ସମ୍ଭାବ୍ୟ ମରୁଡି ସ୍ଥିତିର ସମୀକ୍ଷା : ଜରୁରିକାଳୀନ ଫସଲ ଯୋଜନା ପ୍ରସ୍ତୁତ କର

0 70

ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ସଂପର୍କରେ ସମୀକ୍ଷା କରି ଏହାର ମୁକାବିଲା କରିବାକୁ ନିର୍ଦ୍ଦେଶ ଦେବା ସହିତ ଚାଷୀମାନଙ୍କ ପାଇଁ ଜରୁରିକାଳୀନ ଫସଲ ଯୋଜନା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୧୩ଟି ବ୍ଲକରେ ବର୍ଷାର ଅଭାବ ଦେଖାଦେଇଛି, ଯାହାକି କୃଷି କାର୍ଯ୍ୟକ୍ରମକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇ ଦୈନିକ ଭିତ୍ତିରେ ପରିସ୍ଥିତି ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସଂପୃକ୍ତ ଜିଲ୍ଲାପାଳମାନେ କ୍ଷେତ୍ରସ୍ତରରେ ତୁରନ୍ତ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛନ୍ତି । ଫସଲ ପାଇଁ ଜରୁରିକାଳୀନ ଯୋଜନା, କେନାଲ ଗୁଡିକରେ ଜଳପ୍ରବାହ ଏବଂ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି କାର୍ଯ୍ୟକ୍ରମଗୁଡିକ ମଧ୍ୟରେ ଉତ୍ତମ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଚାଷୀମାନଙ୍କ ଫସଲ ନଷ୍ଟ ହେବା କ୍ଷେତ୍ରରେ ଦ୍ୱିତୀୟ ଫସଲ ପାଇଁ ବିହନ ଓ ମିନିକିଟ୍ ଯୋଗାଇ ଦେବା ଏବଂ ଯେଉଁଠାରେ ଫସଲ ଅଛି, ତାକୁ ସୁରକ୍ଷିତ ରଖିବା ପାଇଁ ରିହାତି ଦରରେ ଚାଷୀମାନଙ୍କୁ ଡିଜେଲ ପମ୍ପସେଟ୍ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଚାଷୀମାନଙ୍କ ଜମିକୁ ଜଳଯୋଗାଣକୁ ସୁରକ୍ଷିତ ରଖିବା ପାଇଁ ଗୋଟିଏ ଜାଗାରେ ଅଧ ଏକରରୁ ଅଧିକ ଥିବା ଚାଷ ଜମି ପାଇଁ ପୋଖରୀ ଖୋଳିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ସମସ୍ତ ଉଠାଜଳସେଚନ ପଏଣ୍ଟ ଗୁଡିକୁ ୭ ଦିନ ମଧ୍ୟରେ ମରାମତି ଓ ପୁନରୁଦ୍ଧାର କରି କାର୍ଯ୍ୟକ୍ଷମ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଛୋଟ ଓ ନାମମାତ୍ର ଚାଷୀ ଓ କୃଷି ଶ୍ରମିକମାନଙ୍କୁ ଜୀବିକା ସହାୟତା ଦେବା ପାଇଁ ବିଭିନ୍ନ ରୋଜଗାର ସୃଷ୍ଟିକାରୀ ଯୋଜନା ଉପରେ ପ୍ରାଥମିକତା ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ତଳିଆ ଅଞ୍ଚଳର ଚାଷୀମାନଙ୍କ ପାଇଁ ଜଳଯୋଗାଣ ସୁନିଶ୍ଚିତ କରିବା ଓ ଭୂତଳ ଜଳ ପାଇଁ ପଦକ୍ଷେପ ନେବାକୁ ଜଳସଂପଦ ବିଭାଗକୁ ପରାମଶ ଦେଇଛନ୍ତି । ଜନସାଧାରଣ ଓ ପ୍ରାଣୀସଂପଦ ମାନଙ୍କ ପାଇଁ ଯେପରି ପାନୀୟ ଜଳର ଅଭାବ ନହୁଏ, ତାହା ସୁନିଶ୍ଚିତ କରିବାକୁ ଜିଲ୍ଲା ଓ ପୌରସଂସ୍ଥା କର୍ତ୍ତୃପକ୍ଷମାନେ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଚାଷୀ ଓ ସାଧାରଣ ଜନତାଙ୍କ ଉପରେ ମରୁଡିର ପ୍ରଭାବ କମ୍ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇ କହିଥିଲେ ଯେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବୃଷ୍ଟିପାତ ୩୦ ପ୍ରତିଶତ କମ୍ ରହିଛି । ଧାନ ଫସଲ ପାଇଁ ସମସ୍ୟା ଦେଖା ଦେଇଥିଲେ ମଧ୍ୟ ଅଣଧାନ ଫସଲ ପାଇଁ କୌଣସି ସମସ୍ୟା ସୃଷ୍ଡି ହୋଇନାହିଁ । ଏମ୍ଜି ନରେଗାରେ ଅଧିକ କର୍ମନିଯୁକ୍ତି ସୃଷ୍ଟି ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ । ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଜଳସଂପଦ ବିଭାଗ ନିଜସ୍ୱ ବିକଳ୍ପ ଯୋଜନା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନା ରଖିଥିଲେ । କଳାହଣ୍ଡି,ସୁନ୍ଦରଗଡ, ଅନୁଗୁଳ ଓ ରାୟଗଡା ଜିଲ୍ଲାର ଜିଲ୍ଲାପାଳମାନେ ଜିଲ୍ଲାର ପରିସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ପାଣିପାଗ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ରାଜ୍ୟରେ ବୃଷ୍ଟିପାତ ସଂପର୍କରେ ସୂଚନା ଦେଇ କହିଥିଲେ ଯେ, ସେପ୍ଟେମ୍ବର ମାସରେ ସ୍ୱାଭାବିକ ବୃଷ୍ଟିପାତ ହୋଇ ୨୨୬.୬ ମି.ମି. ବର୍ଷା ହେବାର ସମ୍ଭାବନା ରହିଛି । କାମଧନ୍ଦା ଅଭାବରୁ ବାହାର ରାଜ୍ୟକୁ ଯାଉଥିବା ଲୋକଙ୍କୁ ଯେପରି ରାଜ୍ୟ ମଧ୍ୟରେ କାମ ଯୋଗାଇ ଦିଆଯାଇପାରିବ, ସେ ସଂପର୍କରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ । ଉନ୍ନୟନ କମିସନର ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ବୈଠକରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.