ରାଜନୀତିକୁ ଫେରିବେ ଶଶିକଳା !

0 69

ଚେନ୍ନାଇ, ୩୦ ।୫: ଏଆଇଏଡିଏମକେରୁ ନିଲମ୍ବିତ ଭି.କେ. ଶଶିକଳା ରାଜନୀତିକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି । କିଛିଦିନ ହେଲା ଶେଷ ହୋଇଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ ଶଶିକଳା । ପୁଣିଥରେ ମୈଦାନକୁ ଫେରିବେ ବୋଲି ସଙ୍କେତ ଦେଇଛନ୍ତି । ଏହି ସମୟରେ ଶଶିକଳାଙ୍କ ଏକ ଅଡିଓ କ୍ଲିପ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଭାଇରାଲ ଅଡିଓରେ ଶଶିକଳା ନିଜ ଦଳର ନେତାଙ୍କ ସହ କଥା ହେବା ସହ ରାଜନୀତିକୁ ପ୍ରତ୍ୟାବର୍ତ୍ତନ କରିବାକୁ ଭରସା ଦେଇଛନ୍ତି । ଭାଇରାଲ ଅଡିଓ ମାଧ୍ୟମରେ ଶଶିକଳା କହିଛନ୍ତି, “ଚିନ୍ତା କରନି, ନିଶ୍ଚିତ ଭାବେ ଦଳର ଅସୁବିଧା ସମାଧାନ ହୋଇଯିବ । ସମସ୍ତେ ସାହାସୀ ହୋଇଯାଅ । ଥରେ କରୋନା ମହାମାରୀ ଅପସରି ଯାଉ । ମୁଁ ଫେରିବି ।’ ଜବାବରେ ନେତା କହିଛନ୍ତି, ” ଆମେ ଆପଣଙ୍କ ପଛରେ ରହିବୁ ଆମ୍ମା ।’ ଭାଇରାଲ୍ କଲ୍ ନେଇ ସୂଚନା ଦେଇଛନ୍ତି ଏଏମଏମକେ ସାଧାରଣ ସମ୍ପାଦକ ଟିଟିଭି ଦିନାକରଣଙ୍କ ବ୍ୟକ୍ତିଗତ ସହାୟକ ଜନାର୍ଥନ । ଏହା ପୂର୍ବରୁ ଦଳରୁ ନିଲମ୍ବିତ ହୋଇଥିବା ଶଶିକଳା ରାଜନୀତିରୁ ସନ୍ନ୍ୟାସ ନେଇ ଘୋଷଣା କରିଥିଲେ । ସେତେବେଳେ ସେ କହିଥିଲେ, “ମୁଁ ନିଜକୁ ରାଜନୀତିରୁ ଅଲଗା କରିଛି ଏବଂ ନିଜର ଦେବୀ ଅକ୍କା (ଜୟଲଳିତା)ଙ୍କ ଶାସନ ପାଇଁ ପ୍ରାର୍ଥନା କରିଛି ।’ସୂଚନାଯୋଗ୍ୟ, ଶଶିକଳା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ନିକଟତର ଥିଲେ । ଡିସେମ୍ବର ୨୦୧୬ରେ ଜୟଲଳିତାଙ୍କ ନିଧନ ପରେ ଫେବୃଆରୀ ୨୦୧୭ରେ ରୋଜଗାରଠୁ ଅଧିକ ସମ୍ପତ୍ତି ରଖିବା ମାମଲାରେ ତାଙ୍କୁ ଜେଲ ଦଣ୍ଡ ମିଳିଥିଲା । ଚଳିତବର୍ଷ ଫେବୃଆରୀରେ ତାଙ୍କୁ ଜେଲ୍ରୁ ମୁକ୍ତି ମିଳିଥିଲା । କୁହାଯାଉଥିଲା ଶଶିକଳା ବିଧାନସଭା ନିର୍ବାଚନ ଲଢ଼ିବେ । କିନ୍ତୁ ସେ ରାଜନୀତିରୁ ସନ୍ୟାସ ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । ଏବେ ପୁଣି ଥରେ ରାଜନୀତିକୁ ଫେରିବାକୁ ସଙ୍କେତ ଦେଇଛନ୍ତି ।

Leave A Reply

Your email address will not be published.