ପଟ୍ଟାମୁଣ୍ଡାଇ ବନ୍ୟା ପରିସ୍ଥିତି ଅପରିବର୍ତିତ

0 71

ପଟ୍ଟାମୁଣ୍ଡାଇ : ଉପର ମୁଣ୍ଡରେ ଲଗାଣ ବର୍ଷାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ପଟ୍ଟାମୁଣ୍ଡାଇ ଅଞ୍ଚଳ ଦେଇ ପ୍ରଭାହିତ ବ୍ରାହ୍ମଣୀ ଓ କାଣୀ ନଦୀରେ ବନ୍ୟା ଆସି ସମଗ୍ର ଧୋୟା ଅଞ୍ଚଳ ଜଳମଗ୍ନ ହୋଇପଡିଛି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବନ୍ୟା ପରିସ୍ଥିତି ଆଜି ମଧ୍ୟ ଅପରିବର୍ତିତ ରହିଛି । ବ୍ରାହ୍ମଣୀ ଓ କାଣୀ ନଦୀରେ ବନ୍ୟା ପରିସ୍ଥିତି ଦେଖା ଦେଇଥିବାରୁ ସମଗ୍ର ଧୋୟାଚଂଳ ଜଳମଗ୍ନ ହୋଇପଡିଛି । ପଟ୍ଟାମୁଣ୍ଡାଇ ବ୍ଲକର ସବୁ ଠାରୁ ଦୂର୍ଗମ ଅଚଂଳ ସିଂହଗାଁ ପଚାଂୟତ ବାହ୍ୟଜଗତରୁ ବିଛିନ୍ନ ହୋଇପଡିଥିବାବେଳେ ଲୋକଙ୍କ ଦୂର୍ଦ୍ଦଶା ଅବର୍ଣ୍ଣନୀୟ ହୋଇପଡିଛି । ଲଘୁଚାପଜନିତ ବର୍ଷା ବିତ୍ପାତରେ କ୍ଷତିଗ୍ରସ୍ତ ଲୋକମାନେ ବନ୍ୟା ବିଭିଷିକା ଦେଖି ଭୟଭୀତ ହୋଇପଡିଛନ୍ତି । ଅମୃତମଣୋହି ଛତାମଠ ଠାରେ ପୂର୍ତ ବିଭାଗ ରାସ୍ତାରେ ଅମୃତମଣୋହି କଟ ଉପରେ ନିର୍ମିତ ୩୦ ବର୍ଷ ତଳର କଲଭର୍ଟଟି ଧୋଇ ଯିବା କାରଣରୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ଫଳରେ ଅଣ୍ଢରା, ଅମୃତମଣୋହି, ବଲୁରିଆ ଓ ଆଳି ବ୍ଲକର ନୂଆପଡା, ପାଚଂଣପଡା ପ୍ରଭୃତି ପଚାଂୟତ ଗୁଡିକୁ ସଡକ ପଥରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ଧୋଇ ଯାଇଥିବା କଲଭର୍ଟ ସ୍ଥାନରେ ଯୁଦ୍ଧକାଳୀନ ଭିତିରେ ହୁ୍ୟମ ପାଇପ ପକାଇ ପୋଲ ନିର୍ମାଣ କରିବାକୁ ପୂର୍ତ୍ତବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି । ଘଟଣାସ୍ଥଳରେ ସହନିର୍ବାହୀଯନ୍ତ୍ରୀ ରାମଚନ୍ଦ୍ର ନାୟକ ଓ ସହକାରୀଯନ୍ତ୍ରୀ ତପନ ସେଠୀ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରୁଛନ୍ତି। ପୂର୍ବତନ ମନ୍ତ୍ରୀ ଗଣେଶ୍ଵର ବେହେରା ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ବନ୍ୟା ଯୋଗୁଁ ଉତ୍ପନ୍ନ ସମସ୍ୟା ସମ୍ପର୍କରେ ବନ୍ୟା ପୀଡିତଙ୍କ ସହ ଆଲୋଚନା କରିଥିଲେ।

