ମାଡିଆସୁଛି ବାତ୍ୟା ‘ଗୁଲାବ’: କଳିଙ୍ଗପଟ୍ଟନମ୍ଗୋପ – ଗୋପାଳପୁର ମଧ୍ୟରେ ଲ୍ୟାଣ୍ଡଫଲ

0 74

-ଘଣ୍ଟା ପ୍ରତି ୮୫ କିମି ବେଗରେ ବହିବ ପବନ
-ଉପକୂଳ-ଦକ୍ଷିଣ ଓଡ଼ିଶାରେ ୨୭ ଯାଏ ବର୍ଷିବ
-ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲାପାଳଙ୍କୁ ହାଇ ଆଲର୍ଟ
-୪୨ ଓଡ୍ରାଫ, ୨୪ ଏନ୍ଡିଆରଏଫ୍ ଓ ୧୦୨ ଫାୟାର ଟିମ୍ ସଜାଗ
-ସବୁ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ

ଭୁବନେଶ୍ୱର : ମାଡି ଆସୁଛି ବାତ୍ୟା ଗୁଲାବ । ଡିପ୍ରେସନ୍ ଆଜି ନେଇଛି ସାମୁଦ୍ରିକ ଝଡର ରୂପ । ବଙ୍ଗୋପସାଗରରେ ଅବପାତ ଗଭୀର ଅବପାତରେ ପରିଣତ ହେବା ସହିତ ବାତ୍ୟାର ରୂପ ନେଇସାରିଛି । ପ୍ରଥମେ ଏହା ଘଣ୍ଟା ପ୍ରତି ୧୭ କିମି ଓ ପରେ ୧୨ କିମି ଏବଂ ୭ କିମି ବେଗରେ ଆଗକୁ ମାଡି ଚାଲିଛି । ବାତ୍ୟାର ରୂପ ନେବା ପରେ ପଶ୍ଚିମ ଦିଗରେ ଏହା ଗତି କରିବ । ରବିବାର ସନ୍ଧ୍ୟାରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳର କଳିଙ୍ଗପାଟ୍ଟନମ୍ ଏବଂ ପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଗଭୀର ଅବପାତଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆଜି ସନ୍ଧ୍ୟା ସୁଦ୍ଧା ଏହା ଏକ ବାତ୍ୟାରେ ପରିଣତ ହୋଇପାରେ । ଏହି ସମୟରେ ପବନ ବେଗ ଘଣ୍ଟା ପ୍ରତି ୬୫ରୁ ୭୫ କିଲୋମିଟର ରହିବ । ଆସନ୍ତାକାଲି ଯେତେବେଳେ ଏହା ଉପକୂଳକୁ ଅତିକ୍ରମ କରିବ ସେତେବେଳେ ପବନର ବେଗ ଘଣ୍ଟା ପ୍ରତି ୭୫ରୁ ୮୫ କିଲୋମିଟର ରହିବ । ଅତିବେଶୀରେ ପବନର ବେଗ ଘଣ୍ଟା ପ୍ରତି ୯୫ କିଲୋମିଟର ହେବ ବୋଲି ପୂର୍ବାନୁମାନ କରାଯାଇଛି । ଏହି ପବନ ହେତୁ ଛୋଟ ଛୋଟ ଗଛ ଉପୁଡ଼ି ପାରେ । ବିଶେଷତଃ ସଜନା ଓ କଦଳୀ ଆଦି ଗଛ ଉପୁଡ଼ି ପାରେ ବୋଲି ଆଇଏମଡି ଡିଜି କହିଛନ୍ତି । ସେ କହିଛନ୍ତି, ଏହା ସହିତ ଏହି ବାତ୍ୟାର ପ୍ରଭାବରେ ବର୍ଷା ହେବାର ଆଶଙ୍କା ରହିଛି ।

