ସରିଲା ଶ୍ରାବଣ ବର୍ଷା ଗାଏବ୍ : ଚାଷୀ ମୁଣ୍ଡରେ ବିପଦର ଘଣ୍ଟି

0 63

ଭୁବନେଶ୍ୱର : ଓଡ଼ିଶା ଆକାଶରୁ ମେଘ ଉଭାନ୍ । ଏବେ ଚାଷୀକୁଳକୁ କେବଳ ଭଗବାନ୍ ଭରସା । ୩୦ରୁ ୨୭ ଜିଲ୍ଲା ଏବେ ଶୁଖିଲା । ୩୦ ପ୍ରତିଶତ ନିଅଣ୍ଟିଆ ବର୍ଷା ଯୋଗୁ ଠପ୍ ହୋଇଯାଇଛି ଚାଷକାମ । ଏବେ ସରକାରୀ ସାହାଯ୍ୟକୁ ଅନାଇଛନ୍ତି ଚାଷୀକୁଳ । ଜୁନ୍ ୧ରୁ ଅଗଷ୍ଟ ୨୨ ସୁଦ୍ଧା ରେକର୍ଡ ଅନୁସାରେ କେବଳ ମାଲକାନଗିରି, କୋରାପୁଟ ଓ ନୂଆପଡ଼ା ଜିଲ୍ଲାରେ ହୋଇଛି ସ୍ୱାଭାବିକ ବର୍ଷା । ଏପରିକି ୫ ଜିଲ୍ଲା ଅର୍ଥାତ୍ ଯାଜପୁର, ଭଦ୍ରକ, ବଲାଙ୍ଗିର, କେନ୍ଦୁଝର
ଓ ଅନୁଗୁଳରେ ୪୦ ପ୍ରତିଶତ କମ୍ ବର୍ଷା ହୋଇଛି । ବର୍ଷା ନହେବାରୁ ଏବେ ଚାଷୀ ହତାଶ୍ । ନବରଙ୍ଗପୁର ଜିଲ୍ଲାରେ ଧିମେଇ ଯାଇଛି ଚାଷକାମ । ଜିଲ୍ଲାରେ ୮୮ ପ୍ରତିଶତ ଧାନ ଓ ମକା ଚାଷ ଏବେ ଉଜୁଡ଼ିବାକୁ ବସିଲାଣି । ଯେଉଁ ସମୟରେ ସବୁଜ ଧାନକ୍ଷେତ ପବନରେ ଲହଡ଼ି ମାରିବା କଥା ସେହି ସମୟରେ ବର୍ଷା ଅଭାବରୁ ମାଟି ଫାଟିଗଲାଣି । ମରିବାକୁ ବସିଲାଣି ଧାନ ଗଛ । ବର୍ଷାକୁ ଅନେଇ ଅନେଇ ରୁଆ ବେଉଷଣରେ ତ ଡେରିହେଲା, ହେଲେ ବିଳମ୍ବରେ ଯେଉଁଠି ବି ଚାଷ କାମ ହେଲା, ପରବର୍ତ୍ତୀ ଅବସ୍ଥାରେ ସେଠି ପୁଣି ମୌସୁମୀର ଲୁଚକାଳି ଚାଷୀ ପାଇଁ କାଳ ସାଜିଛି ।

ଶ୍ରାବଣ ମାସରେ ବି ନିଦାଘ ଖରା । କେଉଁଠି କେଉଁଠି ଧାନ ଗଛରେ ଉଈ ବି ଚରିଗଲେଣ । ସ୍ୱଳ୍ପ ବୃଷ୍ଟିପାତରୁ ଚାଷର ଏ ସ୍ଥିତି । କେବଳ ସମ୍ବଲପୁରର କୁଚିଣ୍ଡା କି ପୁରୀ ଜିଲ୍ଲାର ବଳଙ୍ଗାର ନୁହେଁ, ବାଲେଶ୍ୱର ସୋର ଅଞ୍ଚଳରେ ବର୍ଷା ଅଭାବରୁ ଜଳି ଯାଇଥିବା ଧାନଗଛକୁ ଟେକା ପାଣି ଦେଇ ବଞ୍ଚାଇବାକୁ ଚେଷ୍ଟା କରୁଛି ଚାଷୀ । ହେଲେ ଆଶା କିନ୍ତୁ ନାହିଁ । ନୀଳଗିରି ଅଞ୍ଚଳରେ ବି ଚାଷର ପାଖାପାଖି ସମାନ ସ୍ଥିତି । କେବଳ ତିନିଟି ଜିଲ୍ଲା ମାଲକାନଗିରି, ବଲାଙ୍ଗିର ଓ ନୂଆପଡ଼ାକୁ ଛାଡ଼ି ଦେଲେ ରାଜ୍ୟର ୨୭ ଜିଲ୍ଲାରେ ସ୍ୱଳ୍ପବୃଷ୍ଟିରୁ ଚାଷ ଅବସ୍ଥା ଖରାପ । ଜଳ ଜଳ ଦିଶିଲାଣି ମରୁଡ଼ି ପାଣିପାଗ । ବିଭାଗର ତଥ୍ୟ ବି କହୁଛି ଜୁନ୍ ପହିଲାରୁ ଏଯାଏଁ ରାଜ୍ୟରେ ୩୦ ପ୍ରତିଶତ କମ୍ ବର୍ଷା ହୋଇଛି । ୮୩୬ ମିଲିମିଟର ବୃଷ୍ଟିପାତ ସ୍ଥାନରେ ହୋଇଛି ମାତ୍ର ୫୮୩ ମିଲିମିଟର ବର୍ଷା । ୨୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିଲା ବେଳେ ୫ ଜିଲ୍ଲା ଯାଜପୁର, ଭଦ୍ରକ, ବଲାଙ୍ଗୀର, ଅନୁଗୁଳ ଓ କେନ୍ଦୁଝରରେ ସ୍ଥିତି ଅଧିକ ସଂଗୀନ । କାରଣ ଏହିସବୁ ଜିଲ୍ଲାରେ ୪୦ କିମ୍ବା ତାଠୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଛି । ଏପରିକି ଭଦ୍ରକ ଓ ଯାଜପୁରରେ ୫୦ ପ୍ରତିଶତରୁ କମ୍ ବର୍ଷାରୁ ଚାଷ କାମ ଗୁରୁତର ପ୍ରଭାବିତ ହୋଇଛି ।