ସେହିପରି ସେ ଅମୃତମଣୋହି ଛତାମଠ ଠାରେ ପୂର୍ତ ବିଭାଗ ରାସ୍ତାରେ ହୋଇଥିବା ଘାଇ ପରିଦର୍ଶନ କରିଥିଲେ । ଯଥାଶୀଘ୍ର ରିଲିଫ୍ ଔଷଧ ଓ ଗୋଖାଦ୍ୟ ପ୍ରଭାବିତ ଅଂଚଳରେ ରିଲିଫ ଯୋଗାଇ ଦେଇ ଜନସାଧାରଣଙ୍କ ଜୀବନ ରକ୍ଷା କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି । କେନ୍ଦ୍ରାପଡା ଉପଜିଲ୍ଲାପାଳ ନିରଞନ ବେହେରା, ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲୀପ କୁମାର ସେଠୀ ବନ୍ୟାଚଂଳ ପରିଦର୍ଶନ କରି ଲୋକଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିବା ସହିତ କଲଭର୍ଟ ଧୋଇ ଯାଇ ଘାଇ ସୃଷ୍ଟି ହୋଇଥିବା ସ୍ଥାନ ପରିଦର୍ଶନ କରିଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକର ଅଣ୍ଢରା, ଅମୃତମଣୋହି, ବଲୁରିଆ, ପେଣ୍ଠପାଳ, ତରଡିପାଳ, ଅଳପୁଆ, ସିଂହଗାଁ, ଶ୍ରୀରାମପୁର, ଡାମରପୁର , ବଳଭଦ୍ରପୁର, ଶାସନ, ନୀଳକଣ୍ଠପୁର, ବାଲିପାଟଣା, ବାଛରା ଆଦି ପଚାଂୟତର ବ୍ୟାପକ ଅଚଂଳ ଓ ଚାଷଜମି ଜଳମଗ୍ନ ହୋଇପଡିଛି । ଅଳପୁଆ ଓ ତୁଳସୀଡିଆ ଡାକ୍ତରଖାନା ପାଣିଘେରରେ ରହିଛି । ଡାମରପୁର, ଶ୍ରୀରାମପୁର ଓ ବଳଭଦ୍ରପୁର ପଚାଂୟତ ଅବସ୍ଥା ଶୋଚନୀୟ ହୋଇପଡିଛି । ମାଳିପୁର ରାସ୍ତା ବୁଡି ପାଣି ଚାଲିବାରୁ ଏହି ୩ଟି ପଚାଂୟତକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଗତ ବନ୍ୟା ସମୟରୁ ପ୍ରଶାସନ ନିକଟରୁ ଡଙ୍ଗା ମାଲିକମାନଙ୍କୁ ଭଡା ପରିଶୋଧ କରିନଥିବାରୁ ଡଙ୍ଗା ମାଲିକମାନେ ବନ୍ୟାଚଂଳକୁ ଡଙ୍ଗା ଯୋଗାଇ ଦେବା ପାଇଁ ଅନୁଛୁକ ଥିବାରୁ ଯାତାୟତରେ ଅସୁବିଧା ସୃଷ୍ଟି ହୋଇଛି ।ନୀଳକଣ୍ଠପୁର ପଚାଂୟତର ୫ନଂ. ଓ ୬ନଂ. ୱାର୍ଡ ମଧ୍ୟରେ ବନ୍ୟାଜଳ ପ୍ରବେଶ କରି ଲୋକମାନଙ୍କ ଦୂର୍ଦ୍ଦଶା ବୃଦ୍ଧି କରିଛି । କଷଣଅଂଟା-ବାଛରା ରାସ୍ତା ବୁଡି ଯାଇଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଛି । ବନ୍ୟାଚଂଳରେ କିରୋସିନି ଓ ଗୋଖାଦ୍ୟ ଅଭାବ ଦେଖା ଦେଇଛି । ବିଦ୍ୟୁତ ଖୁଣ୍ଟ ବୁଡି ଯାଇଥିବାରୁ ବିଦ୍ୟୁତ ସେବା ବ୍ୟାଘାତ ହୋଇଛି । ଟେଲିସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି । ପଟ୍ଟାମୁଣ୍ଡାଇ ପୌରାଚଂଳର ବାଲିପଡା, କଷଣଅଂଟା, ତଳବାଲିପଡା, ବଳଦେବନଗର, ସିଦ୍ଧପାଟଣା, ତନୁପୁର, ନନ୍ଦିନୀନଗର, ଷଣ୍ଢପଲ୍ଲୀ, ନୂଆଗାଁ, କାକୁଡିପଲ୍ଲୀ, ଅଳଭା ଆଦି ଅଚଂଳ ଜଳମଗ୍ନ ହୋଇପଡିଛି । ବନ୍ୟାରେ ବହୁ ରାସ୍ତା ଧୋଇ ଯାଇଥିବାବେଳେ କଚାଘର ଭାଙ୍ଗି ଯାଇଛି । ଚାଷଜମି ବୁଡିଯିବା ଫଳରେ ଧାନ, ମୁଗ, ବିରି, ପନିପରିବା ଫସଲ ହାନୀ ଘଟିଛି । ଆଜି ଦିନ ତମାମ ବନ୍ୟାଜଳ ସ୍ଥିର ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ରେଙ୍ଗାଳିରୁ ପାଣି ଛଡାଗଲେ ବଡ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେବୋଲି ଆଶଙ୍କା ପ୍ରକାଶ ପାଇଛି । ବନ୍ୟାବିପନ୍ନ ଲୋକମାନଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.