ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାରେ ହ୍ରାସ

0 75

ନୂଆଦିଲ୍ଲୀ, ୧ ।୬: ମହାମାରୀ କରୋନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ସାଂଘାତିକ ଭାବେ ପ୍ରଭାବିତ କରିଛି । କରୋନା ମହାମାରୀକୁ ଠିକ୍ ଭାବେ ପରିଚାଳନା କରିବାରେ ମୋଦି ସରକାର ସଂପୂର୍ଣ୍ଣ ଭାବେ ବିଫଳ ବୋଲି ଅଧିକାଂଶ ଦେଶବାସୀ ମତ ଦେଇଛନ୍ତି । ଏବିପି-ସି ଭୋଟର ପକ୍ଷରୁ ମୋଦି ସରକାର ୨.୦ର ରିପୋର୍ଟ କାର୍ଡ ପ୍ରସ୍ତୁତ କରାଯାଇଛି । ସର୍ଭେ ବେଳେ ଜଣାପଡ଼ିଛି ଯେ କରୋନାକୁ ନିୟନ୍ତ୍ରଣ କରିବା ମୋଦି ୨.୦ ସରକାରଙ୍କ ସବୁଠାରୁ ବଡ଼ ବିଫଳତା । ଏବିପି-ସି ଭୋଟର ତା’ର ସର୍ଭେ ରିପୋର୍ଟରେ କହିଛି ଯେ ୪୧%ରୁ ଅଧିକ ଲୋକ ମୋଦି ସରକାର ଠିକ୍ ଭାବେ କରୋନାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା କଥା କହିଛନ୍ତି । ସେହିପରି ୨୩.୭% ଲୋକ ଚାଷୀମାନଙ୍କ ଅସନ୍ତୋଷ ଓ ରାଗକୁ ପ୍ରଶମିତ କରିବାରେ ମୋଦି ସରକାର ବିଫଳ ହୋଇଥିବା ମତ ଦେଇଛନ୍ତି । ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦିଲ୍ଲୀରେ ହୋଇଥିବା ଦଙ୍ଗା ମୋଦି ୨.୦ ସରକାରର ସବୁଠାରୁ ବଡ଼ ବିଫଳତା ବୋଲି ୮.୮% ଲୋକ ସର୍ଭେ ବେଳେ କହିଛନ୍ତି । ସେହିପରି ୮.୯% ଲୋକ ଚାଇନା ସହ ଭାରତର ସୀମା ବିବାଦ ମୋଦି ସରକାରଙ୍କ ବଡ଼ ବିଫଳତା ବୋଲି ମତ ଦେଇଛନ୍ତି । ମୋଦି ସରକାର ଅନ୍ୟ ବିଭିନ୍ନ କ୍ଷେତ୍ରରେ ବିଫଳ ହୋଇଥିବା ୧୮% ଲୋକ ମତ ଦେଇଥିବା ସର୍ଭେ ରିପୋର୍ଟରେ କୁହାଯାଇଛି । ଏବିପି –ସି ଭୋଟର ପକ୍ଷରୁ ମେ’ ୨୩ରୁ ୨୭ ମଧ୍ୟରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ୧୨,୦୭୦ ଜଣ ଲୋକଙ୍କୁ ନେଇ ସର୍ଭେ କରାଯାଇଥିଲା । ଏମାନଙ୍କ ମଧ୍ୟରୁ ସହାରାଞ୍ଚଳର ୪୪.୨% ଲୋକ କରୋନାକୁ ନିୟନ୍ତ୍ରଣ କରିବା ମୋଦି ସରକାରଙ୍କ ବଡ଼ ବିଫଳତା ବୋଲି କହିଥିବା ବେଳେ ଗ୍ରାମାଞ୍ଚଳର ୩୯.୮% ଲୋକ ସମାନ ମତ ଦେଇଛନ୍ତି । ମୋଦି ସରକାରଙ୍କ ଲୋକପ୍ରିୟତାକୁ କରୋନା ପ୍ରଭାବିତ କରିଥିବାରୁ ଏବେ ବିଜେପି ଏଥିରେ ତାଳି ପକାଇବାକୁ ଉଦ୍ୟମ ଆରମ୍ଭ କରିଛି । କରୋନା କଷ୍ଟକୁ ଭୁଲାଇବା ପାଇଁ ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆସନ୍ତା ବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ହେବ । ଏଥିପାଇଁ ଦଳ ଏବେଠାରୁ ତୃଣମୂଳ ସ୍ତରରୁ ନିଜ ଦଳୀୟ କର୍ମୀଙ୍କ ଠାରୁ ମତାମତ ଲୋଡ଼ିବା ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଉତ୍ତର ପ୍ରଦେଶରେ ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି । ତେଣୁ ଏହାର ପ୍ରଭାବ ଯେମିତି ନିର୍ବାଚନ ଉପରେ ନ ପଡ଼ିବ, ସେଥିପାଇଁ “ଫିଡବ୍ୟାକ୍ ଡ୍ରାଇଭ୍’ ଆରମ୍ଭ କରାଯାଇଛି । ବିଜେପିର ଦୁଇ ଜାତୀୟ ନେତା ବିଏଲ୍ ସନ୍ତୋଷ ଓ କେନ୍ଦ୍ରମନ୍ତ୍ରୀ ରାଧା ମୋହନ ସିଂହ ଉତ୍ତରପ୍ରଦେଶ ଯାଇ ସେଠାରେ ବିଭିତ୍ତ ମନ୍ତ୍ରୀମାନଙ୍କୁ ଭେଟିଛନ୍ତି । ସେମାନଙ୍କ ଠାରୁ ମତାମତ ସଂଗ୍ରହ କରିବା ସହ ଉଭୟ ଯୋଗୀ ଆଦିତ୍ୟନାଥ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ରୁଦ୍ଧଦ୍ୱାର ବୈଠକ କରିଛନ୍ତି । ଯେମିତି ହେଲେ କରୋନା ମାଡ଼ରେ ପ୍ରଭାବିତ ହୋଇଥିବା ଦଳର ଛବିକୁ ବିଜେପି ସୁଧାରିବାକୁ ଲକ୍ଷ୍ୟ ରଖିଥିବା ଏଥିରୁ ସ୍ପଷ୍ଟ ହୋଇଛି ।

Leave A Reply

Your email address will not be published.