ଦକ୍ଷତା ଓ ଜ୍ଞାନକୁ ଉପଯୁକ୍ତ ତର୍ଜମା କରାଯାଉ

0 73

ପରୀକ୍ଷା ଅପେକ୍ଷା ଛାତ୍ରଛାତ୍ରୀଙ୍କ ଜୀବନ ଅଧିକ ମୂଲ୍ୟବାନ । ଏକଥାକୁ ପ୍ରାଥମିକତା ଦେଇ ପ୍ରଥମେ ମାଟ୍ରିକ୍ ଓ ଏବେ ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ବାତିଲ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଆଉ ତାହା ବି ହେବା ଯୁକ୍ତିଯୁକ୍ତ । କିନ୍ତୁ ଏବେ ପ୍ରଶ୍ନ ଉଠୁଛି ପରୀକ୍ଷା ବାତିଲ୍ ହେବା ପରେ କେଉଁ ଆଧାରରେ ଛାତ୍ରଛାତ୍ରୀଙ୍କୁ ଯୁକ୍ତ ୩ରେ ଆଡ୍ମିଶନ୍ ମିଳିବ? ସେହିପରି ମେଧାବୀ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ନେଇ ମଧ୍ୟ ଏକ ବୃହତ୍ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେନ୍ଦ୍ର ସରକାର ସିବିଏସ୍ଇ ବୋର୍ଡର ଦ୍ୱାଦଶ ପରୀକ୍ଷା ବାତିଲ ଘୋଷଣା କରିବା ପରେ ଏବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କର ଆଖି ରହିଛି । ତେବେ ସରକାରଙ୍କ ନିଷ୍ପତ୍ତି ଆସିବା ପୂର୍ବରୁ ଯୁକ୍ତ ଦୁଇ ଦ୍ୱ୍ୱିତୀୟ ବର୍ଷର ଅଧିକାଂଶ ଛାତ୍ରଛାତ୍ରୀ ପରୀକ୍ଷା ବନ୍ଦ ଆଶଙ୍କାରେ ପାଠରେ ଡୋରି ବାନ୍ଧିଥିବାବେଳେ ପ୍ରଥମ ବର୍ଷର ପାଠ ପଢିନଥିବା ପିଲାମାନେ ସିଧାସଳଖ ଦ୍ୱିତୀୟବର୍ଷର ପାଠପଢିବା ଆରମ୍ଭ କରିଛନ୍ତି । ରାଜ୍ୟ ସରକାର ଯୁକ୍ତ ଦୁଇ ପରୀକ୍ଷା ନେଇ କେନ୍ଦ୍ରର ନିଷ୍ପତ୍ତିକୁ ଅପେକ୍ଷା କରିଥିଲେ । କେନ୍ଦ୍ର ସରକାର ପରୀକ୍ଷା ବାତିଲ କରିବାପରେ ରାଜ୍ୟ ସରକାର ଅନୁରୂପ ନିଷ୍ପତ୍ତିନେବା ଏକ ପ୍ରକାର ନିଶ୍ଚିତ । ପରୀକ୍ଷା ବାତିଲ ସୂଚନା ପାଇବାପରେ ସେମାନେ କାହିଁକି ପାଠ ପଢିବେ ବୋଲି ଓଲଟା ପ୍ରଶ୍ନ କରୁଛନ୍ତି । ତେବେ ପିଲାଙ୍କୁ କେଉଁ ଆଧାରରେ କିଭଳି ଫଳ ମିଳିବ ତାହାକୁ ନେଇ ତର୍ଜମା ଆରମ୍ଭ ହୋଇଯାଇଛି । ଏଭଳି ସୂଚନା ପାଇଲାପରେ ପିଲାଙ୍କ ପଛରେ ଲାଗି ପଡିଥିବା ଶିକ୍ଷକମାନେ ମଧ୍ୟ ପଢା ବନ୍ଦକରି ଦେଇଛନ୍ତି । ବିଶେଷକରି କୋଚିଂ ସେଣ୍ଟରଗୁଡିକରେ ଆଉ ଦ୍ୱିତୀୟ ବର୍ଷର ପାଠପଢା ହେଉନାହିଁ । ଯେଉଁ ଚାତ୍ରଛାତ୍ରୀମାନେ ଘରେ ରହି ଅଧିକ ପରିଶ୍ରମ କରୁଥିଲେ ସେମାନେ ଏବେ କେତେ ନମ୍ବର ପାଇ ଉତ୍ତୀର୍ଣ୍ଣ ହେବେ ତାହାର ହିସାବ କରିବାରେ ଲାଗିଛନ୍ତି । ତେବେ ଅଳ୍ପଦିନ ପାଇଁ ଯୁକ୍ତ ଦୁଇ ପ୍ରଥମବର୍ଷରେ ଶିକ୍ଷାନୁଷ୍ଠାନ ମାଟି ମାଡିଥିବା ଛାତ୍ରଛାତ୍ରୀମାନେ ଏବେ ଅନ୍ଲାଇନ୍ରେ ସିଧାସଳଖ ଯୁକ୍ତ ଦୁଇ ପାଠପଢା ଆରମ୍ଭ କରିଛନ୍ତି । ତେବେ ପ୍ରଥମ ବର୍ଷର ପାଠକୁ ଭଲଭାବେ ପଢିନଥିବା ଛାତ୍ରଛାତ୍ରୀମାନେ ଏବେ ସିଧାସଳଖ ଦ୍ୱିତୀୟ ବର୍ଷର ପାଠ ପଢିବାରେ ସମସ୍ୟାର ସମ୍ମୁଖୀନ ହେଉଥିବା ଲକ୍ଷ୍ୟ କରାଯାଉଛି । ତେବେ ଏସବୁ କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନଜରରେ ରଖି ଏକ ସୁଚିନ୍ତିତ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି । ଏପରିସ୍ଥଳେ ଅନ୍ଲାଇନ୍ ପରୀକ୍ଷା କରିବାକୁ ଯଦିଓ କିଛି ଛାତ୍ରଛାତ୍ରୀ ଓ ଅଭିଭାବକ ମତ ଦେଇଛନ୍ତି ତଥାପି ବି ସେଥିରେ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି । ସେ ଯାହାବି ହେଉ କରୋନା ସମୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନ ଦେବା ସହ ସେମାନଙ୍କ ଦକ୍ଷତା ଓ ଜ୍ଞାନକୁ ଉପଯୁକ୍ତ ତର୍ଜମା କରାଯିବା ବର୍ତ୍ତମାନର ସମୟର ସବୁଠୁ ବଡ଼ ଆହ୍ୱାନ ।

Leave A Reply

Your email address will not be published.