କେନ୍ଦ୍ର ବିରୁଦ୍ଧରେ ସ୍ୱର ଉଠାଇବାକୁ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କୁ ମମତାଙ୍କ ଆହ୍ୱାନ

0 76

କୋଲକାତା, ୧ ।୬: “ଜୋ ଡରତେ ହେଁ, ୱ ମରତେ ହେଁ’ । ସୋମବାର ସତୁରୀ ଦଶକର ବ୍ଲକ୍ବଷ୍ଟର ଫିଲ୍ମ “ଶୋଲେ’ର ଏହି ଡାଇଲଗ ମାରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ୱର ଉଠାଇବାକୁ ଦେଶର ସମସ୍ତ ବିପକ୍ଷ ଦଳର ମୁଖ୍ୟମନ୍ତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍ତି । କେନ୍ଦ୍ର ସରକାରଙ୍କୁ “ଏକଛତ୍ରବାଦୀ’ ବୋଲି କହିବା ସହ ଭୟଭୀତ ନହୋଇ ଏକାଠି ମିଶି ସ୍ୱର ଉଠାଇବାକୁ ସେ ଦେଶର ସମସ୍ତ ବିପକ୍ଷ ଦଳର ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି । ମମତା କହିଛନ୍ତି, ଆମେ ସେମାନଙ୍କ (ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର) ଧମକକୁ ଡରୁ ନାହୁଁ । ପଶ୍ଚିମବଙ୍ଗ କେବେ ହାରିବା ଶିଖି ନାହିଁ । ଆମେ ସର୍ବଦା ମୁଣ୍ଡ ଟେକି ଚାଲିବୁ । ସେ କହିଛନ୍ତି, ମୁଁ ଭାବୁଛି ଦେଶର ସମସ୍ତ ବିପକ୍ଷ ଦଳର ମୁଖ୍ୟମନ୍ତ୍ରୀମାନେ ଏକାଠି ହେବା ଉଚିତ୍ ଓ ସ୍ୱର ଉଠାଇବା ଉଚିତ୍ । ସେମାନଙ୍କୁ (କେନ୍ଦ୍ର ସରକାରଙ୍କୁ) ସବୁ ରାଜ୍ୟ ମାନିବା ଉଚିତ୍ ନୁହେଁ । କେନ୍ଦ୍ର ଓ ରାଜ୍ୟ ଗୁଡ଼ିକ ମଧ୍ୟରେ ସବୁବେଳେ ଏକ ଲକ୍ଷ୍ମଣରେଖା ରହିବା ଉଚିତ୍ । ଜବାହାରଲାଲ ନେହରୁ ଓ ବି ଆର ଆମ୍ବେଦକର ଏହା ଉପରେ ସର୍ବଦା ଗୁରୁତ୍ୱ ଦେଇଥିଲେ । ମମତା କହିଛନ୍ତି ଯେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଶର ସଂଘୀୟ ବ୍ୟବସ୍ଥାକୁ ନଷ୍ଟ କରିବାକୁ ଚାହୁଁଛନ୍ତି । ଆଉ ଏଥିପାଇଁ ଦିନେ ସେମାନେ ପଶ୍ଚାତାପ କରିବେ । କେନ୍ଦ୍ର ସରକାର କେବଳ କୋଭିଡ୍ ପରିଚାଳନାଠୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରସଙ୍ଗରେ ନିଜ ବିଫଳତା ଲୁଚାଇବାକୁ ଓ ସେଥିରୁ ଲୋକଙ୍କ ଦୃଷ୍ଟି ହଟାଇବାକୁ କାର୍ଯ୍ୟ କରୁଛନ୍ତି । ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାତ୍ୟା ସମୀକ୍ଷା ବୈଠକରେ ମମତା ବାନାର୍ଜୀ ଯୋଗ ନଦେବା ପରଠାରୁ କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାର ମଧ୍ୟରେ ନୂଆ ବିବାଦ ଆରମ୍ଭ ହୋଇଛି ।

Leave A Reply

Your email address will not be published.