ବାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ସ୍ୱାସ୍ଥ୍ୟ ବିଭାଗକୁ ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ଦାବି

0 67

ମାଲକାନଗିରି : ରାଜ୍ୟ ସରକାର ମାଲକାନଗିରି ଜିଲ୍ଲାରେ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇବା ନିମନ୍ତେ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି ସତ କିନ୍ତୁ ଏବେ ବି କିଛି ସ୍ୱାସ୍ଥ୍ୟକେନ୍ଦ୍ର ରହିଛି ଯାହା ଉପରେ ନିର୍ଭର କରି ଶହ ଶହ ରୋଗୀ ଚିକିତ୍ସା ନିମନ୍ତେ ଆସୁଥିବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଅନୁଯାୟୀ ବେଡ୍ ସହ ଅନ୍ୟାନ୍ୟ ସରକାରୀ ସୁବିଧା ନଥିବାରୁ ଲୋକେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମାଲକାନଗିରି ଜିଲ୍ଲାର ଏନ୍ ଏ ସି କହିବାକୁ ଗଲେ ଗୋଟିଏ ସେ ହେଉଛି ବାଲିମେଳା ଏନ୍ ଏ ସି । ତେବେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଟି ବାଲିମେଳା ଜଳ ବିଦ୍ୟୁତ ପ୍ରକଳ୍ପ ଓ ପୋଟେରୁ ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ ନିର୍ମାଣ ସମୟରେ ୧୯୬୯ ମସିହାରେ ଏହି ୨ ପ୍ରକଳ୍ପ ପକ୍ଷରୁ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଟି ନିର୍ମାଣ କରାଯାଇଥିଲା । ପରେ ୧୯୮୪ ମସିହାରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଟି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର ହୋଇଥିଲା । ତେବେ ସେହି ସମୟରେ ନା ଉନ୍ନତ ମାନର ସ୍ୱାସ୍ଥ୍ୟସେବା ମିଳିପାରୁଥିଲା ନା ଏବେ ମିଳିପାରୁଛି । ବରଂ ପୂର୍ବ ଅପେକ୍ଷା ବର୍ତ୍ତମାନର ସ୍ୱାସ୍ଥ୍ୟବସ୍ଥା ଦୟନୀୟ ହୋଇ ପଡିଛି । ଯେହେତୁ ପୂର୍ବ ଅପେକ୍ଷା ଜନ ସଂଖ୍ୟା ବଢିଛି ସେହି ଅନୁପାତରେ ମେଡିକାଲର ବେଡ଼ ସଂଖ୍ୟା ବଢିଛି ନା ସ୍ୱାସ୍ଥ୍ୟ ସେବାରେ କୌଣସି ସୁଧାର ଆସିଛି । ପୂର୍ବେ ଏଠାରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ବିପି ପି ଏଚ ସି ରହିଥିବା ବେଳେ ତାହାକୁ ବଡ଼ ମେଡିକାଲରେ ପରିଣତ କରିବା ପରିବର୍ତ୍ତେ ଛୋଟ କରାଯାଇ ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ପରିଣତ କରାଗଲା । ତେବେ ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ର ହେଲା ସତ କିନ୍ତୁ ଏବେ ବି ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶୀଳ ପାଖାପାଖି ୬ ଟି ପଞ୍ଚାୟତରୁ ଅଧିକ ଲୋକ । ତେବେ ବାଲିମେଳାରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ଏହି ୪ ଟି ପଞ୍ଚାୟତର ଥିବା ଗ୍ରାମ ଗୁଡିକରୁ ଦୂରତା ଅତି କମ ତେଣୁ ଏହି ଗ୍ରାମ ଗୁଡିକର ଲୋକମାନଙ୍କର କିଛି ସ୍ୱାସ୍ଥ୍ୟଜନିତ ସମସ୍ୟା ହେଲେ ଏହି ଲୋକମାନେ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନ ଯାଇ ବାଲିମେଳା ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥାନ୍ତି ।

