୨୦୨୧-୨୨ ଚିନି ଋତୁ ପାଇଁ ଆଖୁର ଉଚିତ ଓ ଲାଭଜନକ ମୂଲ୍ୟ ନିର୍ଦ୍ଧାରଣକୁ ସରକାରଙ୍କ ଅନୁମୋଦନ

0 71

– ଏଫଆରପି କୁଇଂଟାଲ ପ୍ରତି ୨୯୦ ଟଙ୍କା ଧାର୍ଯ୍ୟ, ଲାଭବାନ ହେଲେ ୫ କୋଟି ଆଖୁ ଚାଷୀ , ୫ ଲକ୍ଷରୁ ଅଧିକ ଶ୍ରମିକ

ନୂଆଦିଲ୍ଲୀ : ଆଖୁ ଚାଷୀଙ୍କ ହିତକୁ ଧ୍ୟାନରେ ରଖି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ଚିନି ଋତୁ ୨୦୨୧-୨୨ (ଅକ୍ଟୋବର-ସେପ୍େଟମ୍ବର) ଲାଗି ଆଖୁର ଉଚିତ ଏବଂ ଲାଭକାରୀ ମୂଲ୍ୟ (ଏଫଆରପି) କୁଇଂଟାଲ ପ୍ରତି ୨୯୦ ଟଙ୍କା ନିର୍ଦ୍ଧାରଣ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ୧୦ ପ୍ରତିଶତ ରିକଭରୀ ଦର ସହିତ ଏହି ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ରିକଭରୀରେ ପ୍ରତ୍ୟେକ ଥର ୦.୧ ପ୍ରତିଶତ ବୃଦ୍ଧି ପାଇଁ କୁଇଂଟାଲ ପ୍ରତି ୨.୯୦ ଟଙ୍କାର ପ୍ରିମିୟମ ଯୋଗାଇ ଦିଆଯିବ ଏବଂ ରିକଭରୀରେ ପ୍ରତି ୦.୧ ପ୍ରତିଶତ ହ୍ରାସ ପାଇଁ ଏଫଆରପିରେ କୁଇଂଟାଲ ପ୍ରତି ୨.୯୦ ଟଙ୍କା ହ୍ରାସ କରାଯିବ । ତେବେ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତି ମଧ୍ୟ ଗ୍ରହଣ କରିଛନ୍ତି ଯେ, ଯେଉଁସବୁ ଚିନି କଳରେ ୯.୫ ପ୍ରତିଶତରୁ କମ ରିକଭରୀ ରହିଛି ସେମାନଙ୍କ କ୍ଷେତ୍ରରେ କୌଣସି ହ୍ରାସ କରାଯିବ ନାହିଁ । ବର୍ତମାନ ଏପରି ଆଖୁ ଚାଷୀମାନଙ୍କୁ ୨୦୨୦-୨୧ ଋତୁରେ କୁଇଣ୍ଟାଲ ପ୍ରତି ୨୭୦.୭୫ ଟଙ୍କାର ଏଫଆରପି ଦିଆଯାଉଥିବା ବେଳେ ଆଗାମୀ ଚିନି ଋତୁ ୨୦୨୧-୨୨ ରେ ସେମାନଙ୍କୁ କୁଇଣ୍ଟାଲ ପ୍ରତି ୨୭୫.୭୫ ଟଙ୍କାର ଏଫଆରପି ଦିଆଯିବ ।

ଚିନି ୠତୁ ୨୦୨୧-୨୨ ଲାଗି ଉତ୍ପାଦନ ବ୍ୟୟ କୁଇଣ୍ଟାଲ ପ୍ରତି ୧୫୫ ଟଙ୍କା ରହିଛି । ୧୦ ପ୍ରତିଶତ ରିକଭରୀ ଦର ସହିତ କୁଇଣ୍ଟାଲ ପ୍ରତି ୨୯୦ ଟଙ୍କାର ଏଫଆରପି ଉତ୍ପାଦନ ଖର୍ଚ୍ଚର ୮୭.୧ ପ୍ରତିଶତରୁ ଅଧିକ ହେବ । ଏହା ଚାଷୀମାନଙ୍କୁ ୫୦ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ପ୍ରଦାନ କରିବାର ପ୍ରତିଶ୍ରୁତି ପୂରଣ ମଧ୍ୟ ସୁନିଶ୍ଚିତ କରିବ ।

