ନିଅଣ୍ଟିଆ ବର୍ଷା ବଢ଼ାଇଲା ଚିନ୍ତା

0 78

-୫ରେ ଆଉ ଏକ ଲଘୁଚାପ
-ରେଡ୍ଜୋନ୍ ରେ ୨୪ ଜିଲ୍ଲା
-ଚାଷୀକୂଳ ହତାଶ

ଭୁବନେଶ୍ୱର : ଲଘୁଚାପ ପରେ ଲଘୁଚାପ । କିନ୍ତୁ ଆବଶ୍ୟକ ପରିମାଣର ବର୍ଷା ହେଉନଥିବାରୁ ଆଗେଇ ପାରୁନି ଚାଷ କାର୍ଯ୍ୟ । ପାଣିପାଗ ମାନଚିତ୍ରରେ ରେଡ୍ଜୋନ୍ ରେ ଏବେ ୨୪ ଜିଲ୍ଲା । ଏସବୁ ଜିଲ୍ଲାରେ ୨୦ ପ୍ରତିଶତରୁ ୫୯ ପ୍ରତିଶତ ଯାଏ କମ୍ ବର୍ଷା ହୋଇଛି । ଆସନ୍ତା ୫ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଆକ୍ୟୁୱେଦର ପାଣିପାଗ ବିଜ୍ଞାନୀ ଜାସୋଫ୍ ନିକୋଲାସ କହିଛନ୍ତି । ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ବର୍ଷା ଲାଗିରହିଛି । ସୋମବାର ସକାଳୁ ଯାଏଁ ୭ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଗଜପତି,ରାୟଗଡ଼ା, ମାଲକାନାଗିରି, କୋରାପୁଟ,ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ତେବେ ଏହାପରେ ବର୍ଷା ପରିମାଣ କମିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏଯାଏଁ ଯାଜପୁର ଜିଲ୍ଲାରେ ସ୍ୱାଭାବିକ ଠାରୁ ୫୭ ପ୍ରତିଶତ କମ୍ ବର୍ଷା ହୋଇଥିବାରୁ ଚାଷକାମ ଆଗେଇପାରୁନି ।

ସେହିପରି ଭଦ୍ରକରେ ୪୯ ପ୍ରତିଶତ,ବଲାଙ୍ଗୀରରେ ୪୫ ପ୍ରତିଶତ, ଅନୁଗୁଳରେ ୪୦ ପ୍ରତିଶତ, ଝାରସୁଗୁଡ଼ା-ସମ୍ବଲପୁର-କଳାହାଣ୍ଡି ଓ କେନ୍ଦୁଝରରେ ୩୮ ପ୍ରତିଶତ କମ୍ ବର୍ଷା ହୋଇଛି । ଅନ୍ୟ ୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି । ଚଳିତବର୍ଷ ଠିକ୍ ସମୟରେ ମୌସୁମୀ ଆସିଥିଲେ ମଧ୍ୟ ରାଜ୍ୟରେ ଭଲ ବର୍ଷା ହୋଇନାହିଁ । କରୋନା ମହାମାରୀ ସମୟରେ ମରୁଡ଼ିର ପଦଧ୍ୱନିକୁ ନେଇ ଚାଷୀକୂଳ ଏବେ ହତାଶ ହୋଇପଡ଼ିଛି । ଏପରିକି ଆଉ ବର୍ଷା ହେଲେ ମଧ୍ୟ କିଛି କାମ ଦେବନି ବୋଲି ଅନେକ ଚାଷୀ କହିବା ଆରମ୍ଭ କଲେଣି । ପଶ୍ଚିମକେନ୍ଦ୍ର ବଙ୍ଗୋପସାଗର ନିକଟ ଉତ୍ତରପଶ୍ଚିମରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ସୋମବାର ସକାଳ ୮ଟା ୩୦ ପର୍ଯ୍ୟନ୍ତ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ବିଶେଷକରି ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ବର୍ଷା ସମ୍ଭାବନା ନେଇ ସବୁ ଜିଲ୍ଲାପାଳ ଓ ସବୁ ବିଭାଗକୁ ଝଜଉ ଚିଠି କରିଛନ୍ତି । ସଚେତନତା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଏସ୍ଆର୍ସି ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ମେସୁମୀ ଟ୍ରଫ୍ ଏବେ ଫିରୋଜପୁର, ଦିଲ୍ଲୀ, ଗ୍ୱାଲିଅର୍, ସିଧି ଓ ଝାରସୁଗୁଡ଼ା ହୋଇ ଆଜି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରର ମଧ୍ୟ ଦେଇ ଗତି କରୁଛି । ଫଳରେ ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଛି । ଲଘୁଚାପ ଯୋଗୁଁ ରାଜ୍ୟର ବିଭିତ୍ତ ସ୍ଥାନରେ ବର୍ଷା ଜାରି ରହିଛି । ୩୦ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ କମିବ । କିନ୍ତୁ ରାଜ୍ୟରେ ମେସୁମୀ ସକ୍ରିୟ ରହିଥିବାରୁ କିଛି କିଛି ସ୍ଥାନରେ ମେସୁମୀଜନିତ ବର୍ଷା ହୋଇପାରେ ।

Leave A Reply

Your email address will not be published.