ଓଡ଼ିଶା ଆଡ଼କୁ ମୁହାଁଇଲା ଡିଆମୁ : ୪ଦିନ ପ୍ରବଳ କାଚିବ

0 66

ନୂଆଦିଲ୍ଲୀ : ମିଆଁମାର ଉପକୂଳରେ ସୃଷ୍ଟି ହୋଇଥିବା ଡିଆମୁ ଆଜି ଲଘୁଚାପରେ ପରିଣତ ହୋଇଛି । ଏହା ୧୨ ଘଣ୍ଟାରେ ଡିପ୍ରେସନର ରୂପ ନେବା ଆଶଙ୍କା କରାଯାଉଛି । ଏହି ଲଘୁଚାପ କ୍ଷେତ୍ରଟି ପୂର୍ବ-କେନ୍ଦ୍ରୀୟ ବଙ୍ଗୋପାସଗରରେ ରହିଛି ଓ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଏହା ପ୍ରଭାବରେ ୨୫ରୁ ୨୮ ପର୍ଯ୍ୟନ୍ତ ଓଡ଼ିଶା, ପଶ୍ଚିମବଙ୍ଗ, ଉତ୍ତର ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) । ଗୁଜରାଟ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ସମେତ କେତେକ ରାଜ୍ୟରେ ମୌସୁମୀ ଚଳିତବର୍ଷ ଉପେକ୍ଷିତ ସମୟ ସୀମାଠାରୁ ଆଗରେ ରହିଛି । ଲଗାଣ ବର୍ଷା ଲାଗି ରହିଥିବାରୁ ଏବେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଥିବାବେଳେ ଚାରିଆଡ଼େ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇଛି । ଏହିଭଳି ସ୍ଥିତି ଆଗାମୀ ଚାରି ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଇଏମ୍ଡି ସତର୍କ କରାଇଛି ।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ସମ୍ପ୍ରତି ଏକ ନିମ୍ନଚାପ ଦକ୍ଷିଣ-ପଶ୍ଚିମ ଝାଡ଼ଖଣ୍ଡ ଏବଂ ଛତିଶଗଡ଼ର ଉତ୍ତରରେ ବାତ୍ୟା ପରିସ୍ଥିତି ସୃଷ୍ଟି କରୁଛି । ଆଗାମୀ ୨୪ ଘଣ୍ଟା ଭିତରେ ଏହି ନିମ୍ନଚାପ ଦୁର୍ବଳ ହେବ ଏବଂ ପରବର୍ତ୍ତୀ ତିନିଦିନରେ ପଶ୍ଚିମ-ଉତ୍ତର-ପଶ୍ଚିମ, ଉତ୍ତର ଛତିଶଗଡ଼ ଏବଂ ଉତ୍ତର ମଧ୍ୟପ୍ରଦେଶରେ ବାତ୍ୟା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି । ୨୪ ତାରିଖ ସନ୍ଧ୍ୟାରେ ପୂର୍ବ-ମଧ୍ୟ ବଙ୍ଗୋପସାଗର ଲଘୁଚାପ ଦୁର୍ବଳ ହେବ । ଫଳରେ ୨୫ ତାରିଖରୁ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ନିମ୍ନଚାପ କାରଣରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନ ଓ ଗୁଜରାଟରେ ବିକ୍ଷିପ୍ତ ଭାବେ ବର୍ଷା ହେବ । ଛତିଶଗଡ଼, ବିଦର୍ଭ ଏବଂ ମଧ୍ୟପ୍ରଦେଶରେ ୨୪ ତାରିଖରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଉତ୍ତରାଖଣ୍ଡରେ ୨୬ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ର ଆକଳନ ଅନୁଯାୟୀ ଏହା ଓଡ଼ିଶା ଉପକୂଳ ଆଡକୁ ମୁହାଁଇଛି । ତେବେ ଏହି ଲଘୁଚାପ ନିମ୍ନଚାପରେ ପରିଣତ ହୋଇଛି । ଓଡ଼ିଶା, ଛତିଶଗଡ଼,ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଗୁଜରାଟ ଦେଇ ଗତି କରିବ । ଏହା ପ୍ରଭାବରେ ଆସନ୍ତା ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ । ଏଥିପାଇଁ ରାଜ୍ୟର ୮ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି । ଏଥିପାଇଁ ଏସ୍ଆରସି ସମସ୍ତ ଜିଲ୍ଳାପାଳଙ୍କୁ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.