ସାଂସଦ-ବିଧାୟକଙ୍କ ମାମଲା ନେଇ ସୁପ୍ରିମ୍କୋର୍ଟଙ୍କ ଉଦ୍ବେଗ : ଝୁଲାଇ ନରଖି ତୁରନ୍ତ ଚାର୍ଜସିଟ୍ ଦାଖଲ କର

0 48

ନୂଆଦିଲ୍ଲୀ : ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଥିବା ମାମଲାର ଚାର୍ଜସିଟ୍ ଦାଖଲ ହେବାରେ ବିଳମ୍ବ ହେଉଛି । ତେଣୁ ଏଭଳି ନକରି ତୁରନ୍ତ ଚାର୍ଜସିଟ୍ ଦାଖଲ କରିବା ଦରକାର । ବୁଧବାର ସୁପ୍ରିମ୍କୋର୍ଟ ଏଥିନେଇ ଉଦ୍ବେଗ ପ୍ରକାଶ କରିବା ସହିତ ତୁରନ୍ତ ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନ ବିଚାରପତି ଏନ୍.ଭି. ରମନ୍ନା “ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ’ (ଇଡି) ଏବଂ “ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍’କୁ (ସିବିଆଇ) ଭର୍ତ୍ସନା କରିଛନ୍ତି । ଏକ ମାମଲାର ଶୁଣାଣି ବେଳେ ସେ କହିଛନ୍ତି, ତଦନ୍ତ କାର୍ଯ୍ୟ ବାକି ଥିଲେ ତୁରନ୍ତ ତାହା ଶେଷ କରି ଚାର୍ଜସିଟ୍ ଦାଖଲ କର । ମାମଲାକୁ ଅଯଥାରେ ପକାଇ ରଖନାହିଁ । ଆଜିର ଏହି ଶୁଣାଣିରେ ସେ ଆହୁରି ମଧ୍ୟ କହିଛନ୍ତି, ସାଂସଦ ଏବଂ ବିଧାୟକ ସଂଶ୍ଳିଷ୍ଟ ଥିବା ଘଟଣାରେ ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ କରିବା ଲାଗି ଏକ ପୂର୍ବ ଆଦେଶରେ ମଧ୍ୟ ଆମ୍ଭେ ଉଚ୍ଚ ନ୍ୟାୟାଳୟମାନଙ୍କୁ କହିସାରିଛୁ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ଅନ୍ୟ ଏଜେନ୍ସିମାନଙ୍କୁ ଉଦ୍ଦେଶ୍ୟ କରି ଭାରତର ପ୍ରଧାନ ବିଚାରପତି ରମନ୍ନା କହିଲେ, ଏହି ରିପୋର୍ଟ ଖୁବ୍ ଅସ୍ପଷ୍ଟୟ ୧୦-୧୫ ବର୍ଷ ହେବ ଚାର୍ଜସିଟ୍ କିମ୍ବା କିଛି ଫାଇଲ୍ ନ ହେବାର କାରଣ ଦର୍ଶାଯାଇ ନାହିଁ । ୨୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି “ଆଟାଚ୍’ କରି ନଥିବାର କୌଣସି ମାମଲା ନାହିଁ, କିନ୍ତୁ ଅଦ୍ୟାବଧି କିଛି “ଫାଇଲ୍’ କରାଯାଇ ନାହିଁ । ନିର୍ଦ୍ଦିଷ୍ଟ ଭାବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କିଛି କରୁନାହିଁ ।

ପ୍ରଧାନ ବିଚାରପତି ରମନ୍ନାଙ୍କ କଟୁ ମନ୍ତବ୍ୟ ପରେ ସଲିସିଟର୍ ଜେନେରାଲ୍ କହିଥିଲେ, ଏଭଳି କେତେକ ମାମଲା ଅଛି ଯାହା ଉପରେ ବିଚାର କିମ୍ବା ତଦନ୍ତ ଚାଲିଛି ଏବଂ ଅଦାଲତ ରହିତାଦେଶ ଜାରି କରିଛନ୍ତି । ମାତ୍ର ରହିତାଦେଶ ଜାରି ହୋଇଥିଲେ ଚାର୍ଜସିଟ୍ ଫାଇଲ୍ କରାଯିବାରେ ବିଳମ୍ବ ହେବାକୁ ସେ ଯଥାର୍ଥ ମଣୁନାହାନ୍ତି । କିନ୍ତୁ ପ୍ରଧାନ ବିଚାରପତି ସଲିସିଟର୍ ଜେନେରାଲ୍ଙ୍କ ମତକୁ ଅଗ୍ରାହ୍ୟ କରି କହିଛନ୍ତି । ସେ କଥା ଅସତ୍ୟ । ପ୍ରାୟ ୨୦୦ ମାମଲାରୁ ୮ଟି ମାମଲା ଉପରେ ଅଦାଲତ ରହିତାଦେଶ ଜାରି କରିଛନ୍ତି । ତେଣୁ ଏ ସଂକ୍ରାନ୍ତରେ ଇଡି ଏବଂ ସିବିଆଇ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିବା ଲାଗି ସମ୍ପ୍ରତି ସୁପ୍ରିମ୍କୋର୍ଟ ସଲିସିଟର୍ ଜେନେରାଲ୍ଙ୍କୁ କହିଛନ୍ତି । ଏହାଛଡ଼ା କାର୍ଯ୍ୟଭାର ଅଧିକ ଥିବାରୁ ସେମାନେ କୌଣସି ପ୍ରକାର ମାନବ ସମ୍ବଳ ବା ଭିତ୍ତିଭୂମିଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି ନାହିଁ ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ସୁପ୍ରିମ୍କୋର୍ଟ ତାଙ୍କୁ କହିଛନ୍ତି ।

Leave A Reply

Your email address will not be published.