ଫାଟୁସିନେରୀ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି: ଓଡ଼ିଶା କଲା ବ୍ୟାରିକେଡ

0 57

କୋରାପୁଟ : କୋଟିଆକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ବିବାଦ ଥମିବା ନାଁ ଧରୁ ନଥିବା ବେଳେ ଏବେ ଫାଟୁସିନେରୀକୁ ନେଇ ୨ ରାଜ୍ୟ ମଧ୍ୟରେ ଦେଖାଦେଇଛି ଛକାପଞ୍ଝା ସ୍ଥିତି । ଆନ୍ଧ୍ରପ୍ରଦେଶ ସାଲୁର ବିଧାୟକଙ୍କ ଫାଟୁସିନେରୀ ଆସିବାର କାର୍ଯ୍ୟକ୍ରମ ଥିବା ବେଳେ ଏହାକୁ ବିରୋଧ କରି ଫାଟୁସିନେରୀରେ ତିଆରି ହୋଇଛି ବ୍ୟାରିକେଡ । ଏଥିସହ ୫ ପ୍ଲାଟୁନ୍ ଫୋର୍ସ ବି ମୁତୟନ କରାଯାଇଛି । ବରିଷ୍ଠ ପୋଲିସ୍, ପ୍ରଶାସନିକ ଅଧିକାରୀ ଓ ରାଜନେତା ବି ଘଟଣାସ୍ଥଳରେ ମହଜୁଦ ଥିବା ଜଣାଯାଇଛି ।

ସୂଚନା ଅନୁଯାୟୀ,ଓଡିଶା ଓ ଆନ୍ଧ୍ରପ୍ରଦେଶ ସୀମାନ୍ତ କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତ ଅନ୍ତର୍ଗତ ଫାଟୁସିନେରୀରେ ଆନ୍ଧ୍ରପ୍ରଦେଶର ସାଲୁର ବିଧାୟକ ରାଜନ ଦୋରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ତାଙ୍କ ସହ ପାର୍ବତିପୁରମ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା । ଓଡିଶା ମାଟିରେ ଆନ୍ଧ୍ରର ଏପରି କାର୍ଯ୍ୟକ୍ରମକୁ ଜିଲ୍ଲାର ରାଜନୈତିକ ନେତୃବୃନ୍ଦ ତୀବ୍ର ବିରୋଧ କରିଥିଲେ । ଜିଲ୍ଲା ପ୍ରଶାସନ ତଥା ପୋଲିସ ପ୍ରଶାସନ ଉପସ୍ଥିତ ଥିବାବେଳେ ଏହି କାର୍ଯ୍ୟକ୍ରମ ସ୍ଥଳୀକୁ ଆନ୍ଧ୍ରପ୍ରଦେଶ ଆଡୁ କାହାରିକୁ ପ୍ରବେଶ କରିବାକୁ ଦିଆଯାଇନାହିଁ । ଫାଟୁସିନେରୀ ଓ ଆନ୍ଧ୍ରପ୍ରଦେଶର ନନ୍ଦା ଗ୍ରାମ ମଧ୍ୟରେ ଥିବା ରାସ୍ତାକୁ ଓଡିଶା ପୋଲିସ ଦ୍ୱାରା ବ୍ୟାରିକେଡ ଯୋଗେ ଅବରୋଧ କରାଯାଇଥିଲା । ସାଂସଦ ଜୟରାମ ପାଙ୍ଗି, ବରିଷ୍ଠ ବିଜେଡି ନେତା ରବି ନନ୍ଦଙ୍କ ସମେତ ଜିଲ୍ଲାର ବହୁ ରାଜନୈତିକ ଦଳର ନେତୃବୃନ୍ଦ ତଥା ଆମ କୋଟିଆ ସଂଗଠନର ସଦସ୍ୟ ଏହି ବ୍ୟାରିକେଡ ଲଗାଯାଇଥିବା ସ୍ଥାନରେ ଉପସ୍ଥିତ ରହି ପରିସ୍ଥିତି ତଦାରଖ କରୁଥିବା ଦେଖାଯାଇଛି ।

ସୂଚନାଯୋଗ୍ୟ, କୋଟିଆ ପଞ୍ଚାୟତର ୨୧ଟି ଗ୍ରାମ ଉପରେ ଅଧିକାରକୁ ନେଇ ଉଭୟ ରାଜ୍ୟ ଉଚ୍ଚତମ ନ୍ୟାୟାଳୟରେ ଅନେକ ଦିନ ଧରି ଆଇନଗତ ଲଢେଇ ଜାରି ରହିଛି । ଅପରପକ୍ଷେ ଫାଟୁସିନେରୀକୁ ଆନ୍ଧ୍ର ସରକାର ପଞ୍ଚାୟତର ମାନ୍ୟତା ଦେଇ ବିଗତ ଦିନରେ ନିର୍ବାଚନ ମଧ୍ୟ ଅନୁଷ୍ଠିତ କରାଇଛି । ଏନେଇ ସାଂସଦ ଜୟରାମ ପାଙ୍ଗି କହିଛନ୍ତି,ଏହା କୋଟିଆ ବିବାଦ ନୁହେଁ । ଏଠାରେ ସମସ୍ତ ଉନ୍ନୟନମୂଳକ କାମ ଓଡ଼ିଶା କଲା । ଆନ୍ଧ୍ର କେବେବି ଏହାକୁ ନେଇପାରିବ ନାହିଁ । ବରିଷ୍ଠ ବିଜେଡି ନେତା ରବି ନନ୍ଦ କହିଛନ୍ତି କୋଟିଆ ଆମର । ସେଠାରେ ଅଧିବାସୀ ଆମର । କୋଟିଆ ପାଇଁ ସର୍ବସ୍ୱ ତ୍ୟାଗ କରିବୁ । ଏଠି କେହି ଅନୁପ୍ରବେଶ କରିବାକୁ ବା ଚକ୍ରାନ୍ତ କରିବାକୁ ଚେଷ୍ଟା କଲେ ଓଡ଼ିଶାବାସୀ ତାଙ୍କୁ ଛାଡ଼ିବେନି ।

Leave A Reply

Your email address will not be published.