ବାଲିମେଳା ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ଟି ଡାକ୍ତରଙ୍କ ସମେତ ଜଣେ ଆୟୁଷ ଡାକ୍ତର ରହିଛନ୍ତି । ତେବେ ଗୋଟିଏ ଦିନରେ ୧୦୦ ରୁ ଉର୍ଦ୍ଧ୍ବ ରୋଗୀ ଏଠାକୁ ଆସୁଥିବା ବେଳେ ଗୋଟାଏ ଓପିଡି ଖୋଲା ରହୁଛି ତେଣୁ ଶହ ଶହ ରୋଗୀ ବାଧ୍ୟ ହୋଇ ଧାଡିରେ ବହୁ ସମୟ ଅପେକ୍ଷା କରି ନିଜର ସ୍ୱାସ୍ଥ୍ୟବସ୍ଥା ଦେଖାଉଛନ୍ତି । ଏଥିସହ ବାଲିମେଳା ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ରରେ କେବଳ ୬ ଟି ମାତ୍ର ବେଡ୍ । ରୋଗୀଙ୍କ ନିମନ୍ତେ ଏତେ କମ ସଂଖ୍ୟକ ବେଡ୍ ରହିଥିବାରୁ ରୋଗୀ ବାଧ୍ୟହୋଇ ଚେୟାର ବସି ସାଲାଇନ ନେଉଥିବା ଦେଖିବାକୁ ମିଳୁଛି । ବେଳେବେଳେ କିଛି ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିଲେ ସେମାନଙ୍କୁ ତଳେ ଶୁଆଇ ମଧ୍ୟ ସାଲାଇନ ହେଉ ବା ଇଞ୍ଜେକସନ୍ ଦିଆଯାଉଥିବା ଦେଖିବାକୁ ମିଳୁଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏହିକି ଯେ ଚିତ୍ରକୋଣ୍ଡା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦିନରେ ଯେତେ ସଂଖ୍ୟକ ରୋଗୀ ଆସୁଛନ୍ତି ତାର ତିନି ଗୁଣା ଅଧିକ ରୋଗୀ ଏହି ବାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରତ୍ୟେକ ଦିନ ଆସିଥାନ୍ତି । ଏବଂ ସବୁଠାରୁ ଅଧିକ ପ୍ରସବ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ହିଁ ହୋଇଥାଏ । ତେବେ ମେଡିକାଲ୍ ରେ ଥିବା ୪ ଡାକ୍ତର, ୨ ଷ୍ଟାଫ ନର୍ସ, ୨ ଏ ଏନ୍ ଏମ୍ ଏବଂ ୨ ଫାର୍ମାସିଷ୍ଟ ନିଜର କାର୍ଯ୍ୟକୁ ଉତ୍ତମ ରୂପେ ତୁଲାଉଥିଲେ ମଧ୍ୟ ଏଭଳି ଅଭାବନୀୟ ସମସ୍ୟା ଲାଗି ରହିଥିବା ହେତୁ ରୋଗୀ ହନ୍ତସନ୍ତ ହେଉଛନ୍ତି । ତେବେ ତୁରନ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ବେଡ୍ ସଂଖ୍ୟା ବଢାଇବା ନିମନ୍ତେ ସାଧାରଣ ରେ ଦାବି ହେଉଛି । ଏଥିସହ ଡାକ୍ତରଙ୍କ ସଂଖ୍ୟା ବଢାଇବା ସହ ଯଦି ରୋଗୀ ଦେଖା ନିମନ୍ତେ ୨ ଟି ଓପିଡ଼ି କକ୍ଷ ଖୋଲାଯାଏ ତାହେଲେ ଆସୁଥିବା ଶହ ଶହ ରୋଗୀ ଆଉ ଧାଡ଼ିରେ ଛିଡ଼ା ହେବେ ନାହିଁ ବୋଲି ଆଶଙ୍କା କରାଯାଉଛି । ତେବେ ଜଣେ ହିଁ ଡାକ୍ତର ଓପିଡ଼ିରେ ଦେଖୁଥିବା ବେଳେ ଯଦି ଜଣେ ଦୁର୍ଘଟଣାରେ ଆହତ ହୋଇଥିବା ରୋଗୀ ଆସନ୍ତି ତାହେଲେ ଓପିଡ଼ିରେ ଥିବା ଡାକ୍ତର ଜଣକ ଅନ୍ୟ ରୋଗୀ ମାନଙ୍କୁ ଛାଡି ଦେଇ ତୁରନ୍ତ ସେଠାକୁ ଚାଲି ଯାଆନ୍ତି । ଫଳରେ ଏହି ରୋଗୀମାନେ ବହୁ ସମୟ ଧରି ଧାଡିରେ ଛିଡ଼ା ହୋଇ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି । ଅତି ଦୁଃଖ ଏବଂ ପରିତାପର ବିଷୟ ଏହିକି ଯେ ବାଲିମେଳା ଜଳ ବିଦ୍ୟୁତ ପ୍ରକଳ୍ପ ଅଧିନରେ ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି ରହିଥିଲେ ସୁଦ୍ଧା ଆଜି ଯାଏଁ ଜନ ସାଧାରଣଙ୍କ ହିତରେ କୌଣସି ଫଳପ୍ରଦ କାର୍ଯ୍ୟ ହେଉନଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ବିହୀତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

Leave A Reply

Your email address will not be published.