ଏବର୍ଷ ରାଜ୍ୟରେ ସ୍ୱାଭାବିକ ବର୍ଷାର ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । ହେଲେ ଜୁନ୍ ମାସରେ ପାଖାପାଖି ୩ ପ୍ରତିଶତ ନିଅଣ୍ଟିଆ ବର୍ଷା ପରେ ଜୁଲାଇରେ ବି ୧୯ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିଲା । ଆଶା ଥିଲା ଅଗଷ୍ଟ ମାସରେ ଭଲ ବର୍ଷା ହେବ । ହେଲେ ନିଅଣ୍ଟିଆ ବର୍ଷା ସ୍ଥିତି ଜାରି ଥିବାରୁ ଚାଷୀ ମୁଣ୍ଡରେ ବାଜିଲାଣି ବିପଦର ଘଣ୍ଟି । ରାଜ୍ୟରେ ଏବେ ମରୁଡ଼ିର ପଦଧ୍ୱନୀ । ହେଲେ ୨୪ ଓ ୨୫ ତାରିଖରେ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆଉ ଯଦି ବର୍ଷା ନହୁଏ, ତେବେ ମରୁଡ଼ି ଆଶଙ୍କା ସତ୍ୟରେ ହିଁ ପରିଣତ ହେବ ।

ସମ୍ଭାବନା ଆଣୁଛି ଟ୍ରଫ୍ଲାଇନ :

ଆସନ୍ତା ୨୪ ଓ ୨୫ତାରିଖରେ ରାଜ୍ୟର ୧୯ଟି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଏହି ଦୁଇ ଦିନ ପାଇଁ ବିଭିନ୍ନ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାକୁ ନଜରରେ ରଖି ସ୍ୱତନ୍ତ୍ର ରିଲିଫ କମିସନର ଆଜି ୧୯ଟି ଜିଲ୍ଲା ଅନୁଗୁଳ, ବାଲେଶ୍ୱର, ଭଦ୍ରକ,କଟକ, ଢେଙ୍କାନାଳ, ଗଞ୍ଜାମ, ଗଜପତି, ଯାଜପୁର, ଜଗତସିଂହପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନୟାଗଡ଼, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ସତର୍କ କରିଛନ୍ତି । ପାଣିପାଗ ବିଭାଗ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଥିବାରୁ ଏନେଇ ଲୋକଙ୍କୁ ସତର୍କ କରାଇବା ସହ ବର୍ଷା ମୁକାବିଲା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଏସ୍ଆରସି ଜିଲ୍ଲାପାଳମାନଙ୍କୁ କହିଛନ୍ତି ।

ପାଣିପାଗ କେନ୍ଦ୍ର କର୍ତ୍ତୃପକ୍ଷ କହିଛନ୍ତି ଯେ ଓଡ଼ିଶା ଉପରେ ଏବେ ମୌସୁମୀର ପ୍ରଭାବ ଦୁର୍ବଳ ରହିଛି । ୨୩ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏହି ପରିସ୍ଥିତି ଜାରି ରହିବ । ରାଜ୍ୟରେ ପାଗ ଶୁଖିଲା ରହିବ ଓ କାଁ ଭାଁ କେଉଁଠି କେମିତି ବର୍ଷା ହେବ । ମୌସୁମୀଜନିତ ନିମ୍ନ ଚାପରେଖା ରାଜସ୍ଥାନର ବିକାନେରରୁ ବାହାରି ଟିକମଗଡ଼, ଜାମସେଦପୁର, ବାଲେଶ୍ୱର ଦେଇ ପୂର୍ବ ଦିଗରେ ଗତି କରୁଛି ଓ ଉତ୍ତର-ପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି । ଏହାଛଡ଼ା ବିଦର୍ଭ ଆଖପାଖ ଅଞ୍ଚଳରେ ଗତକାଲି ରହିଥିବା ଘୂର୍ଣ୍ଣିବଳୟ ଆଜି ସାମାନ୍ୟ ପଶ୍ଚିମ ଦିଗରେ ଗତି କରିଛି । ଏହା ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଏହାପରେ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଅପରପକ୍ଷେ ୧ ଜୁନ୍ରୁ ଅଗଷ୍ଟ ୨୧ତାରିଖ ମଧ୍ୟରେ ରାଜ୍ୟରେ ପାଖାପାଖି ୫୭୯.୬ ମିମି ବର୍ଷା ରେକର୍ଡ ହୋଇଛି । ଏହା ସ୍ୱାଭାବିକ ବର୍ଷା ୮୨୩ ମିମିଠାରୁ ୩୦% କମ୍ । ଏଥିରେ ୪ଟି ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଯାଜପୁରରେ ୫୪% କମ୍ ବର୍ଷା ରେକର୍ଡ ହୋଇଥିବା ବେଳେ ଭଦ୍ରକରେ ୫୦%, କେନ୍ଦୁଝର ଓ ବଲାଙ୍ଗୀରରେ ୪୨% ଲେଖାଏଁ କମ୍ ବର୍ଷା ରେକର୍ଡ ହୋଇଛି ।

Leave A Reply

Your email address will not be published.