ଆଫଗାନ୍ ୯୫% ଲୋକ ଭୋକିଲା

0 72

କାବୁଲ : ଆଫଗାନିସ୍ତାନରେ ୯୫ ପ୍ରତିଶତ ଲୋକ ଏବେ ଭୋକିଲା । ସେଠାରେ ଭୁଶୁଡି ପଡ଼ିଛି ଆର୍ଥିକ ବ୍ୟବସ୍ଥା । ଉକ୍ରଟ କ୍ଷୁଧା ମଧ୍ୟରେ ସ୍ୱାସ୍ଥ୍ୟସେବା ମଧ୍ୟ ଧରାଶାୟୀ ହୋଇଯାଇଛି । ଗୋଟିଏ ପଟେ ତାଲିବାନୀ ବର୍ବରତା ଓ ଅନ୍ୟପଟେ କ୍ଷୁଧାର ଜ୍ୱାଳା । ଆଫଗାନବାସୀଙ୍କ ଜୀବନକୁ ଦୁର୍ବିସହ କରିଦେଇଛି । ବେକାରୀ ବଢ଼ୁଛି,ଲୋକଙ୍କ ହାତରେ ଅର୍ଥ ନାହିଁ । ଦରଦାମ ବୃଦ୍ଧି ସହିତ ବଢ଼ୁଛି କ୍ଷୁଧା । ଆଫଗାନସ୍ତାନକୁ ନେଇ ଏପରି ଉଦ୍ବେଗଜନକ ଚିନ୍ତା ପ୍ରକଟ କରିଛି ଜାତିସଂଘ ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ । ଦେଶର ୯୫ ପ୍ରତିଶତ ଲୋକଙ୍କ ପାଖରେ ଦିଓଳି ଖାଇବାକୁ ଖାଦ୍ୟ ନାହିଁ । ଭୋକ ଉପାସରେ ଦିନ କାଟୁଛନ୍ତି । କେବଳ ୫ ପ୍ରତିଶତଙ୍କ ପାଖରେ ଦୁଇଓଳା ଖାଇବାକୁ ଅଛି । ସେଥିରୁ ମଧ୍ୟ ଅଧା ଲୋକଙ୍କ ପାଖରେ ସପ୍ତାହରେ ଦିନେ ଖାଇବାକୁ ମିଳୁନି । ପରିବାରର ଜଣକୁ ସପ୍ତାହରେ ଦିନେ କାମ ମିଳିବା ମୁସ୍କିଲ୍ । ଘର ଚଳିବ କେମିତି ? ଆଫଗାନ୍ ରେ ଅରାଜକତା ଯୋଗୁ ଅର୍ଥ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି ।

ଏଭଳି ସ୍ଥିତିରେ ମରୁଡ଼ି ମଧ୍ୟ ଦାଉ ସାଧିଛି । ଯାହା ବିପଦକୁ ଦୁଇଗୁଣା ବଢ଼ାଇ ଦେଇଛି । ଖାଦ୍ୟାଭାବ ସହ ଭୁଶୁଡ଼ି ପଡ଼ିଛି ସ୍ୱାସ୍ଥ୍ୟସେବା । ଲୋକଙ୍କ ପ୍ରାଥମିକ ସ୍ୱାସ୍ଥ୍ୟସେବା ମିଳୁନି । ଔଷଧ ଅଭାବ ଯୋଗୁ ଲୋକେ ଛଟପଟ ହେଉଛନ୍ତି । ବାଧାପ୍ରାପ୍ତ ହୋଇଛି କୋଭିଡ୍ ମୁକାବିଲା । ଆନ୍ତର୍ଜାତିକ ସହାୟତା ହ୍ରାସ ପରିସ୍ଥିତିକୁ ଆହୁରି ସଂଗୀନ୍ କରିଛି । ନିକଟରେ ଆଫଗାନ ଯାଇଥିଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ । ସେଠାରେ ସ୍ୱାସ୍ଥ୍ୟସେବା ସୁଧାରିବାକୁ ତୁରନ୍ତ ୪୫ ମିଲିୟନ ଡଲାର ସାହାଯ୍ୟ ଯୋଗାଇ ଦିଆଯାଇଛି । ଚୀନ୍ କହିଛି ଆଫଗାନ୍ ଉପରୁ ଅର୍ଥନୈତିକ ପ୍ରତିବନ୍ଧକ ହଟିବା ଉଚିତ । ତାଲିବାନର ବର୍ବରତାକୁ ନେଇ କିନ୍ତୁ ବିଶ୍ୱର ଅଧିକାଂଶ ଦେଶ ଏହି ସରକାରକୁ ମାନ୍ୟତା ଦେଉନାହାନ୍ତି ।

Leave A Reply

Your email address will not be published.