ନବନୀତ ରାଣାଙ୍କୁ ଝଟକା

0 65

ହାଇକୋର୍ଟ ଖାରଜ କଲେ ଜାତି ପ୍ରମାଣପତ୍ର

ଅମରାବତୀ, ୮ ।୬: ନକଲି କାଗଜପତ୍ର ଜରିଆରେ ଜାତି ପ୍ରମାଣପତ୍ର ପ୍ରସ୍ତୁତ କରିଥିବା ଅଭିଯୋଗର ସାମ୍ନା କରୁଥିବା ମହାରାଷ୍ଟ୍ରର ନିର୍ଦ୍ଦଳୀୟ ସାଂସଦ ନବନୀତ ରାଣାଙ୍କୁ ବମ୍ବେ ହାଇକୋର୍ଟରୁ ଝଟକା ଲାଗିଛି । ଅଦାଲତ ରାଣାଙ୍କ ଜାତି ପ୍ରମାଣପତ୍ର ଖାରଜ କରିଛନ୍ତି । କେବଳ ଏତିକି ନୁହେଁ କୋର୍ଟ ତାଙ୍କ ଉପରେ ଦୁଇ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି । ରାଣା ଅମରାବତୀ ସଂସଦୀୟ କ୍ଷେତ୍ରରୁ ନିର୍ଦ୍ଦଳୀୟ ସାଂସଦ । ତାଙ୍କ ସ୍ୱାମୀ ରବି ରାଣା ବଡନେରା ବିଧାନସଭାର ବିଧାୟକ । ଏହା ପୂର୍ବରୁ ମଧ୍ୟ ୨୦୧୪ରେ ଅଦାଲତ ତାଙ୍କର ଜାତି ପ୍ରମାଣପତ୍ରକୁ ଖାରଜ କରିଥିଲେ । ଅମରାବତୀରୁ ପ୍ରଥମ ଥର ସାଂସଦ ହୋଇଥିବା ନବନୀତ ରାଣାଙ୍କ ଉପରେ ଲୋକସଭା ସଦସ୍ୟତା ହରାଇବାର ବିପଦ ଦେଖା ଦେଇଛି । ଅମରାବତୀ ଲୋକସଭା ଆସନ ଅନୁସୂଚିତ ଜାତି ପାଇଁ ଉଦ୍ଦିଷ୍ଟ । କିନ୍ତୁ କୋର୍ଟ ଏ ପର୍ଯ୍ୟନ୍ତ ଏହି ମାମଲା ଉପରେ କୌଣସି ଟିପ୍ପଣୀ କରି ନାହାନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଭିନୟ ଜଗତରୁ ରାଜନୀତିରେ ପ୍ରବେଶ କରିଥିବା ନବନୀତ ସାତୋଟି ଭାଷାରେ ପାରଙ୍ଗମ । ସେ ୨୦୧୯ ସାଧାରଣ ନିର୍ବାଚନରେ ଶିବସେନା ନେତା ଆନନ୍ଦରାଓ ଅଦସୁଲଙ୍କୁ ପରାସ୍ତ କରିଥିଲେ । ରାଣାଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ, ସେ ନକଲି ଜାତି ପ୍ରମାଣପତ୍ର ଦେଇ ଏସସି ସଂରକ୍ଷିତ ଆସନରୁ ନିର୍ବାଚନ ଲଢିଛନ୍ତି । ଏପରିକି ସେ ନକଲି କାଗଜପତ୍ର ଦେଇ ସ୍କୁଲ ସାର୍ଟିଫିକେଟ୍ ମଧ୍ୟ ତିଆରି କରିଛନ୍ତି । ନବନୀତ ମହାରାଷ୍ଟ୍ରର ଆଠ ମହିଳା ସାଂସଦଙ୍କ ମଧ୍ୟରୁ ଜଣେ । ତାଙ୍କ ଉପରେ ଶିବସେନା ଏସିଡ୍ ଆକ୍ରମଣ କରିଥିବା ସେ ଅଭିଯୋଗ କରିଥିଲେ । ଏହାକୁ ସେ ସଂସଦରେ ମଧ୍ୟ ଉଠାଇଥିଲେ । ୩୫ ବର୍ଷୀୟ ନବନୀତ ରାଣାଙ୍କ ଜନ୍ମ ମୁମ୍ବାଇରେ ହୋଇଥିଲା । ତାଙ୍କ ଅଭିଭାବକ ମୂଳତଃ ପଞ୍ଜାବୀ । କତ୍ତଡ ଫିଲ୍ମ ଦର୍ଶନରୁ ଅଭିନୟ ଆରମ୍ଭ କରିଥିବା ନବନୀତ ଅନେକ ତେଲୁଗୁ, ପଞ୍ଜାବୀ ସମେତ ଅନେକ ଭାଷାରେ କାମ କରିଛନ୍ତି । ରାଣାଙ୍କ ପିତା ଆର୍ମି ଅଧିକାରୀ ଥିଲେ । କୁହାଯାଉଛି ଯେ, ନବନୀତ ଦ୍ୱାଦଶ ପର୍ଯ୍ୟନ୍ତ ପଢିଛନ୍ତି । ଏହା ପରେ ସେ ମୋଡେଲିଂ ଜଗତରେ ପାଦ ଦେଇଥିଲେ । ସେ ଅନେକ ମ୍ୟୁଜିକ୍ ଆଲବମ୍ରେ ମଧ୍ୟ କାମ କରିଛନ୍ତି ।

Leave A Reply

Your email address will not be published.