ରାଜ୍ୟ ସରକାର – ଗେଟ୍ସ ଫାଉଣ୍ଡେସନ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

0 62

ଭୁବନେଶ୍ୱର : କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ମାଧ୍ୟମରେ ଓଡ଼ିଶା ସରକାର ଏବଂ ବିଲ୍ ଓ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ମଧ୍ୟରେ ରାଜ୍ୟରେ ନାମମାତ୍ର ଓ ଭୂମିହୀନ ଚାଷୀମାନଙ୍କର ଜୀବନଜୀବିକାର ସମୃଦ୍ଧି ପାଇଁ ନିରନ୍ତର କୃଷି ପ୍ରୋତ୍ସାହନ ଓ କୃଷି ପ୍ରଗତି ନିମନ୍ତେ ଅଧିକ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଫଳରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ବୈଷୟିକ ଜ୍ଞାନ, ପ୍ରଯୁକ୍ତି ଓ ସୃଜନଶୀଳ କାର୍ଯ୍ୟକ୍ରମ ଦ୍ୱାରା କ୍ଷୁଦ୍ର ଚାଷୀଙ୍କ କୃଷି ଉତ୍ପାଦନ ବୃଦ୍ଧି ପାଇଁ ଅଧିକ ସୁଯୋଗ ସୃଷ୍ଟି କରିପାରିବ । କୃଷିକୁ ଚିରପୋଷଣୀୟ କରିବା, ବଜାର ଦକ୍ଷତା ବୃଦ୍ଧି, ଖାଦ୍ୟର ଗୁଣାତ୍ମକ ମାନ ବୃଦ୍ଧି ସହିତ ମରୁଡ଼ି ଆଶଙ୍କା କମାଇବା, କୀଟ ଆକ୍ରମଣ ଓ ଅନ୍ୟ ଜଳବାୟୁଜନିତ ବିପଦକୁ ହ୍ରାସ କରିବା, ମୃତିକା ଓ ଜଳସମ୍ବଳ ପରିଚାଳନାକୁ ଦକ୍ଷ କରିବା ଆଦିରେ ନିଷ୍ପତି ଗ୍ରହଣ କରିବାରେ ଆବଶ୍ୟକ ହେଉଥିବା ତଥ୍ୟ ବ୍ୟବହାରକୁ ଗେଟ୍ସ ଫାଉଣ୍ଡେସନ୍ ତ୍ୱରାନ୍ୱିତ କରିବ । ତା’ଛଡ଼ା ନୀତି ରୂପାୟନରେ ଏହା ସହାୟକ ହେବ । ଜଳବାୟୁ ଉପଯୋଗୀ, ସମନ୍ୱିତ କୃଷି ଅର୍ଥନୀତି ସୃଷ୍ଟି ହେବା ଦ୍ୱାରା ଓଡ଼ିଶାର ଭୂମିହୀନ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ କ୍ଷେତ୍ରରେ ରୂପାନ୍ତରଣ ଆସିପାରିବ । ଏହି ବୁଝାମଣାପତ୍ର ମାଧ୍ୟମରେ ଗେଟ୍ସ ଫାଉଣ୍ଡେସନ୍ ଓ ଏହାର ଭାଗୀଦାରମାନେ ଡାଟା ସିଷ୍ଟମ୍, ପ୍ରଯୁକ୍ତି ବିଦ୍ୟା ବିକାଶ ଓ ଘରୋଇ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିପାରିବେ ।

ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଲେ ଯେ ଆମ ସରକାର ଚାଷ ଜମି, ପ୍ରାଣୀସଂପଦ, ଜଙ୍ଗଲ ଓ ମତ୍ସ୍ୟ ଉତ୍ପାଦନ ପରିଚାଳନା ନିମନ୍ତେ ଏକ ସମନ୍ୱିତ ପଦ୍ଧତି ଗ୍ରହଣ କରି ଆସିଥିବାବେଳେ ଖାଦ୍ୟ ନିରାପତା ଓ ଜଳବାୟୁ ପରିବର୍ତନ ସହିତ ଅନ୍ୟ କ୍ଷେତ୍ର ପ୍ରତି ଗୁରୁତ୍ୱ ପ୍ରଦାନ କରାଯାଇଛି । ଭୂମିହୀନ ଶ୍ରମିକ, କ୍ଷୁଦ୍ର ଚାଷୀ ଓ ମହିଳାଙ୍କ ସମେତ ସମସ୍ତ ଚାଷୀଙ୍କର ଜୀବନଧାରାରେ ଗୁଣାତ୍ମକ ପରିବର୍ତନ ପାଇଁ ଆମ ସରକାର ବଦ୍ଧପରିକର । ଗେଟ୍ସ ଫାଉଣ୍ଡେସନ୍ର ସହଯୋଗରେ ଆମେ ବିଶ୍ୱର ଶ୍ରେଷ୍ଠ ପଦ୍ଧତି, ସର୍ବଶ୍ରେଷ୍ଠ ପ୍ରଯୁକ୍ତି ଓ ଅଭିନବ କୌଶଳ ଲାଭ କରିପାରିବୁ । ଏହା ଦ୍ୱାରା ଗ୍ରାମୀଣ ଲୋକଙ୍କ ପାଇଁ ସୂଚନା, ଦ୍ରବ୍ୟ, ସେବା ଓ ଭାଗୀଦାରିକୁ ଅଧିକ ପ୍ରୋତ୍ସାହିତ କରାଯାଇପାରିବ ।

ବିଲ୍ ଓ ମେଲିଣ୍ଡା ଫାଉଣ୍ଡେସନ୍ ର ନିର୍ଦ୍ଦେଶକ ଅଲକେଶ ୱାଧୱାନୀ କହିଲେ, ଓଡ଼ିଶା କ୍ଷୁଦ୍ର ଚାଷୀଙ୍କ ଜୀବିକାର ଉନ୍ନତି ପାଇଁ ଓଡ଼ିଶା ସରକାରଙ୍କୁ ଆମେ ସହଯୋଗ ଯୋଗାଇ ଦେବୁ । ଫାଉଣ୍ଡେସନ୍ ଓଡ଼ିଶା ସରକାରଙ୍କ ସହିତ କୃଷି, ମତ୍ସ୍ୟ ଓ ପ୍ରାଣୀସଂପଦ କ୍ଷେତ୍ରରେ ଅଧିକ ମୂଲ୍ୟଯୁକ୍ତ ଫସଲର ବିବିଧିକରଣ, କୃଷକ ଉତ୍ପାଦନକାରୀ ସଂଘଗୁଡ଼ିକର ସୁଦୃଢ଼ୀକରଣ ବଜାର ସୁବିଧା ସୃଷ୍ଟି, ଡିଜିଟାଲ୍ ସଂପ୍ରସାରଣ, ଭବିଷ୍ୟତ ପ୍ରଯୁକ୍ତି ଓ ସମନ୍ୱିତ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଡାଟାବେସ୍ ସୃଷ୍ଟି ଉପରେ ଏହା କାର୍ଯ୍ୟ କରିଆସୁଛି ।

ରାଜ୍ୟ ତରଫରୁ କୃଷି ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର ଓ ପ୍ରାଣୀସଂପଦ ବିକାଶ ନିର୍ଦ୍ଦେଶକ ୟେଦୁଲ୍ଲା ବିଜୟ ବିଲ୍ ଓ ମିଲିଣ୍ଡା ଫାଉଣ୍ଡେସନ୍ ତରଫରୁ ଡ. ଅଲକେଶ ୱାଧୱାନୀ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଭିଡ଼ିଓ ବାର୍ତା ପ୍ରଦର୍ଶନ କରାଯାଇଥିଲା । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ. ପୱନ କୁମାର ଅଗ୍ରୱାଲ , କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଓ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଆର. ରଘୁପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.