“ମୃତବ୍ୟକ୍ତିଙ୍କ ଠାରୁ କରୋନା ସଂକ୍ରମଣ ଆଶଙ୍କା ବହୁତ କମ୍’

0 59

ନୂଆଦିଲ୍ଲୀ, ୨୮ ।୫: ସରକାରଙ୍କ ନିର୍ଦ୍ଦେଶକ୍ରମେ କରୋନା ମୃତକଙ୍କୁ କେହି ଛୁଉଁନାହାନ୍ତି । ସଂକ୍ରମଣ ଭୟରେ ପଲିଥିନ୍ ଗୋଡ଼ାଇ ସତର୍କତାର ସହ ଶବ ସକ୍ରାର କରାଯାଉଛି । ମୃତକଙ୍କୁ ତାଙ୍କ ପରିବାର ଲୋକେ ଶେଷ ଦର୍ଶନ କରିପାରୁନାହାନ୍ତି । ପରିବାର ଲୋକେ ଯେତେ ଛାତି ଫଟାଇ କାନ୍ଦିଲେ ମଧ୍ୟ ପ୍ରୋଟୋକଲ୍ର ବାହାନାରେ ସରକାର ଶବ ସକ୍ରାର କରିଦେଉଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି, ସତରେ କ’ଣ କରୋନା ମୃତକଙ୍କଠାରୁ ଭାଇରସ ବ୍ୟାପୁଛି? ଏହାକୁ ନେଇ ନାନା ଗବେଷଣା ଚାଲିଥିବା ବେଳେ ଏମ୍ସର ସର୍ଭେ ରିପୋର୍ଟ ଆଖି ଖୋଲିଦେଲା ପରି ତଥ୍ୟ ଦେଇଛି । ଯେଉଁଥିରେ କୁହାଯାଇଛି, ମୃତକଙ୍କ ପାଖରୁ କରୋନା ବ୍ୟାପିବା ସମ୍ଭାବନା ବହୁତ କମ୍ । ଏମ୍ସର ଏହି ରିପୋର୍ଟ ପରେ କୋଭିଡ୍ ମୃତକଙ୍କ ସକ୍ରାରକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏମ୍ସ ରିପୋର୍ଟରେ କୁହାଯାଇଛି ଜଣେ ଆକ୍ରାନ୍ତର ମୃତ୍ୟୁ ଘଟିବା ପରେ ତା’ର ନାକ କିମ୍ୱା ପାଟିରେ କରୋନା ଭାଇରସ ରହିବାର ସମ୍ଭାବନା ନାହିଁ । ତେଣୁ ଆକ୍ରାନ୍ତ ଜଣଙ୍କ ଆଖି ବୁଜିବା ପରେ କରୋନା ସଂକ୍ରମିତ ହେବାର ସମ୍ଭାବନା କମ୍ ବୋଲି ଏମ୍ସର ଫରେନସିକ୍ ବିଭାଗର ମୁଖ୍ୟ ଡାକ୍ତର ସୁଧୀର ଗୁପ୍ତା କହିଛନ୍ତି । ଏହି ସିଦ୍ଧାନ୍ତରେ ଉପନୀତି ହେବା ପାଇଁ ଫରେନସିକ୍ ବିଭାଗ କିଛି ମୃତକଙ୍କ ଉପରେ ପରୀକ୍ଷା କରିଥିଲା । ପାଖାପାଖି ୧୦୦ କରୋନା ମୃତକଙ୍କୁ ନେଇ ପରୀକ୍ଷା କରିଥିଲା ଏମ୍ସ । ଆକ୍ରାନ୍ତଙ୍କ ମୃତ୍ୟୁର ୧୨ରୁ ୨୪ ଘଣ୍ଟା ମଧ୍ୟରେ କରୋନା ପରୀକ୍ଷା କରାଯାଇଥିଲା । ରିପୋର୍ଟରେ ସମସ୍ତଙ୍କର ନେଗେଟିଭ୍ ଆସିଥିଲା । ଏଥିରୁ ସ୍ପଷ୍ଟ ହୋଇଛି ଯେ, କରୋନା ମୃତକଙ୍କ ଶରୀରରୁ ସଂକ୍ରମଣ ଆଶଙ୍କା ବହତ୍ କମ୍ ବୋଲି ଡାକ୍ତର ସୁଧୀର ଗୁପ୍ତା କହିଛନ୍ତି । ସୂଚନାଯୋଗ୍ୟ, ଗତବର୍ଷ ମାର୍ଚ୍ଚରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଥିଲା କରୋନା ଆକ୍ରାନ୍ତ ମୃତକଙ୍କ ଶରୀରରୁ ଭାଇରସ ସଂକ୍ରମିତ ହେବାର ସମ୍ଭାବନା ରହିଛି । ତେଣୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରୋଟୋକଲ ଅନୁସାରେ ମୃତକଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଉନି । ଅନ୍ତିମ ସଂସ୍କାର ବେଳେ ପିପିଇ କିଟ୍ ଓ ଗ୍ଲୋଭସ ପରିଧାନ କରିବାକୁ ବାଧ୍ୟତାମୂଳକ କରାଯାଇଛି । କରୋନା ବ୍ୟାପିବା ଭୟରେ ସରକାର ଏପରି ନିଷ୍ପତ୍ତି ନେଇଥିଲେ ।

Leave A Reply

Your email address will not be published.