ଚଳିତ ୨୦୨୦-୨୧ ଚିନି ଋତୁରେ ଚିନି କଳମାନଙ୍କ ଦ୍ୱାରା ଆଖୁ ଚାଷୀଙ୍କ ଠାରୁ ୯୧ ହଜାର କୋଟି ଟଙ୍କାର ପାଖାପାଖି ୨,୯୭୬ ଲକ୍ଷ ଟନ ଆଖୁ କ୍ରୟ କରାଯାଇଛି, ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବୋଚ୍ଚ ସ୍ତର । ଧାନ ପରେ ଦ୍ୱିତୀୟ ସର୍ବାଧିକ ଫସଲ ଭାବେ ସର୍ବନିମ୍ନ ସହାୟକ ମୂଲ୍ୟରେ ଏହି ଆଖୁ କିଣାଯାଇଛି । ଆଗାମୀ ଚିନି ଋତୁ ୨୦୨୧-୨୨ରେ ଅଧିକ ଆଖୁ ଉତ୍ପାଦନ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଚିନି କଳଗୁଡ଼ିକ ପାଖାପାଖି ୩,୦୮୮ ଲକ୍ଷ ଟନ୍ ଆଖୁ କିଣିବେ ବୋଲି ଅନୁମାନ କରାଯାଉଛି । ଏଥିପାଇଁ ଆଖୁ ଚାଷୀମାନଙ୍କୁ ପାଖାପାଖି ୧ ଲକ୍ଷ କୋଟି ଟଙ୍କାର ଅର୍ଥ ପଇଠ କରାଯିବ । ଆଖୁ ଚାଷୀଙ୍କୁ ସେମାନଙ୍କର ବକେୟା ଅର୍ଥରାଶି ଯେପରି ଠିକ୍ ସମୟରେ ମିଳିବ ସେଥିପାଇଁ ସରକାର ନିଜର କୃଷକ କଲ୍ୟାଣ ଉପାୟଗୁଡ଼ିକ ମାଧ୍ୟମରେ ପ୍ରୟାସ କରୁଛନ୍ତି ।

ଚିନି କଳଗୁଡ଼ିକ ଦ୍ୱାରା ଚିନି ଋତୁ ୨୦୨୧-୨୨ (୧ ଅକ୍ଟୋବର, ୨୦୨୧ଠାରୁ ଆରମ୍ଭ) ରେ ଚାଷୀଙ୍କ ଠାରୁ କିଣାଯିବାକୁ ଥିବା ଆଖୁ ପାଇଁ ମଞ୍ଜୁରିପ୍ରାପ୍ତ ଏଫଆରପି ଲାଗୁ ହେବ । ଚିନି ଏକ ଗୁରୁତ୍ୱପୂର୍ଣ୍ଣ କୃଷି ଆଧାରିତ କ୍ଷେତ୍ର । ଏଥିରେ କୃଷି ଶ୍ରମ ଏବଂ ପରିବହନ ସମେତ ବିଭିନ୍ନ ସହାୟକ ଗତିବିଧିରେ ବହୁସଂଖ୍ୟକ ଲୋକ ନିୟୋଜିତ ଥାଆନ୍ତି । ଏମାନଙ୍କ ସମେତ ୫ କୋଟି ଆଖୁ ଚାଷୀ ଓ ସେମାନଙ୍କ ଆଶ୍ରିତ ତଥା ଚିନି କଳରେ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟରତ ୫ ଲକ୍ଷ ଶ୍ରମିକଙ୍କ ଜୀବିକା ଏହି କ୍ଷେତ୍ର ସହିତ ଜଡ଼ିତ । ସେମାନେ ସମସ୍ତେ ସରକାରଙ୍କ ଏହି ନିଷ୍ପତି ଦ୍ୱାରା ଲାଭବାନ ହେବେ ।

Leave A Reply

Your email address will not be published.