ତାଲିବାନ୍ ଭୟରେ ଥରହର ଆଫଗାନ୍ ବାସୀ : ରାଜରାସ୍ତାରେ ମହିଳାଙ୍କ ବିକ୍ଷୋଭ

0 66

-ସରକାର ଗଠନ ନେଇ ଟପ୍ ତାଲିବାନ ନେତାଙ୍କ ଆଲୋଚନା
-ପୂର୍ବତନ ରାଷ୍ଟ୍ରପତିଙ୍କ ସହ ରୁଦ୍ଧଦ୍ୱାର ବୈଠକ
-ଘନିଙ୍କୁ ଗିରଫ ଦାବି ଜୋର୍ ଧରିଲା

କାବୁଲ : ଆଫଗାନରେ ସରକାର ଗଠନ କରିବାକୁ ତତ୍ପର ହୋଇ ଉଠିଛି ତାଲିବାନ । ଏଥିପାଇଁ ବିଚାରବିମର୍ଶ ଆରମ୍ଭ କରିଛନ୍ତି ଟପ୍ ତାଲିବାନୀ ନେତା । କାତାରରୁ ଆସି କାନ୍ଦାହାରରେ ପହଞ୍ଚିଛନ୍ତି ତାଲିବାନର ନମ୍ବର-୨ ନେତା ମୁଲ୍ଲା ଅବଦୁଲ ଗନ୍ନି ବରାବର । ବରାବରଙ୍କ ସମେତ ତାଲିବାନ୍ର ଧାର୍ମିକ ନେତା ହେପାତୁଲ୍ଲା ଅଖୁନ୍ ରାଜା, ତାଲିବାନ୍ ପ୍ରତିଷ୍ଠାତା ମୁଲ୍ଲା ଓମାନଙ୍କ ପୁଅ ମୁଲା ୟାକୁବ୍ ଓ ତାଲିବାନ୍ଙ୍କ କମାଣ୍ଡର ତଥା ଆତଙ୍କବାଦୀ ସଂଗଠନ ହକ୍କାନୀ ନେଟ୍ୱର୍କ ମୁଖ୍ୟଙ୍କ ପୁଅ ସିରାଜୁଦ୍ଦିନ୍ ହକ୍ତାନୀ ସରକାର ଗଠନର ରୂପରେଖ ନେଇ ଆଲୋଚନା ଜାରି ରଖିଛନ୍ତି । ଆଜି ପୂର୍ବତନ ରାଷ୍ଟ୍ରପତି ହମିଦ୍ କରଜାଇ ଓ ଅସରଫ୍ ଘନି ସରକାରରେ ଚିଫ୍ ଏକ୍ଜିକ୍ୟୁଟିଭ୍ ଥିବା ଅବଦୁଲ୍ଲା ଅବଦୁଲ୍ଲାଙ୍କୁ ଏହି ଟପ୍-୪ ନେତା ଭେଟି ଆଲୋଚନା କରିଛନ୍ତି ।

ସୂଚନାଯୋଗ୍ୟ ଯେ ହମିଦ୍ କାରଜାଇ ୨୦୦୧ ସେପ୍ଟେମ୍ବରରୁ ୨୦୧୪ ଯାଏଁ ଆଫଗାନିସ୍ତାନର ରାଷ୍ଟ୍ରପତି ଥିଲେ । ସେହିପରି ଅବଦୁଲ୍ଲା ଅବଦୁଲ୍ଲା ୨୦୧୪-୨୦୨୦ ଯାଏଁ ପୂର୍ବତନ ରାଷ୍ଟ୍ରପତି ଅସରଫ୍ ଘନି ସରକାରରେ ଚିଫ୍ ଏକଜିକ୍ୟୁଟିଭ୍ ଥିଲେ । ଅବଦୁଲ୍ଲା ଅବଦୁଲ୍ଲା ୨୦୦୨ରୁ ୨୦୦୫ ପର୍ଯ୍ୟନ୍ତ କରଜାଇଙ୍କ ସରକାରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିଲେ । ୨୦ ବର୍ଷ ନିର୍ବାସନ ପରେ ଏବେ ଆଫଗାନ୍ରେ କ୍ଷମତାକୁ ଫେରିଛି ତାଲିବାନ୍ । ଏହି ତାଲିବାନ୍ ଗୋଟିଏପଟେ ସରକାର ଗଠନ ନେଇ ପ୍ରକ୍ରିୟା ଚଳାଇଥିବା ବେଳେ ଅନ୍ୟପକ୍ଷରେ ଆଫଗାନିସ୍ତାନରେ ନିଜର ସ୍ଥିତି ମଜବୁତ୍ କରିବାରେ ଲାଗିଛି । ଦେଶର ମିଲିଟାରୀ ହେଲିକପ୍ଟରକୁ ନିଜ କବ୍ଜାକୁ ନେଇଥିବା ଚିତ୍ର ଏବେ ସାମ୍ନାକୁ ଆସିଛି । ଆମେରିକାର ବ୍ଲାକ୍ ହକ୍ ହେଲିକପ୍ଟର ଓ ସୋଭିଏତ୍ ଦ୍ୱାରା ପ୍ରସ୍ତୁତ ଏମ୍ଆଇ-୧୭ ହେଲିକପ୍ଟରକୁ ତାଲିବାନ୍ ନିଜ କବ୍ଜାକୁ ନେଇଛି ।

