ନନ୍ଦିଗ୍ରାମ ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ: ଜୁନ ୨୪କୁ ଘୁଞ୍ଚିଲା ଶୁଣାଣି

0 74

କୋଲକାତା, ୧୮ ।୬ : ନନ୍ଦିଗ୍ରାମ ବିଧାନସଭା ନିର୍ବାଚନରେ ନିର୍ବାଚନ କମିଶନର ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ବିଜୟୀ ଘୋଷଣା କରିଛନ୍ତି । ଏହାପରେ କୋଲକାତା ହାଇକୋର୍ଟରେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି ପରାଜିତ ଟିଏମସି ପ୍ରାର୍ଥୀ ମମତା ବାନାର୍ଜୀ । ଆଜି ଏହି ମାମଲା କୋଲକାତା ହାଇକୋର୍ଟରେ ହେବାର ଥିଲା । କିନ୍ତୁ ହାଇକୋର୍ଟ ଏହି ମାମଲାକୁ ଜୁନ୍ ୨୪ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି । ଆଜି କେବଳ କୋର୍ଟରେ ଏହି ମାମଲା ଲିଷ୍ଟିଂ ହୋଇଛି । ଶୁକ୍ରବାର ଦିନ ୧୧ଟା ବେଳେ କୋଲକାତା ହାଇକୋର୍ଟର ବିଚାରପତି ଜଷ୍ଟିସ କୌଶିକ ଚନ୍ଦ୍ରଙ୍କ କୋର୍ଟରେ ମମତା ବାନାର୍ଜୀଙ୍କ ଦ୍ୱାରା ଦାୟର ହୋଇଥିବା ଆବେଦନ ଉପସ୍ଥାପନ କରାଯାଇଥିଲା । ଉଲ୍ଲେଖ ସମୟରେ ବିଚାରପତି କହିଥିଲେ ସାଧାରଣତଃ ନିର୍ବାଚନ ସହ ଜଡିତ ମାମଲାରେ ଆବେଦନକାରୀ ନିଜେ ଉପସ୍ଥିତ ରହିବାକୁ ପଡେ । ତେଣୁ ଆବେଦନକାରୀ ଉପସ୍ଥିତ ରହିବେ କି ବୋଲି ପଚାରିଥିଲେ । ଏହା ଉପରେ ମମତା ବାନାର୍ଜୀଙ୍କ ଓକିଲ କହିଛନ୍ତି ଯେ ନିୟମ ପାଳନ କରାଯିବ । ତେଣୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଭିଡିଓ କନଫରେନସିଂ ଜରିଆରେ ଉପସ୍ଥିତ ରହିପାରନ୍ତି । କିନ୍ତୁ ଟିଏମସି କି ମମତାଙ୍କ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ । ନନ୍ଦିଗ୍ରାମ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ବେଳେ ନିର୍ବାଚନ କମିଶନର ପାତର ଅନ୍ତର କରିଥିବା ମମତା ଅଭିଯୋଗ କରିଛନ୍ତି । ଭୋଟ ଗଣତିରେ ହେରଫେର କରାଯାଇ ତାଙ୍କ ପ୍ରତିଦ୍ୱନ୍ଦୀଙ୍କୁ ବିଜୟୀ କରାଯାଇଛି ବୋଲି ମମତା ଅଭିଯୋଗ କରିଛନ୍ତି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଏକ ଚର୍ଚ୍ଚିତ ଆସନ ଥିଲା । ମମତା ବାନାର୍ଜୀ ନିଜ ଆସନ ଭବାନୀପୁରକୁ ଛାଡ଼ି ଶୁଭେନ୍ଦୁ ଅଧିକାରୀଙ୍କ ସହ ନନ୍ଦିଗ୍ରାମରୁ ପ୍ରତିଦ୍ୱନ୍ଦ୍ୱୀ କରିଥିଲେ । ଉଭୟ ନେତା ବିଜୟୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ହେଲେ ଶେଷରେ ନିର୍ବାଚନ କମିଶନଙ୍କ ରାୟ ପରେ ମମତା ମାଟି କାମୁଡିଥିଲେ । ଯଦିଓ ଏହାପରେ ମମତା ବାନାର୍ଜୀ ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ହେଲେ ସେ ନନ୍ଦିଗ୍ରାମ ପରାଜୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

Leave A Reply

Your email address will not be published.