ଖସୁଛି ମୋଦିଙ୍କ ଲୋକପ୍ରିୟତା

0 71

ନୂଆଦିଲ୍ଲୀ, ୧୮ ।୬: ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ ତାଳ ଦେଇ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ବା ଆପ୍ରୁଭାଲ ପଏଣ୍ଟ ମଧ୍ୟ ଖସିବାରେ ଲାଗିଛି । ବର୍ଷକ ମଧ୍ୟରେ ମୋଦିଙ୍କ ଆପ୍ରୁଭାଲ ୨୦ ପଏଣ୍ଟ ହ୍ରାସ ପାଇଥିବା ଆମେରିକାର ଗୋଟିଏ ସର୍ଭେ ସଂସ୍ଥା ରିପୋର୍ଟ ପ୍ରକାଶ କରିଛି । ୨୦୧୯ ଅଗଷ୍ଟରେ ଯେତେବେଳେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହ ଏହାକୁ ଦୁଇ ଭାଗ କଲେ ସେତେବେଳେ ମୋଦିଙ୍କ ଲୋକପ୍ରିୟତା ୮୨% ଥିଲା । କିନ୍ତୁ ଏବେ ଏହା ୬୬%କୁ ଖସି ଆସିଛି । ବିଶ୍ୱସ୍ତରୀୟ ନେତାଙ୍କ ଲୋକପ୍ରିୟତାକୁ ଟ୍ରାକ କରୁଥିବା ଆମେରିକୀୟ ସଂସ୍ଥା ମର୍ଣ୍ଣିଂ କନସଲ୍ଟ ଏପରି ରିପୋର୍ଟ ଦେଇଛି । ମୋଦିଙ୍କ ଲୋକପ୍ରିୟତା ୬୬%କୁ ଖସିଥିଲେ ହେଁ ବିଶ୍ୱର ଅନ୍ୟ ୧୩ ଶକ୍ତିଶାଳୀ ରାଷ୍ଟ୍ରର ମୁଖିଆଙ୍କ ତୁଳନାରେ ଏହା ସର୍ବାଧିକ । ଆମେରିକା, ରୁଷ, ବ୍ରିଟେନ ଓ ଅଷ୍ଟ୍ରେଲିଆ ଓ କାନାଡାର ମୁଖିଆଙ୍କ ତୁଳନାରେ ମୋଦିଙ୍କ ରେଟିଂ ପଏଣ୍ଟ ଅଧିକ ରହିଛି । ମର୍ଣ୍ଣିଂ କନସଲ୍ଟ ପକ୍ଷରୁ କରାଯାଇଥିବା ସର୍ଭେ ବେଳେ ଭାରତର ବିଭିନ୍ନ ପ୍ରାନ୍ତରରେ ରହୁଥିବା ୨,୧୨୬ ଜଣଙ୍କ ମତାମତ ନିଆଯାଇଥିଲା । ଏମାନଙ୍କ ମଧ୍ୟରୁ ୬୬% ମୋଦିଙ୍କୁ ପସନ୍ଦ କରିଥିବା ବେଳେ ୨୮% ଲୋକ ତାଙ୍କ ବିପକ୍ଷରେ ମତ ଦେଇଛନ୍ତି । ୨୦୧୯ ଅଗଷ୍ଟରେ ମୋଦିଙ୍କ ସପକ୍ଷରେ ୮୨% ଓ ବିପକ୍ଷରେ ୧୧% ଲୋକ ମତ ଦେଇଥିଲେ । ମୋଦିଙ୍କ ବ୍ୟତୀତ ଅନ୍ୟ ରାଷ୍ଟ୍ରର ମୁଖିଆମାନଙ୍କ ରେଟିଂ ପଏଣ୍ଟ ସଂସ୍ଥା ଜାରି କରିଛି । କମ୍ପାନୀ ଜାରି କରିଥିବା ତାଲିକା ଅନୁଯାୟୀ ମୋଦିଙ୍କ ଲୋକପ୍ରିୟତା ୬୬% ଥିବା ବେଳେ ଜର୍ମାନୀର