ସେହିପରି ଆଫଗାନ୍ ରେ ଜାତୀୟ ସୁରକ୍ଷା ବାହିନୀକୁ ବ୍ୟବହାର ପାଇଁ ଦିଆଯାଇଥିବା ଅସ୍ତ୍ରଶସ୍ତ୍ର ବି ତାଲିବାନ୍ ହାତକୁ ଚାଲିଯାଇଛି । ତାଲିବାନ୍ଙ୍କ ଭୟରେ ଥରହର ହେଉଛି ଆଫଗାନିସ୍ତାନ । ଲୋକେ ଦେଶ ଛାଡ଼ିବାକୁ ବ୍ୟାକୁଳ ହେଉଛନ୍ତି । ଏଭଳି ସ୍ଥିତିରେ ତାଲିବାନ୍ ବିରୋଧରେ କାବୁଲ୍ ରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ମହିଳା । ସେମାନଙ୍କ ଉପରେ ତାଲିବାନ୍ ପୁଣିଥରେ କଠୋର ଇସ୍ଲାମ୍ ନିୟମ ଲାଗୁ କରିପାରେ ବୋଲି ସେମାନେ ଆଶଙ୍କା କରିଛନ୍ତି । କିନ୍ତୁ ଆଫଗାନିସ୍ତାନ କବ୍ଜା କରିବା ପରେ ନିଜ ଛବିକୁ ସୁଧାରିବା ପାଇଁ ଉଦ୍ୟମ ଚଳାଇଛି ତାଲିବାନ୍ । କିନ୍ତୁ ହିଂସ୍ର ତାଲିବାନ୍ କଥାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଦେଶବାସୀ । ଅନ୍ୟପକ୍ଷରେ ଆଫଗାନିସ୍ତାନରେ ପଳାତକ ପୂର୍ବତନ ରାଷ୍ଟ୍ରପତି ଅସରଫ୍ ଘନିଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଇଣ୍ଟରପୋଲ୍ ନିକଟରେ ଦାବି କରିଛି କାଜାକିସ୍ତାନସ୍ଥିତ ଆଫଗାନିସ୍ତାନ ଦୂତାବାସ ।

ୟୁଏଇରେ ଘନି :

ଆଫଗାନିସ୍ତାନର ପଳାତକ ରାଷ୍ଟ୍ରପତି ଅଶରଫ ଘନି ୟୁନାଇଟେଡ ଅ।ରବ ଏମିରେଟ (ୟୁଏଇ)ରେ ଶରଣ ନେଇଛନ୍ତି । ୟୁଏଇ ମାନବୀୟ ଆଧାରରେ ଘନିଙ୍କୁ ଶରଣ ଦେଇଛି । ଘନିଙ୍କୁ ରାଜନୈତିକ ଶରଣ ଦିଆଯାଇଥିବା ନେଇ ୟୁଏଇ ବୁଧବାର ସ୍ପଷ୍ଟ କରିଛି । ଗତ ରବିବାର ତାଲିବାନ କାବୁଲ ଆକ୍ରମଣ କରିଥିଲେ । ଏଥିରେ ତାଲିବାନ ଯୋଦ୍ଧାମାନେ କାବୁଲ ପାଖାପାଖି ହେବା ପୂର୍ବରୁ ଘନି ଏକ ହେଲିକପ୍ଟରରେ ରାଜଧାନୀ ଛାଡିଥିଲେ । ତେବେ ସେ କୁଆଡେ ଗଲେ ସେ ନେଇ କୌଣସି ସୂଚନା କାହା ପାଖରେ ନଥିଲା । ହେଲେ ସେ କାବୁଲ ଛାଡିବା ପୂର୍ବରୁ ନିଜ ସାଙ୍ଗରେ ଏକ ହେଲିକପ୍ଟର ଓ ରାଷ୍ଟ୍ରପତି ଭାବେ ବ୍ୟବହାର କରୁଥିବା ଚାରୋଟି କାର ସମେତ ବିପୁଳ ଧନ ସମ୍ପତ୍ତି ସାଙ୍ଗରେ ନେଇ ଯାଇଥିବା ଋଷିୟ ଗଣମାଧ୍ୟମ ଦାବି କରିଥିଲା ।

Leave A Reply

Your email address will not be published.