କିନ୍ନରମାନେ ପାଳିଲେ ସାବିତ୍ରୀ ବ୍ରତ

0 66


ପାରଳାଖେମୁଣ୍ଡି, ୧୧ା୬ : ପବିତ୍ର ସାବିତ୍ରୀ ବ୍ଲତ ଦିନରେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସ୍ତ୍ରୀ ମାନେ ଏହି ବ୍ରତ ପାଳନ କରିଥାନ୍ତି । ହେଲେ କିନ୍ନରମାନେ ଏହି ବ୍ରତକୁ ନିଜ ଗୁରୁଙ୍କ ଉଦ୍ଦେଶ୍ୟରେ ପାଳନ କରି ଏକ ବିରଳ ଦୃଷ୍ଟାନ୍ତ ସାଜିଛନ୍ତି । ପାରଳାଖେମୁଣ୍ଡିରେ କିନ୍ନରମାନେ ଏହି ବ୍ରତକୁ ପାଳନ କରି ନିଜ ଗୁରୁଙ୍କ ମଙ୍ଗଳ କାମନା କରିଛନ୍ତି । ସାଧାରଣ ମଣିଷଙ୍କ ଠାରୁ କିନ୍ନରଙ୍କ ଜୀବନ ଶୈଳି କିଛିଟା ଅଲଗା । କିନ୍ନରମାନେ ବିଭିନ୍ନ ପର୍ବ ପର୍ବାଣୀ ତାଙ୍କ ପରମ୍ପରା ଅନୁସାରେ ପାଳନ କରିଥାନ୍ତି । ସମାଜ କିନ୍ନରମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖିବା ସହ ସେମାନଙ୍କୁ ଏକ ପ୍ରକାର ବାସନ୍ଦ କରୁଥିବା ଘଟଣା ବିଭିନ୍ନ ସମୟରେ ଲୋକଲୋଚନକୁ ଆସୁଛି । ଯଦି ଓ କିନ୍ନରଙ୍କ ପାଇଁ ଆଇନ କିଛିଟା ସହାୟକ ହୋଇଛି । ତଥାପି ସମାଜ ଏହାକୁ ଆଜି ଯାଏଁ ଗ୍ରହଣ କରିପାରିନାହିଁ । ତେଣୁ କିନ୍ନରମାନେ ନିଜ ଘର ଏବଂ ପରିବାର ଠାରୁ ଅଲଗା ରହି ଏକ ଅଲଗା ଦୁନିଆ ସହ ନିଜର ସମ୍ପର୍କ ରଖିଥାନ୍ତି । ସାଧାରଣ ମହିଳାମାନେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଏହି ବ୍ରତ କରୁଥିବା ବେଳେ କିନ୍ନରମାନେ ନିଜର ସବୁ କିଛି ମାନୁଥିବା ନିଜ ଗୁରୁୁଙ୍କ ପାଇଁ ଏହି ବ୍ରତ ଗତକାଲି ପବିତ୍ର ସାବିତ୍ରୀ ଅମାବସ୍ୟା ତିଥିରେ ପାରଳାଖେମୁଣ୍ଡି ଶ୍ୟାମାକାଳୀ ମନ୍ଦିରରେ ପାଳନ କରିଥିଲେ । ସାଧାରଣ ମହିଳାମାନଙ୍କ ପରି କିିନ୍ନରମାନେ ନୂତନ ଶାଢୀ ପରିଧାନ କରିବା ସହ ସଜେଇ ହୋଇ ଏକତ୍ରିତ ଭାବେ ଏହି ବ୍ରତକୁ ଅତ୍ୟନ୍ତ ନିଷ୍ଠା ଓ ଭକ୍ତିର ସହ ପାଳିଛନ୍ତି । ଗତକାଲି କିନ୍ନରମାନେ ଆମ୍ବ, ପଣସ, ସପୁରୀ ଆଦି ବିଭିନ୍ନ ପ୍ରକାର ଫଳ ସହ ଶାଢୀ, ଚୁଡି, ସିନ୍ଦୁର ଆଦି ସାଙ୍ଗରେ ନେଇ ପହଞ୍ôଚଥିଲେ ପାରଳାଖେମୁଣ୍ଡି ସହରର ଶ୍ୟାମାକାଳୀ ମନ୍ଦିରରେ । ଏହାପରେ ଗୁରୁଙ୍କ ପାଦ ଛୁଇଁ ଆଶିର୍ବାଦ ନେବା ସହ ଗୁରୁଙ୍କ ପାଦୁକା ପାନ କରିବା ପରେ ପ୍ରସାଦ ସେବନ କରିଥିଲେ । କିନ୍ନରମାନେ ନିଜ ଘର ଛାଡି ବାହାରକୁ ଚାଲି ଆସିଥିବାରୁ ନିଜ ଗୁରୁହିଁ ସେମାନଙ୍କ ପାଇଁ ବାପା, ମାଁ, ସ୍ୱାମୀ ଓ ଦେବତା ଅଟନ୍ତି । ତେଣୁ ଗୁରୁଙ୍କ ମଙ୍ଗଳ ପାଇଁ ପ୍ରତିବର୍ଷ ଏହି ବ୍ରତ ପାଳନ କରୁଥିବା ସେମାନେ କହିଛନ୍ତି ।

Leave A Reply

Your email address will not be published.