ଆଞ୍ଜେଲା ମୋର୍କେଲ ୫୩%, ଆମେରିକାର ଜୋ ବାଇଡେନ ୫୩%, କାନାଡାର ଜଷ୍ଟିନ ଟ୍ରୁଡୋ ୪୮%, ବ୍ରିଟେନର ବୋରିସ ଜନସନ ୪୪%, ଦକ୍ଷିଣ କୋରିଆର ମୁନ୍-ଜାଇ-ଇନ ୩୭%, ସ୍ପେନର ପେଡ୍ରୋ ସାଞ୍ଚେଜ ୩୬%, ବ୍ରାଜିଲର ଜାଇର ବୋଲସୋନାରୋ ୩୫%, ଫ୍ରାନ୍ସର ଇମାନ୍ୟୁଏଲ ମାର୍କନ ୩୫%, ଜପାନର ୟୌଶିହିଡେ ସୁଗା ୨୯%, ଇଟାଲୀର ମାରିଓ ଡ୍ରଘି ୬୫%, ମେକ୍ସିର ଆଣ୍ଡ୍ରେସ ମାନ୍ୟୁଏଲ ଲୋପେଜ ଓବ୍ରାଡୋର ୬୩% ଓ ଅଷ୍ଟ୍ରେଲିଆର ସ୍କଟ ମୋରିସନ ୫୪% ଲୋକପ୍ରିୟତା ହାସଲ କରିଛନ୍ତି । ମହାମାରୀ କରୋନାକୁ ମୁକିବିଲା କରିବାରେ ମୋଦି ସରକାର ଫେଲ ହୋଇଥିବା ଲୋକମାନେ କହୁଛନ୍ତି । କରୋନା ବ୍ୟାପିଥିଲେ ହେଁ ବିଭନ୍ନ ସ୍ଥାନରେ ହସ୍ପିଟାଲରେ ବେଡ୍ ଓ ଅକ୍ସିଜେନର ଅଭାବ ଦେଖିବାକୁ ମିଳୁଛି । ଏହବାଦ୍ ନଦୀରେ ଶହଶହ ଶବ ଭାସି ଘଟଣାର କୁପ୍ରଭାବ ମଧ୍ୟ ମୋଦିଙ୍କ ଲୋକପ୍ରିୟତା ଉପରେ ପଡ଼ିଥିବା ଆଶଙ୍କା କରାଯାଉଛି । ଏହାପୂର୍ବରୁ ପକ୍ଷରୁ ସହରାଞ୍ଚଳରେ ମୋଦିଙ୍କ ଲୋକପ୍ରିୟତା ଜାଣିବାକୁ ସର୍ଭେ କରାଯାଇଥିଲା । ସର୍ଭେରୁ ଜଣାପଡ଼ିଥିଲା ଯେ ମହାମାରୀକୁ ମୁକାବିଲା କରିବାରେ ସରକାର ସଂପୂର୍ଣ୍ଣ ବିଫଳ ହୋଇଥିବା ଲୋକମାନେ କହିଛନ୍ତି । ବିଶେଷ କରି ଫେବୃଆରୀ ମାସ ଠାରୁ ମୋଦି ସରକାର ଉପରେ ଲୋକମାନେ ନିଜର ଆସ୍ଥା ହରାଇବା ଆରମ୍ଭ କରିଛନ୍ତି । ଏପ୍ରିଲ ଶେଷ ସୁଦ୍ଧା କେବଳ ୫୯% ଲୋକ ସରକାର ମହାମାରୀ କରୋନାକୁ ଠିକ ଭାବେ ମୁକାବିଲା କରିବାକୁ ସକ୍ଷମ ହେଉଥିବା କହିଛନ୍ତି । ପ୍ରଥମ ୱେଭ ବେଳେ ୮୯% ଲୋକ ସରକାରଙ୍କ ବିଭିତ୍ତ ପଦକ୍ଷେପକୁ ସମର୍ଥନ କରିଥିଲେ । ତେଣୁ କରୋନା ମାମଲା ବଢ଼ିବା ସହ ମୋଦିଙ୍କ ଲୋକପ୍ରିୟତା କମିବା ଆରମ୍ଭ ହୋଇଛି ।

Leave A Reply

Your email address will not be published.