ମହଙ୍ଗା ପଡ଼ିଲା ଚାପୁଡ଼ା ଧମକ : ବନ୍ଧାହେଲେ କେନ୍ଦ୍ରମନ୍ତ୍ରୀ

0 79

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡା ମାରିବା ବୟାନ ଦେବା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ମହଙ୍ଗା ପଡ଼ିଛି । ଏହି ବୟାନ ଯୋଗୁ ପୋଲିସ ତାଙ୍କୁ ଗିରଫ କରିଛି । ଶିବସେନା ପକ୍ଷରୁ ବିଭିନ୍ନ ସ୍ଥାନରେ ୩୬ଟି ଏଫ୍ଆଇଆର ରୁଜୁ ହୋଇଥିଲା । ଏହାକୁ ନେଇ ନାସିକଠାରୁ ମୁମ୍ବାଇ ଯାଏ ଚାରିଆଡେ ଉତ୍ତେଜନା ପ୍ରକାଶ ପାଇଥିଲା । ଏପରିକି ଆଜି ରାଣେଙ୍କ ଜୁହୁସ୍ଥିତ ବାସଭବନ ନିକଟରେ ବିଜେପି ଓ ଶିବସେନା କର୍ମୀଙ୍କ ମଧ୍ୟରେ ହାତାହାତି ହୋଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଉଭୟ ଗୋଷ୍ଠୀଙ୍କ ଉପରେ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା ।

ସୂଚନାଯୋଗ୍ୟ ଯେ, ଆଜି ନାରାୟଣ ରାଣେ ରତ୍ନଗିରି ସଙ୍ଗମେଶ୍ୱରଠାରେ ବିଜେପିର ଜନଆଶୀର୍ବାଦ ଯାତ୍ରାକୁ ଯାଉଥିଲେ । ଏହି ସମୟରେ ତାଙ୍କର ଦୁଇ ବିଧାୟକ ପୁଅ ମଧ୍ୟ ଉପସ୍ଥିତ ରହିଥିଲେ । ଗୋଟିଏ ପୋଲିସ ଟିମ୍ ତାଙ୍କ ପାଖରେ ପହଞ୍ଚି ପ୍ରଥମେ କଥାବାର୍ତ୍ତା କରିଥିଲା । ଏହାପରେ ତାଙ୍କୁ ସ୍ଥାନୀୟ ଥାନାକୁ ଅଣାଯାଇଥିଲା । ଏହାପରେ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରାଯାଇଥିଲା । ଏହାକୁ ନେଇ ରାଣେଙ୍କ ସହଯୋଗୀ ପ୍ରମୋଦ ଜାଟହର କହିଛନ୍ତି ପୋଲିସ କୌଣସି ଗିରଫ ପରୱାନା ନ ଦେଖାଇ ରାଣେଙ୍କୁ ଗିରଫ କରିଛି । ସରକାରଙ୍କ ଚାପରେ ପୋଲିସ କାମ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ସଙ୍ଗମେଶ୍ୱରଠାରେ ନୁହେଁ ବରଂ ସମଗ୍ର ରାଜ୍ୟରେ ବିରୋଧ କରାଯିବ ବୋଲି ବିଜେପି ମଧ୍ୟ ଧମକ ଦେଇଛି । ଗିରଫ ହେବା ପରେ ମୁହଁ ଖୋଲିଛନ୍ତି ରାଣେ । ସେ କହିଛନ୍ତି ମୁଁ ଯାହା କହିଛି ତାହା ଠିକ୍ କହିଛି । ମୁଁ କିଛି ଭୂଲ କହିନାହିଁ । ଗିରଫ ହେବା ପରେ ମଧ୍ୟ ସେ ତାଙ୍କ ବୟାନକୁ ଦୋହରାଇଛନ୍ତି । ଏକ କାର୍ଯ୍ୟକ୍ରମରେ ଦେଶର ସ୍ୱାଧୀନତାକୁ କେତେବର୍ଷ ପୂରିଛି ଏହାର ସଠିକ୍ ଉତ୍ତର ଦେଇନପାରି ମୁଖ୍ୟମନ୍ତ୍ରୀ ଶ୍ରୀ ଠାକରେ ନିଜର ସହଯୋଗୀଙ୍କୁ ପଚାରିଥିଲେ । ଏହି ଘଟଣାକୁ ନେଇ ରାଣେ କହିଥିଲେ ଯେ, ମୁଁ ଯଦି ସେଠାରେ ଥା’ନ୍ତି ତେବେ ସେ ଉଦ୍ଧବଙ୍କୁ ଚାପୁଡ଼ା ମାରିଥାନ୍ତେ । ଆଉ ତାଙ୍କର ଏହି ବୟାନ ରାଣେଙ୍କୁ ସମସ୍ୟା ଘେରକୁ ନେଇଆସିଛି । ଯାହାକୁ ନେଇ ମୁମ୍ବାଇ, ନାସିକ, ଅମରାବତୀ,ରତ୍ନଗିରିରେ ଥିବା ବିଜେପି କାର୍ଯ୍ୟାଳୟଉପରକୁ ଆକ୍ରମଣ କରି ଶିବସେନା କର୍ମୀ ଭଙ୍ଗାରୁଜା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ମହାରାଷ୍ଟ୍ର ରାଜନୀତିରେ ରାଣେ ଜଣେ ଟାଣୁଆ ନେତା ଭାବେ ଜଣାଶୁଣା । ଏକଦା ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କ ସେ ପ୍ରିୟ ଥିଲେ । ଘଟଣା କ୍ରମରେ ସେ ବିଜେପିରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି ।

Leave A Reply

Your email address will not be published.