ଦୂଷିତ ପରିବେଶ ମଧ୍ୟରେ ଚାଲିଛି ଛତୁଆ ପ୍ରସ୍ତୁତି

0 69

ମାଲକାନଗିରି : ମାଲକାନଗିରି ଠାରେ ରହିଥିବା ଛତୁଆ ପ୍ରସ୍ତୁତ କେନ୍ଦ୍ରରେ ଛତୁଆ ପ୍ରସ୍ତୁତ କରାନଯାଇ ଅନ୍ୟ ଏକ ଦୂଷିତ ପରିବେଶରେ ରହିଥିବା ଏକ ମିଲରେ ଛତୁଆ ପ୍ରସ୍ତୁତ କରାଯାଉଥିବା ବେଳେ ମାନବଧିକାର କର୍ମୀ ସେଠାରେ ପହଞ୍ଚି ଏହାକୁ ବିରୋଧ କରିଥିଲେ । ଶିଶୁମାନଙ୍କ ପାଇଁ ଏଭଳି ଭାବେ ଦୂଷିତ ପରିବେଶରେ କିପରି ଛତୁଆ ପ୍ରସ୍ତୁତ କରାଯାଉଛି ବୋଲି ପଚାରିବାରୁ ସେମାନଙ୍କ ଉପରେ ଆକ୍ରମଣ କରାଯିବା ସହ ଗାଳିଗୁଲଜ ମଧ୍ୟ କରାଯାଇଥିବା ଅଭିଯୋଗ କରାଯାଇଛି । ମାଲକାନଗିରି ବ୍ଲକର ସିଆଡିମାଳ ଗ୍ରାମର ଗୌରି ସ୍ବୟଂ ସହାୟକ ଗୋଷ୍ଠୀକୁ ଏହି ଛତୁଆ ପ୍ରସ୍ତୁତ କରିବାକୁ ଦାୟୀତ୍ବ ପ୍ରଦାନ କରାଯାଇଥିବା ବେଳେ ଏହାକୁ ସେଠାରେ କରାନଯାଇ ମାଲକାନଗିରି ସହରର ଜଣକ ଘରେ ଏହା ପ୍ରସ୍ତୁତ କରାଯାଉଛି । ଗତକାଲି ୨୩ ତାରିଖ ଥିବା ବେଳେ ସିଡିପିଓ ସମେତ ସମସ୍ତ ଅଧିକାରୀଙ୍କ ସମ୍ମୁଖରେ ଛତୁଆ ପ୍ରସ୍ତୁତ କରାଯିବା କଥା, କିନ୍ତୁ ବିଭାଗୀୟ ଅଧିକାରୀମାନଙ୍କ ଜାଣତରେ ଏହା ଆଉ ଏକ ମିଲରେ ଦୂଷିତ ପରିବେଶରେ ଛତୁଆ ପ୍ରସ୍ତୁତ କରାଯାଉଥିବା ଜଣାପଡିଥିଲା । ଏହାକୁ ବିଭାଗୀୟ ଅଧିକାରୀମାନେ ଜାଣିଅଜଣା ଭଳି ରହିଥିଲେ । କିନ୍ତୁ, ମାଲକାନଗିରି ଜିଲ୍ଲା ମାନବାଧିକାର କମିଶନର କର୍ମୀମାନେ ଏହା ଜାଣିବା ପରେ ଚଢଉ କରିବା ସହ ଏନେଇ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ।ତେବେ ଦୀର୍ଘ ଦିନ ହେଲା ମାଲକାନଗିରି ସଦର ମହକୁମାରେ ଛତୁଆ ଦୂଷିତ ପରିବେଶରେ ଏବଂ ଅତି ନିମ୍ନମାନର ଛତୁଆ ପ୍ରସ୍ତୁତ କରି ମାଲକାନଗିରି ବ୍ଲକ ସାରା ବଣ୍ଟନ କରାଯାଇଥିଲେ ମଧ୍ୟ କିପରି ବିଭାଗୀୟ ଅଧିକାରୀ ଚୁପ୍ ରହୁଥିଲେ ତାହା ତଦନ୍ତ ସାପେକ୍ଷ ।

ଅନ୍ୟପକ୍ଷରେ ଏନେଇ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୌଦାମିନୀ ପ୍ରଧାନଙ୍କୁ ପଚାରିବାରୁ ସେ ଲିଖିତ ଅଭିଯୋଗ ଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ । ସେହିପରି ସିଡିପିଓ ବି.ପଦ୍ମାଙ୍କୁ ପଚାରିବାରୁ ଅଭିଯୋଗ ଆସିଛି, ତଦନ୍ତ ପ୍ରକ୍ରିୟା ଚାଲିଛି ବୋଲି କହିଛନ୍ତି । ଜିଲ୍ଲାପାଳ ବିଶାଲ ସିଂଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦେଇଛି । ଏହି ଅଭିଯୋଗ ମୁଁ ମଧ୍ୟ ପାଇଛି । ଯଦି ତଦନ୍ତରେ ସେ ଛତୁଆ ପ୍ରସ୍ତୁତିରେ ଅନିୟମିତତା କରିଥାନ୍ତି ତେବେ ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave A Reply

Your email address will not be published.