ନୀତୀଶଙ୍କ ପ୍ରଶଂସା : କ୍ଷମତା ସହ ବଦଳି ନାହାନ୍ତି ନବୀନ

0 73

ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଶଂସା କରିଛନ୍ତି । ଜଣେ ରାଜନେତା ହିସାବରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ବେଳେ କ୍ଷମତା ସହ ବଦଳି ନାହାନ୍ତି ବୋଲି ଲେଖିଛନ୍ତି ନୀତୀଶ । ଏକ ଜାତୀୟ ଗଣମାଧ୍ୟମରେ ସେ ଲେଖିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ସହିତ ମୋର ଦୀର୍ଘ ଦିନର ବ୍ୟକ୍ତିଗତ ସମ୍ପର୍କ । ସେ ଜଣେ ଭିନ୍ନ ରାଜନେତା । ଗରିବଙ୍କ ଉନ୍ନତି ପାଇଁ ତାଙ୍କର ଦୂରଦୃଷ୍ଟି, ନ୍ୟାୟ ସହିତ ବିକାଶ ପାଇଁ ତାଙ୍କ ଆଭିମୁଖ୍ୟ ଏବଂ ସାଂସ୍କୃତିକ ପରମ୍ପରା ପ୍ରତି ତାଙ୍କର ସମ୍ମାନ ସର୍ବଦା ପ୍ରଶଂସିତ ହୋଇଛି । ଯେତେବେଳେ ସେ ରାଜନୀତିରେ ପ୍ରବେଶ କଲେ, ସେତେବେଳେ ସେ ବିଜୁବାବୁଙ୍କ ପରିଚୟ ନେଇ ଆସିଥିଲେ । ହେଲେ ଗତ ୨୪ବର୍ଷ ମଧ୍ୟରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଲୋକମାନେ ସାଧାରଣତଃ କ୍ଷମତାକୁ ଆସିଲେ ସମୟ ସହିତ ପରିବର୍ତ୍ତନ ହୁଅନ୍ତି । କିନ୍ତୁ ସେ ପୂର୍ବଭଳି ରହିଛନ୍ତି । ତାଙ୍କର ରାଜ୍ୟ ତଥା ଦେଶ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧତା ରହିଛି ।

ରାଜନୀତିରେ ନବୀନ ପଟ୍ଟନାୟକ କିପରି ଏତେ ସଫଳ ବୋଲି ଲୋକେ ଅନେକ ସମୟରେ ପ୍ରଶ୍ନ କରିଥାନ୍ତି । ମୁଁ ଭାବୁଛି ତା’ର ଉତ୍ତର ସେ ନିଜ ଏକ ସାକ୍ଷାତକାରରେ ଦେଇସାରିଛନ୍ତି । ଏକ ସାକ୍ଷାତକାରରେ ସେ କହିଥିଲେ, ମୁଁ ନିର୍ବାଚନ ପାଇଁ ନୁହେଁ ଲୋକମାନଙ୍କ ପାଇଁ କାମ କରେ । ସେ ଓଡ଼ିଶାର ଲୋକଙ୍କୁ ଏହା ଜଣାଇବାରେ ସଫଳ ହୋଇଛନ୍ତି ଯେ ସେମାନେ ତାଙ୍କ ପରିବାର, ଯାହା ପାଇଁ ସେ ନିର୍ବାଚନ ପରେ ନିର୍ବାଚନ ଜିତି ଚାଲିଛନ୍ତି । ନୀତୀଶ କୁମାର ଆହୁରି ମଧ୍ୟ ଲେଖିଛନ୍ତି ଯେ, ନବୀନ କଥା କମ୍ କାମ ଅଧିକ କରନ୍ତି । ପଞ୍ଚମ ପାଳି ନିର୍ବାଚନ ଲଢ଼ୁଥିବା ବେଳେ ସେ କେବଳ ଗୋଟିଏ ଧାଡ଼ି- ଆପଣମାନେ ଖୁସି ତ? କହି ନିର୍ବାଚନ ଜିତି ନେଇଥିଲେ । ଯେତେବେଳେ ୨୦୦୦ ମସିହାରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ, ସେତେବେଳେ ଓଡ଼ିଶା କଠିନ ସମୟ ଦେଇ ଗତି କରୁଥିଲା । ବିଗତ ଦୁଇ
ଦଶନ୍ଧି ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟକୁ ସେ ଖୁବ୍ ଭଲ ଭାବରେ ସମ୍ଭାଳି ନେଇଛନ୍ତି । ତାଙ୍କର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ପ୍ରଶଂସା ଲାଭ କରିଛି । ତାଙ୍କ ଶାସନରେ କ୍ରୀଡା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ରାଜ୍ୟ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଛି ଏବଂ ଅଭିବୃଦ୍ଧି ହାରକୁ ବଜାୟ ରଖିଛି । ଇତିହାସ ତାଙ୍କୁ ଜଣେ ଭଲ ବ୍ୟକ୍ତି, ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଏବଂ ଆଦର୍ଶ ଓ ପ୍ରତିବଦ୍ଧତା ଥିବା ସମାଜସେବୀ ଭାବରେ ମନେ ରଖିବ ।

Leave A Reply

Your email address will not be published.