ଅସହାୟ ଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା କଲେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ

0 71

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କୁସୁମଜୋର ପଞ୍ଚାୟତ ବ୍ରହ୍ମଣପଡା ନିଵାସୀ ଜଣେ ଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ଜଣେ ସୁହୃଦୟ ବ୍ୟକ୍ତିତ୍ୱ ସମ୍ପନ୍ନ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ଛାତ୍ରୀ ଜଣକ କୁସୁମଜୋର ଗ୍ରାମର ସତ୍ୟବତୀ ବାଗ ଅଟନ୍ତି । ସହାୟତା ଯୋଗାଇ ଦେଇଥିବା ଶିକ୍ଷକ ଜଣକ ଖଇରପଦର ନିଵାସୀ ମହେନ୍ଦ୍ର ସୁନାନୀ ବୋଲି ଜଣାପଡିଛି । ସେ ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ପୂର୍ବତନ ସିନାପାଲି ବ୍ଲକ ଶିକ୍ଷକ ସଂଘ ସଭାପତି ଥିଲେ । ସତ୍ୟବତୀ ଜଣେ ବାପ ଛେଉଣ୍ଡ ଅସହାୟ ଛାତ୍ରୀ ହୋଇଥିବା ବେଳେ ଉଚ୍ଚଶିକ୍ଷା ପାଇଁ ତାର ଆଗ୍ରହ ଥିବା ଜାଣି ତାଙ୍କୁ ସେ ସହାୟତା ଯୋଗାଇ ଦେଇଥିବା ପ୍ରକାଶ କରିଛନ୍ତି । ଆଜି ସିନାପାଲି ମହାବିଦ୍ୟାଳୟରେ ସ୍ଥାନୀୟ ଅଧ୍ୟାପକ ଉଦିତ ନାଏକ, ମେଘନାଦ ମେହେର ଓ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀଙ୍କ ଉପସ୍ଥିତିରେ ସହାୟତା ପ୍ରଦାନ କରି ଭଲ ପାଠପଢି ସଫଳତା ହାସଲ କରିବା ପାଇଁ ଉପଦେଶ ଦେଇଥିଲେ। ପୁଣି ଆଗକୁ ଯେକୌଣସି ଅସୁବିଧା ହେଲେ ସହାୟତା କରାଯିବ ବୋଲି ଶ୍ରୀ ସୁନାନୀ ଓ ଅଧ୍ୟାପକ ବୃନ୍ଦ ପ୍ରତିଶ୍ରୁତି ଦେଇଥିଲେ । ସତ୍ୟବତୀ ବର୍ତ୍ତମାନ ଯୁକ୍ତ ତିନିରେ ଅଧ୍ୟୟନ କରୁଛି ।

ପ୍ରକାଶ ଯୋଗ୍ୟ ଯେ, ସତ୍ୟବତୀର ବାପା ଆଜକୁ ପ୍ରାୟ ସାତ ବର୍ଷ ପୂର୍ବେ ଆରପାରିକୁ ଚାଲିଗଲା ପରେ ବିଧବା ମାଆ କୁଲିମଜୁରୀ କରି ପରିବାର ପ୍ରତିପୋଷଣ କରିବା ସହିତ ସେମାନଙ୍କ ଭବିଷ୍ୟତ ଚିନ୍ତାକରି କଷ୍ଟେମଷ୍ଟେ ପାଠ ପଢାଉଥିଲା । ପରିବାର କହିଲେ ଦୁଇ ପୁଅଝିଅ ଓ ସେ ନିଜେ । ସେ ଜଣେ ବିପିଏଲ ପରିବାର ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଜମିବାଡ଼ି କିଛି ନ ଥିବା ପ୍ରକାଶ କରନ୍ତି । ବର୍ତ୍ତମାନ ମାଆ ଅସୁସ୍ଥ ହୋଇ ପଡିବାରୁ ପରିବାର ଅସହାୟ ହୋଇ ପଡିଛି । ଏଭଳି ସ୍ଥିତିରେ ସତ୍ୟବତୀର ପାଠପଢ଼ାରେ ବାଧା ସୃଷ୍ଟି ହେଉଥିଲା । କୌଣସି ସୂତ୍ରରୁ ଖବର ପାଇ ଶ୍ରୀସୁନାନୀ ସହାୟତାର ହାତ ବଢାଇଥିବାରୁ ଏହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବା ଜଣାପଡିଛି ।

Leave A Reply

Your email address will not be published.