଲିସ ଅନୁମାନ କରୁଛି ଯେ ମେହୁଲଙ୍କୁ ଅପହରଣ କରି ପ୍ରାୟ ୬୦-୭୦ ଫୁଟ ଲମ୍ବର ଏକ ଜାହାଜକୁ ନିଆଯାଇଥିଲା । ସୂଚନାଯୋଗ୍ୟ, ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ବିରୋଧରେ ଗ୍ଲାବାଲ ଇଣ୍ଟରପୋଲ୍ ରେଡ୍ କର୍ଣ୍ଣର ନୋଟିସ ଜାରି କରିଥିଲା । ଏହାପରେ ବି ଆଣ୍ଟିଗୁଆରୁ ଡୋମିନିକା ଫେରାର ହୋଇଯାଇଥିଲା ଏହି ହୀରା ବ୍ୟବସାୟୀ । ଡୋମିନିକାରେ ସିଆଇଡି ଦ୍ୱାରା ଗିରଫ ହେବା ପରେ ଆଣ୍ଟିଗୁଆ ସରକାର ମେହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି । ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗୋଷ୍ଟନ ବ୍ରାଉନି କହିଥିଲେ ମେହୁଲ୍ ଡୋମିନିକାକୁ ଫେରାର ହେବାକୁ ପ୍ରୟାସ କରି ଭୁଲ୍ କରିଛନ୍ତି । ସେଥିପାଇଁ ସେ ଦଣ୍ଡ ଭୋଗିବା ଦରକାର । ଡୋମିନିକା ସରକାରକୁ ସେ ଅପିଲ୍ କରିଥିଲେ ଯେ ବେଆଇନ୍ ଭାବରେ ମେହୁଲ ଫେରାର ହେବାକୁ ପ୍ରୟାସ କରିଛି । ତେଣୁ ମେହୁଲକୁ ସିଧା ଭାରତ ପ୍ରତ୍ୟର୍ପଣ କରିବା ଦରକାର ।

Leave A Reply

Your email address will not be published.