ଆଣ୍ଟିଗୁଆ ସରକାରଙ୍କଠାରୁ ଅନୁମତି ମିଳିବା ପରେ ମେହୁଲଙ୍କୁ ଭାରତକୁ ହସ୍ତାନ୍ତର କରାଯିବ

0 69

ନୂଆଦିଲ୍ଲୀ, ୩୦ ।୫:ପଳାତକ ବ୍ୟବସାୟୀ ମେହୁଲ ଚୋକସିଙ୍କୁ ଭାରତ ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଜୋରଦାର ହୋଇଥିବା ବେଳେ ଏବେ ଏହାକୁ ନେଇ ବଡ଼ ଖବର ଆସିଛି । ଭାରତ ଡୋମିନିକା ସରକାରଙ୍କୁ କହିଛି ଯେ ମେହୁଲ ଚୋକସି ଭାରତର ନାଗରିକ ଏବଂ ସେ ଗୁରୁତର ଅପରାଧ କରିଛନ୍ତି । ଏଥିପାଇଁ ତାଙ୍କୁ ଭାରତକୁ ହସ୍ତାନ୍ତର କରାଯାଉ । ଏହାରି ଭିତରେ ଆଣ୍ଟିଗୁଆର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଡୋମିନିକାର ଏୟାରପୋର୍ଟରେ ଭାରତର ପ୍ରାଇଭେଟ୍ ଜେଟ୍ ଉପସ୍ଥିତ ରହିଛି । ଆଣ୍ଟିଗୁଆ ସରକାରଙ୍କଠାରୁ ଅନୁମତି ମିଳିବା ପରେ ମେହୁଲଙ୍କୁ ଭାରତକୁ ହସ୍ତାନ୍ତର କରାଯିବ । ମେହୁଲଙ୍କୁ ଭାରତ ଆଣିବା ପାଇଁ ଦେଶର କିଛି ଏଜେନ୍ସି ଡୋମିନିକା ସରକାରଙ୍କ ସହ ଯୋଗାଯୋଗ କରୁଛନ୍ତି । ବିଶେଷ ସୂତ୍ରରୁ ମିଳିଥିବା ଖବର ମୁତାବକ, ଡୋମିନିକାର ପଡ଼ୋଶୀ ଦେଶ ଆଣ୍ଟିଗୁଆ ମଧ୍ୟ ଡୋମିନିକାକୁ କହିଛି ଯେ ସେମାନେ ଚୋକସିଙ୍କୁ ଭାରତକୁ ହସ୍ତାନ୍ତର କରିଦିଅନ୍ତୁ, କାରଣ ସେ ଜଣେ ପଳାତକ । ଆଣ୍ଟିଗୁଆରୁ ଫେରାର ହୋଇଥିବା ଚୋକସି ଡୋମିନିକାରେ ଧରା ପଡ଼ିଥିଲେ । ଆହୁରି ଖବର ମିଳିଛି ଯେ ଚୋକସିଙ୍କୁ ଡୋମିନିକାରୁ ଭାରତକୁ ଆଣିବା ପାଇଁ ଭାରତ ପ୍ରତ୍ୟର୍ପଣ ଡକ୍ୟୁମେଣ୍ଟ ସହ ପ୍ରାଇଭେଟ୍ ବିମାନ ମଧ୍ୟ ଡୋମିନିକାକୁ ପଠାଇଛି । ଆଣ୍ଟିଗୁଆ ଓ ବାରବୁଡ଼ାର ପ୍ରଧାନମନ୍ତ୍ରୀ ଗେଷ୍ଟନ ବ୍ରାଉନ୍ ନିଜ ଦେଶରେ ଏକ ରେଡିଓ ଶୋ’ରେ ଏ ସମ୍ୱନ୍ଧରେ ସୂଚନା ଦେଇଛନ୍ତି । ହେଲେ ଭାରତ ତରଫରୁ ଏ ନେଇ କୌଣସି ସୂଚନା ଦିଆଯାଇନାହିଁ । “ଆଣ୍ଟିଗୁଆ ନ୍ୟୁଜ୍ ରୁମ୍’ ମୁତାବକ, କାତାର ଏୟାରେଓ୍ୱଜର ଏକ ପ୍ରାଇଭେଟ୍ ବିମାନ ଡୋମିନିକାରେ ଡଗଲାସ୍-ଚାର୍ଲସ୍ ଏୟାରପୋର୍ଟରେ ଲ୍ୟାଣ୍ଡ କରିସାରିଛି । ଯାହା ପରେ ଚୋକସିଙ୍କ ପ୍ରତ୍ୟର୍ପଣକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଆଣ୍ଟିଗୁଆ ଓ ବାରଗୁଡ଼ାରୁ ଫେର୍ରା ହୋଇଥିବା ଚୋକସିଙ୍କୁ ପଡ଼ୋଶୀ ଡୋମିନିକାରେ ଗିରଫ କରାଯାଇଥିଲା । ବ୍ରାଉନ୍ ରେଡିଓ ଶୋ’ରେ କହିଥିଲେ ଯେ ଚୋକସିଙ୍କ ପ୍ରତ୍ୟର୍ପଣ ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ ନେଇ ଏକ ବିମାନ ଭାରତରୁ ଆସିଛି । ସୂଚନାଯୋଗ୍ୟ, ରବିବାର ଚୋକସିଙ୍କ ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥରେ ସେ ଏକ ଲୁହା ଗେଟ୍ ପଛରେ ଛିଡ଼ା ହୋଇଛନ୍ତି । ତାଙ୍କ ଆଖି ଲାଲ ପଡ଼ି ଯାଇଛି । ଏହା ସହିତ ତାଙ୍କ ହାତରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ପୂର୍ବରୁ ଚୋକସିଙ୍କ ଓକିଲ ଅଭିଯୋଗ କରିଥିଲେ ଯେ ତାଙ୍କ ସହିତ ମାରପିଟ କରାଯାଇଥିଲା । ଏପରିକି ଆଣ୍ଟିଗୁଆରୁ ତାଙ୍କୁ ଅପହରଣ କରି ନିଆଯାଇଥିବା ସେ କହିଥିଲେ । ଚୋକସୀ ଓ ତାଙ୍କ ଭଣଜା ନୀରବ ମୋଦି ପଞ୍ଜାବ ନ୍ୟାଶନାଲ୍ ବ୍ୟାଙ୍କରୁ ୧୩,୫୦୦ କୋଟି ଟଙ୍କାର ହେରଫେର୍ କରିଛନ୍ତି । ନୀରବ ମୋଦି ଲଣ୍ଡନର ଏକ ଜେଲରେ ବନ୍ଦୀ ଅଛନ୍ତି ଏବଂ ଭାରତକୁ ପ୍ରତ୍ୟର୍ପଣ କରିବା ବିରୋଧରେ ମାମଲା ଲଢ଼ୁଛନ୍ତି । ଚୋକସୀ ୨୦୧୭ରେ ଆଣ୍ଟଗୁଆ ଓ ବାରଗୁଡ଼ାର ନାଗରିକତା ହାସଲ କରିଥିଲେ ଏବଂ ୨୦୧୮, ଜାନୁଆରୀ ପ୍ରଥମ ସପ୍ତାହରେ ଭାରତରୁ ଫେରାର୍ ମାରିଥିଲେ । ଏହା ପରେ ଏସବୁ ଦୁର୍ନୀତି ସାମ୍ନାକୁ ଆସିଥିଲା । ଦୁହେଁ ଏବେ ସିବିଆଇ ତଦନ୍ତର ସାମ୍ନା କରୁଛନ୍ତି ।

Leave A Reply

Your email address will not be published.