ବ୍ଲାକ ଫଙ୍ଗସ ରୋଗୀ ସୁସ୍ଥ ପାଇଁ ଖର୍ଚ୍ଚ କଲେ ଦେଢ଼ କୋଟି

0 62

ନାଗପୁର, ୮ ।୬: କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ଶରୀରରେ ବ୍ଲାକ ଫଙ୍ଗସ ବା ମ୍ୟୁକ୍ରମାଇକୋସିସି ରୋଗ ଦେଖା ଯାଉଛି । ଏହା ମଧ୍ୟ ଏକ ମାରାତ୍ମକ ରୋଗ । ସରକାର ଏହାକୁ ମହାମାରୀ ଭାବେ ମଧ୍ୟ ବିବେଚନା କରିଛନ୍ତି । ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହେଉଥିବା ଲୋକଙ୍କୁ ସୁସ୍ଥ କରିବା ପାଇଁ ଅପରେସନ ମଧ୍ୟ କରାଯାଉଛି । ସେହିପରି ସଂକ୍ରମଣ ଅଧିକ ରହିଥିଲେ ଲୋକଙ୍କ ଜୀବନ ବଞ୍ଚାଇବାକୁ ଆଖିକୁ ବାହାର କରି ଦିଆଯାଉଛି । ଏହା ବଦଳରେ କୃତ୍ରିମ ଆଖି ମଧ୍ୟ ଲଗାଯାଉଛି । ତେବେ ବ୍ଲାକ ପଙ୍ଗସରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତି ନୂଆ ଜୀବନ ପାଇଁ ପ୍ରାୟ ୧.୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । କେନ୍ଦ୍ରୀୟ ଭାରତ ତଥା ବିର୍ଦ୍ଦଭରେ ପ୍ରଥମ ବ୍ୟକ୍ତି ଭାବେ ସେ ବ୍ଲାକ ଫଙ୍ଗସରୁ ଆରୋଗ୍ୟ ଲାଭ କରିବାକୁ ଏତେ ଟଙ୍କା ଖର୍ଚ୍ଚ କରିଛନ୍ତି । ୪୬ ବର୍ଷୀୟ ନବୀନ ପଲ ହେଉଛନ୍ତି ଜଣେ ରାଜ୍ୟ ସରକାରଙ୍କ କର୍ମଚାରୀ । ସେପ୍ଟେମ୍ବର ମାସରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ସୁସ୍ଥ ହୋଇ ଘରକୁ ଫେରିବା ପରେ ତାଙ୍କ ଦାନ୍ତ ଓ ଆଖିରେ ସମସ୍ୟା ସୃଷ୍ଟି ହୋଇଥିଲା । ଏହି ସମୟରେ ଡାକ୍ତରମାନେ ବ୍ଲାକ ଫଙ୍ଗସକୁ ଏତେ ଗୁରୁତ୍ୱ ଦେଉନଥିଲେ । କିନ୍ତୁ ଭିତରେ ଭିତରେ ବ୍ଲାକ ଫଙ୍ଗସ ତାଙ୍କ ଶରୀରରେ ମାଡ଼ି ଚାଲିଥିଲା । ଅକ୍ଟୋବର ମାସରେ ତାଙ୍କର ବିଭିନ୍ନ ଲକ୍ଷଣମାନ ଦେଖା ଦେଇଥିଲା । ଶେଷରେ ଫେବୃଆରୀ ମାସରେ ତାଙ୍କର ଅପରେସନ ହୋଇଥିଲା ଓ ଗୋଟିଏ ଆଖିକୁ ଡାକ୍ତରମାନେ ତାଙ୍କ ଶରୀରରୁ ବାହାର କରିଦେଇଥିଲେ । ଏସବୁ ପାଇଁ ପଲ ୧.୪୮ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ସେ ପ୍ରାୟ ୬ଟି ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ ଓ ତାଙ୍କ ବାମ ଆଖି ବାହାର କରାଯିବା ପୂର୍ବରୁ ତାଙ୍କୁ ୧୩ଟି ଅପରେସନ ପ୍ରୋସିଡିୟରର ସମ୍ମୁଖୀନ ହେବାକୁ ପଡ଼ିଥିଲା । ପଲ୍ ଚିକିତ୍ସା ବେଳେ ରେଳବାଇ ଠାରୁ କୋଟିଏ ଟଙ୍କା ପାଇଥିଲେ । ଭାରତୀୟ ରେଳବାଇରେ ତାଙ୍କ ପତ୍ନୀ କାମ କରନ୍ତି । ବାକି ୪୮ ଲକ୍ଷ ଟଙ୍କା ସେ ବିଭିନ୍ନ ସୂତ୍ରରୁ ଯୋଗାଡ଼ କରିଥିଲେ । ନବୀନ ପଲ କହିଛନ୍ତି, ମୁଁ ଏଥିପାଇଁ ପ୍ରସ୍ତୁତ ରହିଥିଲି । ଯଦି ମୋ ଜୀବନ ବଞ୍ଚିପାରିବ, ତା’ହେଲେ ମୁଁ ଡାକ୍ତରମାନଙ୍କୁ ଆଖି ବାହାର କରିଦେବାକୁ କହିଥିଲି । ପ୍ରଥମେ ମୁଁ ନ୍ୟୁରୋଲଜି ହସ୍ପିଟାଲରେ ଭର୍ତ୍ତି ହୋଇଥିଲି । ସେଠାରୁ ମୋତେ ହାଇଦ୍ରାବାଦର ଗୋଟିଏ ଆଖି ଡାକ୍ତରଖାନାକୁ ନିଆଯାଇଥିଲା । ଦୁଇଟି ହସ୍ପିଟାଲରେ କିଛିଦିନ ରହିବା ପରେ ମୋତେ ନାଗପୁର ଅଣା ଯାଇଥିଲା । ଶେଷରେ ମୁମ୍ବାଇରେ ଥିବା ଗୋଟିଏ କର୍ପୋରେଟ ହସ୍ପିଟାଲକୁ ନିଆଯାଇଥିଲା ବୋଲି ସେ କହିଛନ୍ତି । ମୁମ୍ବାଇରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଠାରୁ ୩୯ ଲକ୍ଷ ଟଙ୍କା ଚାର୍ଜ କରାଯାଇଥିଲା । ଏଠାରେ ଅଧିକ ଖର୍ଚ୍ଚ ହେଉଥିବାରୁ ପଲଙ୍କ ପରିବାର ଲୋକ ତାଙ୍କୁ ନାଗପୁରରେ ଥିବା ଘରୋଇ ହସ୍ପିଟାଲକୁ ଆଣିଥିଲେ । ସେଠାରେ ତାଙ୍କର ଗୋଟିଏ ଆଖିକୁ ବାହାର କରାଯାଇଥିଲା ।

Leave A Reply

Your email address will not be published.