ବିଶେଷତଃ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସମସ୍ତ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୨୬ ତାରିଖରେ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ । ରବିବାର ମଧ୍ୟାହ୍ନ ପରେ ଗଞ୍ଜାମ, ଗଜପତି ଜିଲ୍ଲାରେ ପବନର ବେଗ ୭୫ରୁ ୮୫ କିମି ରହିବ । ସେହିପରି ଖୋର୍ଦ୍ଧା, ପୁରୀ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଘଣ୍ଟା ପ୍ରତି ୫୫ରୁ ୬୫ କିମି ବେଗରେ ପବନ ବହିପାରେ । ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ୫୫ରୁ ୬୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ବାତ୍ୟା ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ଏବଂ ଅତ୍ୟଧିକ ବର୍ଷା ହେବ । ୨୭ ତାରିଖ ସକାଳ ଯାଏ ଏହି ବର୍ଷା ଲାଗି ରହିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ବାରଣ କରାଯାଇଛି । ଧାମରା, ପାରାଦ୍ୱୀପ, ପୁରୀ ଓ ଗୋପାଳପୁରକୁ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଦକ୍ଷିଣ ଓଡ଼ିଶାରେ ପ୍ରକୋପ ଝାଡ଼ିବ ବାତ୍ୟା ଗୁଲାବ । ୭ ଜିଲ୍ଲାରେ ବର୍ଷା ଓ ପବନ ବହିପାରେ । ସେ ସବୁ ଜିଲ୍ଲାକୁ କାଲି ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଇଏମ୍ଡି । ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ସରକାର । ବର୍ଷା ଯୋଗୁ ଖାଲୁଆ ଅଞ୍ଚଳ ଜଳମଗ୍ନ ହୋଇପାରେ ।

ସେହିପରି ଆଜିଠାରୁ ୨୭ ତାରିଖ ପର୍ଯ୍ୟନ୍ତ କୌଣସି ମତ୍ସଜୀବୀ ସମୁଦ୍ର ମଧ୍ୟକୁ ଯିବା ଉଚିତ୍ ନୁହେଁ । ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି) ପ୍ରଦୀପ ଜେନା କହିଛନ୍ତି, ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ । ୨୬ ଓ ୨୭ ତାରିଖରେ ବର୍ଷା ପରିମାଣ ଅଧିକ ରହିବ । ହେଲେ ପବନର ବେଗ ଅଳ୍ପ ରହିବ । ସେ କହିଛନ୍ତି, ଭାରତୀୟ ପାଣିପାଗ କାର୍ଯ୍ୟାଳୟର ପୂର୍ବାନୁମାନ ଅନୁସାରେ ବାତ୍ୟା ପ୍ରଭାବରେ ରାଜ୍ୟର ୭ଟି ଜିଲ୍ଲାରେ ଅଧିକ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି । ସେହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ ଓ ମାଲକାନଗିରି । ସେ ଆହୁରି କହିଛନ୍ତି, ବାତ୍ୟା ନେଇ କାଲିଠାରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି । ୭ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା ସହ ପ୍ରସ୍ତୁତି ଜାରି ରହିଛି । ପ୍ରଭାବିତ ହେବାକୁ ଥିବା ୭ ଜିଲ୍ଲା ସହ ନୟାଗଡ଼ରେ ମଧ୍ୟ ଓଡ୍ରାଫ୍ ଓ ଏନ୍ଡିଆର୍ଏଫ୍ ଟିମ ମୁତୟନ କରାଯିବ । ଓଡ୍ରାଫ୍ରେ ୪୨ ଓ ଏନ୍ଡିଆର୍ଏଫ୍ରେ ୨୪ଟ ଓି ଟିମ୍ ମୁତୟନ କରାଯିବ । ପ୍ରବଳ ବର୍ଷା ଯୋଗୁ କେତେକ ସ୍ଥାନରେ ଫ୍ଲାସ୍ ଫ୍ଲଡ୍ ହୋଇପାରେ । ଋଷିକୂଲ୍ୟା, ନାଗାବଳୀ ଓ ବଂଶଧାରାରେ ବନ୍ୟା ଆସିପାରେ । ଏହି ବାତ୍ୟା “ତିତ୍ଲି’ ଭଳି ହେବ ବୋଲି ଅନୁମାନ କରାଯାଉଛି । ