ଶ୍ରମିକ ଭାବେ କାର୍ଯ୍ୟରତ ୧୦ମ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣା, ଆନ୍ଧ୍ରରେ ଅନ୍ତେଷ୍ଠିକ୍ରିୟା

0 55


ପାରଳାଖେମୁଣ୍ଡି, ୧ା୮ : ଆନ୍ଧ୍ରପ୍ରଦେଶର ଗୁଣ୍ଟୁରୁର ଏକ ମାଛ ଫାର୍ମରେ ଶ୍ରମିକ ଭାବେ କାର୍ଯ୍ୟରତ ଥିବା ବେଳେ ବିଦ୍ୟୁତ ଦୁର୍ଘଟଣାରେ ଓଡିଶାର ୬ ଜଣ ଶ୍ରମିକ ପ୍ରାଣ ହରାଇଥିଲେ । ଏଥି ମଧ୍ୟରୁ ଗଜପତି ଜିଲ୍ଲାର ଜଣେ ଏହି ଘଟଣାରେ ମୃତୁବରଣ କରିଛନ୍ତି । ମୃତ୍ୟୁବରଣ କରିଥିବା ଜଣକ ହେଲେ ଗଜପତି ଜିଲ୍ଲାର ସାନତୁଣ୍ଡି ଗ୍ରାମର ଦଶମ ଶ୍ରେଣୀ ଛାତ୍ର ମହେନ୍ଦ୍ର ଶବର (୧୫) । ମୃତ ମହେନ୍ଦ୍ରଙ୍କ ମୃତ୍ୟୁ ଖବର ପାଇ ତାଙ୍କ ପିତା ଏବଂ ଅନ୍ୟ ଜଣେ ସମ୍ପର୍କୀୟ ମୃତ ଦେହକୁ ଏଠାକୁ ଆଣିବାପାଇଁ ଆନ୍ଧ୍ରର ଗୁଣ୍ଟୁରୁ ସହରକୁ ଯାଇଥିଲେ । ହେଲେ ସେଠାରୁ ମୃତ ଦେହକୁ ନିଜ ଗ୍ରାମକୁ ଆଣିବା ପାଇଁ ଆନ୍ଧ୍ର ଆମ୍ବୁଲାନ୍ସ ମାଲିକର ଦାବି ଅନୁଯାୟୀ ଟଙ୍କା ନଥିବାରୁ ବାଧ୍ୟ ହୋଇ ଆନ୍ଧ୍ରର ଗୁଣ୍ଟୁରୁ ଠାରେ ତାର ଅନ୍ତେଷ୍ଠିକ୍ରୀୟା କରିଥିବା ସୂଚନା ମିଳିଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ଏହି ଘଟଣା ନେଇ ଡିଷ୍ଟ୍ରିକ୍ଟ ଚାଇଲ୍ଡ ପ୍ରୋଟେକ୍ସନ ଅଫିସର ଅରୁଣ କୁମାର ତ୍ରିପାଠୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ମୃତ ଛାତ୍ରଙ୍କ ପରିବାର ଲୋକେ ପ୍ରଶାସନ କିମ୍ବା ଆମକୁ କୌଣସି ଭାବେ ନ ଜଣାଇ ମୃତ ଦେହକୁ ଆଣିବା ପାଇଁ ଆନ୍ଧ୍ରର ଗୁଣ୍ଟୁରୁ ଯାଇଥିଲେ । ଗତକାଲି ମୃତ ୧୦ମ ଶ୍ରେଣୀ ଛାତ୍ରର ଶବକୁ ସେଠାରେ ଅନ୍ତେଷ୍ଟିକ୍ରୀୟା ସମାପନ କରାଯାଇଥିବା ଖବର ଆମେ ପାଇଛୁ । ହେଲେ ଗଜପତିରେ ଥିବା ତାଙ୍କ ଗ୍ରାମକୁ ଶବ ନଆଣି ସେଠାରେ କାହିଁକି କଲେ ତାହାର ଖବର ଆମ ପାଖରେ ନାହିଁ । ମୃତ ଛାତ୍ରଙ୍କ ପରିବାରବର୍ଗ ପ୍ରଶାସନକୁ ଜଣାଇ ମୃତ ଦେହ ଆଣିବାକୁ ଯାଇଥିଲେ ସରକାରୀ ନିୟମ ଅନୁଯାୟୀ ପ୍ରଶାସନ ନିଶ୍ଚିତ ଭାବେ ବିହିତ ସହଯୋଗ କରିଥାନ୍ତେ ।

Leave A Reply

Your email address will not be published.