ମକା ଫସଲରେ ପୋକ, ଚିନ୍ତାରେ ଚାଷୀ

0 69

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ମକା ଫସଲରେ ବର୍ତ୍ତମାନ ବିଭିନ୍ନ ପୋକଙ୍କ ପ୍ରାଦୁର୍ଭାବ ଯୋଗୁଁ ମକା ଫସଲ ସମ୍ପୂର୍ଣ୍ଣ ଭାବେ ଉଜୁଡିବାରେ ଲାଗିଛି । ଏ ନେଇ ମକା ଚାଷୀ ଓ କୃଷକ ଅସନ୍ତୋଷ ପ୍ରକାଶ କରି ଚିନ୍ତାରେ ରହିଛନ୍ତି । ଗଜପତି ଜିଲ୍ଲାରେ ବିଶେଷ କରି ମୋହନା ଓ ଆର୍‌.ଉଦୟଗିରି ବ୍ଲକରେ ଉନ୍ନତମାନର ମକା ଚାଷ ହୋଇଆସୁଛି । ଏହି ଅଞ୍ଚଳର ମକା ଦକ୍ଷିଣ ଓଡିଶା ଓ ଆନ୍ଧ୍ରରେ ବିଶେଷ ଚାହିଦା ରହିଛି । ଅଞ୍ଚଳର ଜଳବାୟୁ ଓ ପାହାଡିଆ ଜମିରେ ମକା ଚାଷ ବେଶ ଭଲ ହେଉଥିବାରୁ ସଂଖ୍ୟାଧିକ ଲୋକେ ମକା ଚାଷକୁ ଆଦରି ନେଇଛନ୍ତି । ହେଲେ ଚଳିତ ବର୍ଷ ମକା ଫସଲରେ ପୋକ ଦେଖା ଦେବା ଯୋଗୁଁ ଫସଲ ଉଜୁଡିବାରେ ଲାଗିଛି । ବହୁ ପରିଶ୍ରମ ଓ ଧାର କରଜ କରି ଚାଷ କରିଥିବା ମକାଚାଷୀ ଏ ନେଇ ଚିନ୍ତାରେ ରହିଛନ୍ତି । ଜିଲ୍ଲା କୃଷି ବିଭାଗର ଉଦାସୀନତା ଯୋଗୁଁ ଏହି ମକା ଚାଷୀମାନେ ଆବଶ୍ୟକୀୟ ସେବା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି ।

ମକା ଚାଷ ହେଉଥିବା ମୋହନା ଓ ଆର୍‌.ଉଦୟଗିରି ବ୍ଲକର ଅନେକ ଦୁର୍ଗମ ଅଞ୍ଚଳରେ ପହଞ୍ଚି ପାରୁନି କୃଷି ବିଭାଗ । ସଚେତନତାର ଅଭାବ ଓ କୃଷି ବିଭାଗର ନିଷ୍କ୍ରିୟତା ଓ ଉଦାସୀନତା ଯୋଗୁଁ ମକା ଚାଷ ଅମଳ ହେବା ପୂର୍ବରୁ ଫସଲ ନଷ୍ଟ ହେବାରେ ଲାଗିଛି । ଫଳ ଧରିବା ସମୟରେ ଅଜଣା ପୋକ ଲାଗି ମକା ଫସଲ ନଷ୍ଟ ହେବାରେ ଲାଗିଲାଣି । ମୋହନା ବ୍ଲକର ଅଡବା, ଅନ୍ତରବା, ବାଢେଇପୁର, ଗୁଣ୍ଡୁରିଗୁଡା, ପାଣିଗଣ୍ଡା, ଖଣିଗ୍ରାମ ଏବଂ ଆର୍‌.ଉଦୟଗିରି ବ୍ଲକର ଛେଳିଗଡ, ମହେନ୍ଦ୍ରଗଡ, ରାମଗିରି, ମକାପଦା ଆଦି ଅନେକ ଗ୍ରାମରେ ମକା ଫସଲ ନଷ୍ଟ ହେବାରେ ଲାଗିଛି । ଗତ ବୁଧବାର ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପରିଷଦ ବୈଠକରେ ଅଡବା ଜୋନ ଜିଲ୍ଲା ପରିଷଦ ସଭ୍ୟ ବାଳକୃଷ୍ଣ ମଳିକ କୃଷି ସମ୍ବନ୍ଧୀୟ ଏକ ପ୍ରସ୍ତାବରେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ । ଅଡବା ଅଞ୍ଚଳରେ ଚାଷୀ ସରକାରଙ୍କ କୌଣସି ପ୍ରକାର ସୁବିଧା ପାଉନଥିବା ଅଭିଯୋଗ କରିଥିଲେ । ଚାଷୀଙ୍କୁ ସରକାରୀ ସୁବିଧା ନ ମିଳେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.