ଜୁଲାଇରେ ଭାରତକୁ ମିଳିପାରେ ଫାଇଜର ଟିକା

0 71

ନୂଆଦିଲ୍ଲୀ, ୨୮ ।୫:କରୋନା ମହାମାରୀ ବେଳେ କେନ୍ଦ୍ର ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ଟିକାର ଅଭାବ । ନିକଟରେ ବିଦେଶୀ ଟିକା କମ୍ପାନୀ ଚଳିତ ବର୍ଷ ଶେଷ ଆଡକୁ ଟିକା ଦେଇପାରନ୍ତି ବୋଲି କହିଥିଲେ ନୀତି ଆୟୋଗର ସଦସ୍ୟ ଭି.କେ ପାଲ୍ । ଏବେ କିନ୍ତୁ ସେ କହିଛନ୍ତି ଜୁଲାଇରେ ଫାଇଜର ଟିକା ମଧ୍ୟ ଭାରତରେ ଉପଲବ୍ଧ ହୋଇପାରେ । ଯଦି ଫାଇଜର ଟିକା ଭାରତ ଗ୍ରହଣ କରିବ ତାହେଲେ ଏହା ଚତୁର୍ଥ ଟିକା ହେବ ଯାହା କରୋନା ଟିକାକରଣ କାର୍ଯ୍ୟକ୍ରମରେ ସାମିଲ୍ ହେବ । କୋଭାକ୍ସିନ୍, କୋଭଶିଲ୍ଡ ଏବଂ ସ୍ପୁଟନିକ୍ ଟିକା ଏବେ ବ୍ୟବହାର ହେଉଛି । ନୀତି ଆୟୋଗ ସଦସ୍ୟ ଡାକ୍ତର ପାଲ କହିଛନ୍ତି ଯେ ଫାଇଜର ସହ କେନ୍ଦ୍ର ସରକାର ଆଲୋଚନା ଜାରି ରଖିଛନ୍ତି । ଭାରତ ପାଇଁ ଟିକା ଯୋଗାଇ ଦେବ ବୋଲି କମ୍ପାନୀ ସୂଚନା ଦେଇଥିବା ସେ କହିଛନ୍ତି । ଜୁଲାଇରୁ ଅକ୍ଟୋବର ମଧ୍ୟରେ ଫାଇଜର ୫ କୋଟି ଟିକା ଦେବ ବୋଲି ସୂଚନା ରହିଛି । ଗୁରୁବାର ସାମ୍ବାଦିକ ସମ୍ମିଳନୀ କରି ପାଲ କହିଛନ୍ତି ଯେ ଫାଇଜର କମ୍ପାନୀ ସହ କେନ୍ଦ୍ର ସରକାରଙ୍କ ଆଲୋଚନା ଚାଲିଛି । ସେ କହିଛନ୍ତି ଯେ ଟିକା ନେବା ପରେ ଯଦି କିଛି ପାର୍ଶ୍ୱ ପ୍ରତିକ୍ରିୟା ଆସିବ ସେ ବାବଦରେ ସୁରକ୍ଷା ଲୋଡିଛି ଫାଇଜର । ଭାରତ ସରକାର ଏହାକୁ ନେଇ ବିଚାର ବିମର୍ଶ କରୁଛନ୍ତି । ଖୁବ୍ଶୀଘ୍ର ଏହା ଉପରେ ନିଷ୍ପତ୍ତି ନିଆଯିବ । ସେ କହିଛନ୍ତି ଯେ ଆମେରିକା ସମେତ ସମସ୍ତ ଦେଶରେ ଫାଇଜର ଏହି ପ୍ରକାର ସୁରକ୍ଷା ମାଗିଛି । ତେଣୁ ଭାରତକୁ ଟିକା ଦେବା ପୂର୍ବରୁ ଆଗୁଆ ସୁରକ୍ଷା ଲୋଡ଼ିଛି । ପାଲ୍ କହିଛନ୍ତି ଯେ ଦେଶରେ ଟିକା ଉପଲବ୍ଧତା କମ୍ ଥିବାରୁ ପ୍ରତିଦିନ କେବଳ ୧୫-୨୦ ଲକ୍ଷ ଟିକା ନେଉଛନ୍ତି । ପୂର୍ବରୁ କିନ୍ତୁ ଟିକାକରଣ ଆରମ୍ଭ ବେଳେ ଏହି ସଂଖ୍ୟା ୩୦ ଲକ୍ଷରୁ ଅଧିକ ରହିଥିଲା । ଆମେରିକାର ଏହି ଟିକା କମ୍ପାନୀ ଚଳିତ ବର୍ଷ ୫୦ ନିୟୁତ ଟିକା ଯୋଗାଇବାକୁ ପ୍ରସ୍ତୁତ ବୋଲି କହିଛି । କିନ୍ତୁ କ୍ଷତିପୂରଣ ସମେତ କେତେକ ନିୟାମକ ଅବସ୍ଥାରେ କୋହଳ ପାଇଁ କମ୍ପାନୀ ଦାବି କରିଛି ।

Leave A Reply

Your email address will not be published.