ପଞ୍ଜଶିରରେ ଛକାପଞ୍ଝା : ମୁହାଁମୁହିଁ ତାଲିବାନୀ-ନଦ୍ଦର୍ନ ଆଲିୟାନ୍ସ

0 71

କାବୁଲ : ଆଫଗାନିସ୍ତାନରେ ୩୪ଟି ପ୍ରଦେଶରୁ ତାଲିବାନ ୩୩ଟିକୁ ନିଜ ଦଖଲ ନେଇଥିଲେ ହେଁ ପଞ୍ଜଶିରକୁ ଏଯାଏ ନିଜ ଅକ୍ତିଆରକୁ ନେଇପାରିନାହିଁ । କଳବଳ କୌଶଳେ କିଭଳି ପଞ୍ଜଶିରକୁ ଦଖଲ କରିବ ସେଥିପାଇଁ ତାଲିବାନୀଙ୍କ ଆଖିରେ ନିଦ ନାହିଁ । ସେମାନେ ଚାରିପଟୁ ଘେରିରହିଛନ୍ତି । ମୁହଁତୋଡ ଜବାବ ଦେବାକୁ ମଧ୍ୟ ସଜାଗ ରହିଛି ନର୍ଦ୍ଦନ ଆଲିୟାନ୍ସ । ନର୍ଦ୍ଦନ ଆଲିୟାନ୍ସର ୯ହଜାର କମାଣ୍ଡୋ ସଜାଗ ରହିଛନ୍ତି । ସେମାନେ ଚେତାଇ ଦେଇଛନ୍ତି ଯେ, ଶାନ୍ତିପୂର୍ଣ୍ଣ ଭାବେ ଯାହା କିଛି ହେବ ନହେଲେ ଭୟାବହ ପରିଣାମ ଭୋଗିବ ତାଲିବାନ । ହିନ୍ଦକୁଶ ପର୍ବତ ଦ୍ୱାରା ଘେରିରହିଥିବା ପଞ୍ଜଶିରକୁ ଦଖଲ କରିବା ତାଲିବାନ ପକ୍ଷେ ଏତେ ସହଜ ନୁହେଁ । ଏହି ଉପତ୍ୟକାକୁ କେମିତି ନିଜ ଦଖଲକୁ ନେବେ ସେଥିପାଇଁ ପ୍ରବେଶ ପଥରେ ଠୁଳ ହୋଇଛନ୍ତି ହଜାର ହଜାର ତାଲିବାନୀ ସେନା ।

ଅନ୍ୟପକ୍ଷରେ ବିରୋଧୀ ମଧ୍ୟ ସମରସଜା କରି ତୟାର ହୋଇ ରହିଛନ୍ତି, ପଣ କରିଛନ୍ତି ତାଲିବାନୀଙ୍କୁ ମୁହଁତୋଡ ଜବାବ ଦେବେ । ଏହି ବିରୋଧୀଙ୍କ ନେତୃତ୍ୱ ନେଉଛନ୍ତି ମୁଜାହିଦ୍ଦିନର ପୂର୍ବତନ କମାଣ୍ଡର ଅହମଦ ମସୁଦ ଶାହାଙ୍କ ପୁଅ ଅହମଦ ମସୁଦ୍ । ଏଥିସହିତ ତାଙ୍କ ସହ ଅଛନ୍ତି ଆଫଗାନ୍ର ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ । ଘନି ଦେଶ ଛାଡ଼ିବା ପରେ ଅମରୁଲ୍ଲା ନିଜକୁ ଆଫଗାନ ରାଷ୍ଟ୍ରପତି ଭାବେ ଘୋଷଣା କରିବା ସହ ତାଲିବାନ ବିରୋଧରେ ଯୁଦ୍ଧ ଡାକରା ଦେଇଛନ୍ତି । ତାଲିବାନ ପଞ୍ଜଶିର ଦଖଲ କରିବାକୁ ବାହାରିଥିବା ବେଳେ ଅମରୁଲ୍ଲା କିନ୍ତୁ ବେଶ ରିଲାକ୍ସ ମୁଡରେ ଅଛନ୍ତି । ଏବେ ସେ ତାଲିବାନ ବିରୋଧୀ ସଦସ୍ୟଙ୍କ ସହ ଭଲିବଲ ଖେଳୁଥିବା ଦେଖିବାକୁ ମିଳିଛି । ଆଫଗାନିସ୍ତାନରେ ତାଲିବାନକୁ ବିରୋଧ କରିବା ପାଇଁ ଦେଶର କିଛି ସେନା ଯବାନ ଅମରୁଲ୍ଲାଙ୍କ ସହ ହାତ ମିଳାଇଛନ୍ତି । ସେମାନଙ୍କ ସହ ସ୍ଥାନୀୟ ମିଲିସିଆ ମଧ୍ୟ ରହିଛନ୍ତି । ଏହି ବିରୋଧୀ ସଂଗଠନର ନେତୃତ୍ୱ ଆଣ୍ଟି ସୋଭିଏତ ମୁଜାହିଦିନ କମାଣ୍ଡର ଦିବଂଗତ ଅହମଦ ଶାହ ମାସୁଦଙ୍କ ପୁଅ ଅହମଦ ମାସୁଦ ନେଉଛନ୍ତି । ସେ ପଞ୍ଜଶିରରେ ନିଜର ସ୍ୱତନ୍ତ୍ର ସଂଗଠନ ଗଠନ କରି ତାଲିବାନ
ବରୋଧରେ ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଅହମଦ ମସୁଦ କହିଛନ୍ତି ସେମାନେ ଯୁଦ୍ଧ ଚାହାନ୍ତି ନାହିଁ । କିନ୍ତୁ ଯଦି ତାଲିବାନ କୌଣସି ଅଘଟଣ କରେ ତେବେ ମୁହଁତୋଡ ଜବାବ ଦିଆଯିବ ।

ସୂଚନାଯୋଗ୍ୟ ଯେ, ସୋଭିଏତ୍ ସେନା ମଧ୍ୟ ଏହି ପଞ୍ଜଶିର ମଧ୍ୟକୁ ପ୍ରବେଶ କରିପାରିନଥିଲା ।୧୯୭୯ରୁ ୧୯୮୯ ଯାଏ ୧୦ବର୍ଷ ଆଫଗାନସ୍ତାନରେ ସୋଭିଏତ୍ ସେନା ଶାସନ କରିଥିଲେ ବି ପଞ୍ଜଶିରରେ ପ୍ରବେଶ କରିପାରିନଥିଲା । ଆମେରିକା ସମର୍ଥନରେ ଗରିଲା ଯୁଦ୍ଧ କରିଥିଲା ବିରୋଧୀ ମୁଜାହିଦ୍ଦିନ । ଶେଷରେ ସୋଭିଏତ୍ ସେନାକୁ ହାରିବାକୁ ପଡ଼ିଥିଲା । ୧୯୯୬ରେ ପ୍ରଥମଥର କାବୁଲ ଦଖଲ କରିଥିଲା ତାଲିବାନ । ୨୦୦୧ ଯାଏ ସେଠାରେ ସେମାନଙ୍କ ରାଜ୍ ଚାଲିଥିଲା । କିନ୍ତୁ ଏହି ତାଲିବାନଙ୍କ ପାଇଁ ପଞ୍ଜଶିର ପାଲଟିଥିଲା ସାତସପନ ।

Leave A Reply

Your email address will not be published.