ମାଲକାନଗିରିରୁ ସ୍ମାର୍ଟ ଯୁଗ ଆରମ୍ଭ : ପ୍ରତିଟି ଜୀବନ ମୋ ପାଇଁ ମୂଲ୍ୟବାନ

0 75

-ଚିକିତ୍ସାରେ ଅର୍ଥ କେବେ ବାଧକ ନହେଉ: ନବୀନ
-ଉପକୃତ ହେବେ ସାଢ଼େ ତିନିକୋଟି ହିତାଧିକାରୀ
-ସ୍ମାର୍ଟକାର୍ଡ ଦେବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ
-ସେପ୍ଟେମ୍ବର ପହିଲାରୁ ଆରମ୍ଭ, ନଭେମ୍ବରରେ ଶେଷ

ମାଲକାନଗିରି : ବଣ୍ଡା ଜନଜାତି ମହିଳା ଶୁକ୍ରୀ ଧାଙ୍ଗଡା ମାଝୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପ୍ରଥମ ସ୍ମାର୍ଟ ହେଲଥ୍ କାର୍ଡ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରିରରୁ ସ୍ୱାସ୍ଥ୍ୟସେବାର ଏହି ଐତିହାସିକ ଯାତ୍ରା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ସେ ଚାଷୀ ହେଉ ବା ମୂଲିଆ, ଛୋଟ ଦୋକାନୀ ହେଉ ବା ରିକ୍ସା ବାଲା, ଟ୍ରଲି ବାଲା କିମ୍ବା ଦୂର ଦୂରାନ୍ତରେ ରହୁଥିବା ଜନଜାତି ଭାଇ ଭଉଣୀ ବା ସାଧାରଣ ଲୋକ, ସେ ଗାଁରେ ରହୁ ବା ସହରରେ, ସମସ୍ତଙ୍କ ଜୀବନ ମୋ ପାଇଁ ମୂଲ୍ୟବାନ । ମୁଁ ଚାହେଁ ସମସ୍ତେ ସୁସ୍ଥ ରୁହନ୍ତୁ । ଚିକିତ୍ସା ପାଇଁ ଟଙ୍କା କେବେ ବାଧକ ନ ହେଉ । ସମସ୍ତେ ସୁସ୍ଥ ରହି ନିଜ ପରିବାରର ଉନ୍ନତି ପାଇଁ କାମ କରନ୍ତୁ । ପ୍ରତି ପରିବାରର ଉନ୍ନତିରେ ହିଁ ରାଜ୍ୟର ଉନ୍ନତି ବୋଲି ସେ କହିଥିଲେ ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳା ମାନଙ୍କ ପାଇଁ ଚିକିତ୍ସା ଖର୍ଚ୍ଚ ୧୦ ଲକ୍ଷ ଟଙ୍କାକୁ କିପରି ବୃଦ୍ଧି ହେଲା ସେ ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ୨୦୧୮ ମସିହାରେ ମାଲକାନଗିରି ପାଇଁ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଚାଲିଥିଲା । ମୁଁ ଲୋକସେବା ଭବନରୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି । ସେ ସଭାରେ ଝିଅଟିଏ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମା’ମାନଙ୍କ ପାଇଁ ଚିକିତ୍ସା ଖର୍ଚ୍ଚ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଲା । ଝିଅଟିର ସାହସ ଓ ବୁଦ୍ଧିକୁ ସମସ୍ତେ ସେ ଦିନ ତାରିଫ କରିଥିଲେ । ଝିଅଟି ଥିଲା ଆମ ମାଲକାନଗିରିର ମମତା ପଡିଆମୀ । ତାଙ୍କ ପ୍ରସ୍ତାବଟି ମୋତେ ବହୁତ ଭଲ ଲାଗିଥିଲା ଏବଂ ମୁଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କ ଚିକିତ୍ସା ସୁବିଧା ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଥିଲି ।

ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ, ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଆମେ ନୂଆ ରୂପରେ କାର୍ଯ୍ୟକାରୀ କରିବାକୁ ଯାଉଛୁ । ଏହି କାର୍ଯ୍ୟକ୍ରମ ମୁଁ ମାଲକାନଗିରିରୁ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଲି । ଆଗାମୀ ସେପ୍ଟେମ୍ବର ପହିଲାରୁ ଏହା ଲାଗୁ ହେବ । ରାଜ୍ୟର ୯୬ ଲକ୍ଷ ପରିବାରକୁ ଏହି କାର୍ଡ ଦିଆଯିବ ବୋଲି ପ୍ରକାଶ କରି ସେ କହିଲେ ଯେ, ରାଜ୍ୟର ସାଢେ ତିନି କୋଟି ଲୋକ ଉପକାର ପାଇବେ । ଏହି ନୂଆ ବ୍ୟବସ୍ଥାରେ ଆପଣଙ୍କୁ ହସ୍ପିଟାଲରେ କିଛି ଡକ୍ୟୁମେଣ୍ଟ ଦେବା ଦରକାର ହେବ ନାହିଁ ବୋଲି ସେ କହିଥିଲେ । କେବଳ ଏହି ସ୍ମାର୍ଟ ହେଲଥ୍ କାର୍ଡ ସାଥିରେ ନେଇ ହସ୍ପିଟାଲ ଯିବାକୁ ହେବ । ଦେଶର ୨୦୦ରୁ ଅଧିକ ବଡ ବଡ ହସ୍ପିଟାଲରେ ଏହି କାର୍ଡ ଜରିଆରେ ହିତାଧିକାରୀମାନେ ଚିକିତ୍ସା ସୁବିଧା ପାଇ ପାରିବେ । ଏହି କାର୍ଡରେ ପରିବାର ପାଇଁ ୫ ଲକ୍ଷ ଟଙ୍କା ଓ ମା’ ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ । ରାଜ୍ୟର ସବୁ ସରକାରୀ ହସ୍ପିଟାଲଗୁଡିକରେ ସମସ୍ତ ସ୍ୱାସ୍ଥ୍ୟସେବା ମାଗଣାରେ ପ୍ରଦାନ କରାଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରୁ ଆରମ୍ଭକରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ସବୁ ସରକାରୀ ହସ୍ପିଟାଲରେ ଓଡିଶାବାସୀଙ୍କର ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନକରୁଛନ୍ତି । ଆମର ସରକାରୀ ହସ୍ପିଟାଲରେ ଡ଼ାଇଲିସିସ୍ଠାରୁ ଆରମ୍ଭ କରି କେମୋ ଥେରାପୀ, ସିଟି ସ୍କାନ,ଏମ୍ଆରଆଇ, ବିଭିନ୍ନ ପାଥୋଲୋଜି ଟେଷ୍ଟ ସୁବିଧା ମିଳୁଛି । ମୁଁ ବହୁତ ଖୁସି ଯେ, ଆମର ଲକ୍ଷ ଲକ୍ଷ ରୋଗୀ ସରକାରୀ ହସ୍ପିଟାଲରେ ଏ ସୁବିଧା ନେଉଛନ୍ତି ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ବିକାଶ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ପ୍ରାକୃତିକ ବିପର୍ଯ୍ୟୟଠାରୁ ଆରମ୍ଭକରି ସ୍ୱାସ୍ଥ୍ୟସେବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆମ ମୁଖ୍ୟମନ୍ତ୍ରୀ ସାରା ଦେଶରେ ଆଦର୍ଶ ହୋଇଛନ୍ତି । ଏମ୍ପି ରମେଶ ମାଝି ସ୍ୱାଗତ ଭାଷଣ ଦେଇ ଥିଲେ । କ୍ରୀଡାମନ୍ତ୍ରୀ ତୁଷାର କାନ୍ତି ବେହେରା ଧନ୍ୟବାଦ ଜଣାଇଥିଲେ । ଏହି ସ୍ମାର୍ଟ ହେଲ୍ଥ କାର୍ଡରେ ୬୪କେବିର ଚିପ୍ସ ରହିଛି । ଏଥିରେ ହିତାଧିକାରୀଙ୍କ ସମସ୍ତ ତଥ୍ୟ ରହିଛି । ହିତାଧିକାରୀ ଚାହିଁଲେ ମୋ ସେବା କେନ୍ଦ୍ରକୁ ଯାଇ ନୂଆ ତଥ୍ୟ ଯୋଗ କରିପାରିବେ ।

ମମତାଙ୍କ କଥା ରଖିଲେ ନବୀନ :

ମମତା ପଡ଼ିଆମୀଙ୍କ କଥା ରଖିଲେ ନବୀନ । ଜଣେ ସାଧାରଣ ମହିଳାଙ୍କ ଅନୁରୋଧକୁ ଯୋଜନାରେ ରୂପାନ୍ତରିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ମହିଳାଙ୍କ ପାଇଁ ୧୦ଲକ୍ଷ ପର୍ଯ୍ୟନ୍ତ ବଢାଇଛନ୍ତି ଚିକିତ୍ସା ସହାୟତା । ୨୦୧୮ ମସିହାରେ ମାଲକାନଗିରି ପାଇଁ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ·ଲିଥିଲା । ଲୋକସେବା ଭବନରୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ । ସେହି ସମୟରେ ମାଲାକାନଗିରିର ମମତା ପଢିଆମୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଭର୍ଚ୍ଚୁଆଲ ମାଧ୍ୟମରେ ଅନୁରୋଧ କରିଥିଲେ । ମହିଳାଙ୍କ ସ୍ୱାସ୍ଥ୍ୟସେବାର ଉତ୍ତମ ଚିକିତ୍ସା ପାଇଁ ସହାୟତା ରାଶିକୁ ବଢାଇଥିଲେ । ସେ ସଭାରେ ମମତା ପଡ଼ିଆମୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଆ ମାନଙ୍କ ପାଇଁ ଚିକିତ୍ସା ଖର୍ଚ୍ଚ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ମମତାଙ୍କ ସାହସ ଓ ବୁଦ୍ଧିକୁ ସମସ୍ତେ ସେଦିନ ପ୍ରଶଂସା କରିଥିଲେ । ମମତାଙ୍କ ପ୍ରସ୍ତାବକୁ ଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାକୁ ମଧ୍ୟ ସହୃଦୟତାର ସହ ନେଇଥିଲେ ନବୀନ । ଏହାପରେ ସେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ଚିକିତ୍ସା ସୁବିଧାକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ ରଖିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମମତା ।

Leave A Reply

Your email address will not be published.