୨୯ରେ ବଙ୍ଗୋପସାଗରରେ ଲଘୁଚାପ : ବର୍ଷା ନିଅଣ୍ଟ ଭରଣା ହେବା ସମ୍ଭାବନା

0 50

ଭୁବନେଶ୍ୱର : ଅଗଷ୍ଟ ମାସରେ ବର୍ଷା ନିଅଣ୍ଟ ଦେଖାଦେଇଥିବା ବେଳେ ମାସ ଶେଷ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ସ୍ଥିତିରେ ଟିକିଏ ସୁଧାର ଆଣିପାରେ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି । ମାତ୍ର ଏହି ଲଘୁଚାପ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହିଁ । ଏପରିକି ମାସ ଶେଷ ସୁଦ୍ଧା ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ ବୋଲି ବିଭାଗ କହିଛି । ଗତକାଲି ସ୍କାଏମେଟ କହିଥିଲା ଯେ, ଅଗଷ୍ଟ ୩୦ ସୁଦ୍ଧା ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।

କିନ୍ତୁ ଆଜି ସ୍କାଏମେଟ ନିଜର ଗତକାଲିର ପୂର୍ବାନୁମାନକୁ ଟିକିଏ ସଂଶୋଧିତ କରି କହିଛି ଯେ ଏହି ଲଘୁଚାପଟି ୨୯ ତାରିଖ ବେଳକୁ ସୃଷ୍ଟି ହେବ । ଏହା ପୂର୍ବରୁ ୨୭ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହେବ । ପରବର୍ତ୍ତୀ ଦୁଇଦିନରେ ଏହା ଆହୁରି ଘନୀଭୂତ ହୋଇ ପୂର୍ବ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଏହାର ପ୍ରଭାବରେ ନିଷ୍କ୍ରିୟ ହୋଇଯାଇଥିବା ମୌସୁମୀ ପୁଣି ସକ୍ରିୟ ହେବାର ସମ୍ଭାବନା ରହିଛି । ଫଳରେ ଆସନ୍ତା ୨୭ରୁ ୨୯ ମଧ୍ୟରେ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଆଦି ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ଜୁଲାଇ ମାସରେ ସାଧାରଣ ବର୍ଷା ହୋଇଥିଲେ ମଧ୍ୟ ଅଗଷ୍ଟ ମାସରେ କମ୍ ବର୍ଷା ହୋଇଛି । ଯାହା ଗତ କିଛି ଦଶନ୍ଧିର ରେକର୍ଡ ଭାଙ୍ଗିଛି । ତେବେ ଟ୍ରପଲାଇନ୍ ପ୍ରଭାବରେ ରାଜ୍ୟରେ ବଦଳିବ ପାଗ । ବିଭିନ୍ନ ଜିଲ୍ଲାକୁ ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୪ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଆଜି ପାଇଁ ୯ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, କଟକ,ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସହ ବଜ୍ରପାତ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ରାଜ୍ୟରେ ବର୍ଷାର ପରିମାଣ ଆହୁରି ବୃଦ୍ଧି ପାଇବା ସହ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏପର୍ଯ୍ୟନ୍ତ ମୌସୁମୀର ସ୍ଥିତି ଅନୁଯାୟୀ ରାଜ୍ୟରେ ୩୧ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ଜୁନ ପହିଲାରୁ ଆଜି ପର୍ଯ୍ୟନ୍ତ ମୋଟ ୫୮୮ ଦଶମିକ ୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ୍ଠାରୁ ୩୧ ପ୍ରତିଶତ କମ୍ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ରାଜ୍ୟର ୨୭ଟି ଜିଲ୍ଲାରେ ନିଅଣ୍ଟିଆ ହୋଇଥିବା ବେଳେ କୋରାପୁଟ, ମାଲକାନଗିରି ଏବଂ ନୂଆପଡାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ।

Leave A Reply

Your email address will not be published.