ଓଡ଼ିଶାରେ ଦ୍ୱିତୀୟ ବିମାନ ବନ୍ଦର

ଇତି ମଧ୍ୟରେ ଓଡ଼ିଶାରେ ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ସ୍ଥାନ ନିରୂପିତ ହୋଇଯାଇଛି । ପୁରୀ -ବ୍ରହ୍ମଗରି ରାସ୍ତାରେ ସିପସରୁବାଲି ଠାରେ ଏହା ନିର୍ମାଣ କରାଯିବ । ଗତ ସପ୍ତାହରେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ଅଧିକାରୀ ମାନେ ସ୍ଥାନ ସର୍ଭେ ଶେଷ କରିଥିଲେ । ବ୍ରହ୍ମଗିରି-ଗିରଲା ନିକଟରେ ୧୫୦୦ ଏକର ଜମିକୁ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ମଞ୍ଜୁରୀ ଦେଇଛି । ଏଏ ଆଇର ଅଧିକାରୀ ମାନେ ୪ଟି ଜାଗା ବୁଲି ଦେଖିଥିଲେ । ସେଥିମଧ୍ୟରୁ ଗିରଲା/ସିପିସରୁବାଲିକୁ ସେମାନେ ଚୂଡାନ୍ତ କରିଛନ୍ତି । ସବୁ ଦୃଷ୍ଟିରୁ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ଏହି ଜାଗାଟି ହିଁ ଠିକ ବୋଲି ଛଅ ଜଣିଆ ଟିମ ଅନୁଭବ କରିଥିଲେ ।

ସ୍ଥାନର ଭୌଗୋଳିକ ଅବସ୍ଥିତି, ଅବତରଣ ଓ ଉଡାଣ ପାଇଁ ରନୱେ, ପବନର ଗତି,ରାସ୍ତା ସଂଯୋଗ ଓ ଅର୍ଥନୈତିକ ବିକାଶ ଏ ସବୁ ଦୃଷ୍ଟିରୁ ସିପସରୁବାଲିକୁ ବଛାଯାଇଛି । ପ୍ରସଙ୍ଗତଃ ଓଡ଼ିଶାରେ ଦ୍ୱିତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ମୁଖ୍ୟମବୀ ନବୀନ ପଟନାୟକ ପ୍ରଧାନମବୀ ନରେନ୍ଦ୍ର ମୋଦିଙ୍କ ପାଖକୁ ନୂଆବର୍ଷରେ ଚିଠି ଲେଖି ଅନୁରୋଧ ଜଣାଇଥିଲେ । ବର୍ତ୍ତମାନ ତାହା ଫଳବତୀ ହେବାକୁ ଯାଉଛି । ଓଡ଼ିଶାର ସମୂହ ସ୍ୱାର୍ଥ ପାଇଁ ନବୀନ ପଟନାୟକଙ୍କ ସରକାର କୌଣସି ଉଦ୍ୟମକୁ ହାତଛଡ଼ା କରୁନାହାନ୍ତି ଏହା କହିବା ଅନାବଶ୍ୟକ ।

ପୁରୀରେ ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପଛରେ ବଡ଼ ଯୁକ୍ତି ହେଲା ଯେ ଏହା ରାଜ୍ୟର ପର୍ଯ୍ୟଟନ ବିକାଶରେ ସହାୟକ ହେବ । ଯେହେତୁ ପୁରୀ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଦେଶ ବିଦେଶରୁ ଶ୍ରଦ୍ଧାଳୁ ଆସିଥାନ୍ତି, ପୁରୀ ଠାରେ ଏକ ବିମାନ ବନ୍ଦର ପ୍ରତିଷ୍ଠା ହେଲେ ସେମାନଙ୍କର ଆଗମନ ଓ ପ୍ରସ୍ଥାନ ସହଜସାଧ୍ୟ ହୋଇ ପାରିବ । ଅଧିକନ୍ତୁ ପୁରୀର ବେଳାଭୂମି ମଧ୍ୟ ବହୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ପୁରୀ ସହର ପାଖରେ ଏକ ବିମାନ ବନ୍ଦର ହେଲେ ସେହି ଅଞ୍ଚଳର ଅର୍ଥନୈତିକ ବିକାଶ ବି ସାଧିତ ହେବ ଯାହା ଏବେ କେବଳ ଶ୍ରୀମନ୍ଦିର ଉପରେ ନିର୍ଭରଶୀଳ ।

ବର୍ତ୍ତମାନ ଭୁବନେଶ୍ୱର ବିମାନ ବନ୍ଦର ହିଁ ଓଡ଼ିଶାର ବିମାନ ଯାତ୍ରୀଙ୍କ ପାଇଁ ଏକ ମାତ୍ର ସମ୍ବଳ । ପୁରୀରେ ଯେତେବେଳେ ଦ୍ୱିତୀୟ ବିମାନ ବନ୍ଦର ହେବ ତାହା ରାଜ୍ୟର ମୁଖ୍ୟ ବିମାନ ବନ୍ଦର ହେବ ବୋଲି ଆକଳନ କରାଯାଇଛି । ଏହାର କାରଣ ବି ରହିଛି । ଭୁବନେଶ୍ୱର ବିମାନ ବନ୍ଦରର ସମ୍ପ୍ରସାରଣ ପାଇଁ ବିଶେଷ ସୁଯୋଗ ନାହିଁ । ସୁତରାଂ ଭବିଷ୍ୟତରେ ପୁରୀ ମୁଖ୍ୟ ବିମାନ ବନ୍ଦର ହେବ ଏବଂ ବିଜୁ ପଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଆଭ୍ୟନ୍ତରୀଣ ଫ୍ଲାଇଟ ଚଳାଚଳରେ ସୀମିତ ରହିବ । ପୁରୀ ଓଡ଼ିଶାର ମୁଖ୍ୟ ବିମାନ ବନ୍ଦର ହେବା ଦ୍ୱାରା ଆହୁରି ଅନେକ ବିକାଶ ବି ସାଧିତ ହେବ ।

ଯେହେତୁ ପୁରୀ ଦୁଇଟି ରାମସର ସାଇଟ ଯଥା ଚିଲିକା ହ୍ରଦ ଓ ଭିତରକନିକା ଅଭୟାରଣ୍ୟର ପାଖାପାଖି ରହିଛି । ବିଦେଶୀ ପର୍ଯ୍ୟଟକମାନେ ସହଜରେ ଏହି ସବୁ ସ୍ଥାନକୁ ଯାଇପାରିବେ । ପୁରୀର ଅନ୍ୟ ଏକ ସୁବିଧା ହେଉଛି ସମୂଦ୍ରପଥ ଦେଇ ଏହା ଗୋପାଳପୁର ପାରାଦୀପ ଓ ଧାମରା ବନ୍ଦର ସହିତ ଯୋଡ଼ି ହୋଇପାରିବ । ସବୁଠାରୁ ବଡ଼ କଥା ହେଉଛି ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ହେଲେ ଓଡ଼ିଶାର ବୌଦ୍ଧ ବିହାର ଓ ପର୍ଯ୍ୟଟନ କ୍ଷେତ୍ର ଗୁଡିକର ମଧ୍ୟ ଅଧିକ ବିକାଶ ହୋଇପାରିବ ।

ପୁରୀ,ଭୁବନେଶ୍ୱର ଓ କୋଣାର୍କକୁ ନେଇ ଯେଉଁ ସ୍ୱର୍ଣ୍ଣ ତ୍ରିଭୁଜର ପରିକଳ୍ପନା କରାଯାଇଥିଲା ତାହାର ସମୁଚିତ ବିକାଶ ପାଇଁ ପୁରୀ ଅନ୍ତର୍ଜାତୀୟ ବିମାନ ବନ୍ଦର ସହାୟକ ହେବ ଏଥିରେ ଦ୍ୱିମତ ନାହିଁ । କୋଭିଡ ମହାମାରୀ ଆସିବା ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀଙ୍କ ଯିବା ଆସିବା ବାର୍ଷିକ ୩୦ ପ୍ରତିଶତ ବୃଦ୍ଧି ପାଇଥିବାରୁ ଆଗାମୀ ଦିନରେ ଯାତ୍ରୀଙ୍କ ଏହି ବର୍ଦ୍ଧିତ ସଂଖ୍ୟାକୁ ଲକ୍ଷ୍ୟ କଲେ ଯେତେଶୀଘ୍ର ପୁରୀ ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ ଶେଷ ହେବ ଓଡ଼ିଶାର ପର୍ଯ୍ୟଟନ ଅର୍ଥନୀତି ସେତେ ବ୍ୟାପକ ଓ ସମ୍ପ୍ରସାରିତ ହେବ ।

Leave a Reply

Your email address will not be published. Required fields are marked *