ବାରଣାସୀରେ ୧୨୫ ବର୍ଷ ବୟସ୍କ ନେଲେ କରୋନା ଟିକା

0 70

ବାରଣାସୀ, ୧୦ ।୬: ଟିକାକୁ ନେଇ ସବୁ ପ୍ରକାର କଳ୍ପନାଜଳ୍ପନା ଓ ଗୁଜବକୁ ଟାଳି ବାରଣାସୀରେ ଜନୈକ ୧୨୫ ବର୍ଷ ବୟସ୍କ ବ୍ୟକ୍ତି ନିଜର କୋଭିଡ ଟିକାକରଣ କରିଛନ୍ତି । ଟିକାକରଣ କରାଇଥିବା ବ୍ୟକ୍ତି ହେଉଛନ୍ତି ସ୍ୱାମୀ ଶିବାନନ୍ଦ । ସେ ବୁଧବାର ଦୁର୍ଗକୁଣ୍ଡ ଟିକା କେନ୍ଦ୍ରକୁ ଏକାକୀ ଯାଇ ନିଜର ଟିକାକରଣ କରିଛନ୍ତି । ଟିକା ନେବା ଲାଗି ବୟସ୍କ ବ୍ୟକ୍ତି ଟିକା କେନ୍ଦ୍ରର କର୍ମଚାରୀଙ୍କୁ ତାଙ୍କ ଆଧାର କାର୍ଡ ଦେବାରୁ ସେ ତଟସ୍ଥ ହୋଇ ଯାଇଥିଲେ । ଆଧାର କାର୍ଡରେ ତାଙ୍କ ଜନ୍ମ ତାରିଖ ୮ ଅଗଷ୍ଟ ୧୮୯୬ ଥିଲା । ଅର୍ଥାତ ତାଙ୍କ ବୟସ ଏବେ ୧୨୫ ବର୍ଷ । ତେବେ ତାଙ୍କ ଟିକାକରଣ ଲାଗି ମେଡିକାଲ କର୍ମଚାରୀ ସାମାନ୍ୟ ଚିନ୍ତାରେ ପଡିଥିଲେ । ହେଲେ ଟିକା ନେବା ଲାଗି ଶିବାନନ୍ଦ ସାମାନ୍ୟ ଭୟଭୀତ ମଧ୍ୟ ନଥିଲେ । ସେ ଟିକାର ପ୍ରଥମ ଡୋଜ ଗ୍ରହଣ କରିଛନ୍ତି । ଭେଲୁପୁର କବୀର ନଗର କଲୋନୀରୁ ଶିବାନନ୍ଦ ଟିକା ନେବାକୁ ଆସିଥିଲେ । ଟିକା ନେବାକୁ କେନ୍ଦ୍ରରେ ଅଧଘଣ୍ଟା ଅପେକ୍ଷା କରିବା ପରେ ତାଙ୍କ ଟିକା କରିପୁଣି ଘରକୁ ଫେରିଯାଇଥିଲେ । ଶିବାନନ୍ଦ ତାଙ୍କ ଦୀର୍ଘଜୀବନ ଲାଗି ସାଦା ଭୋଜନ ଓ ନିୟମିତ ଜୀବନ ବୋଲି କହିଛନ୍ତି । ସେ ଭୋର ୩ଟା ବେଳେ ଶଯ୍ୟାତ୍ୟାଗ କରନ୍ତି ଓ ଗଙ୍ଗା ନଦୀକୁ ସ୍ନାନ ଶୌଚ ଲାଗି ଯାଆନ୍ତି । ଫେରିବା ପରେ କିଛି ସମୟ ଯୋଗ କରନ୍ତି । ସେ ବିନା ତେଲରେ ଓ କମ୍ ମସଲାଯୁକ୍ତ ସାଦା ଭୋଜନ କରନ୍ତି । ସେ କୁହନ୍ତି ଗରିବ ପରିବାରର ହୋଇଥିବାରୁ ପୂର୍ଣ୍ଣ ଆହାର କେବେ ଭାଗ୍ୟରେ ଜୁଟେନି । ଭୋକର ମାତ୍ର ଅଧା ଖାଦ୍ୟ ଖାଆନ୍ତି । ଏହା ମୋତେ ମୋର ବିନମ୍ର ପୃଷ୍ଠଭୂମିକୁ ମନେ ପକାଇଦେଇଥାଏ ବୋଲି ସେ କହନ୍ତି । ସେ ଘରେ ନିଜର ସବୁ କାମ ନିଜେ କରନ୍ତି । ଏଥିରେ କାହାର ସହାୟତା ନେଇ ନଥାନ୍ତି । ଏବେ ସେ ତାଙ୍କର ପ୍ରଥମ ଡୋଜ ଟିକା ନେଇଛନ୍ତି । ଆଗାମୀ ମାସରେ ତାଙ୍କର ଦ୍ୱିତୀୟ ଡୋଜ ନିଶ୍ଚିତ ନେବାକୁ ଆସିବେ ବୋଲି ଶିବାନନ୍ଦ ଆଶାବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.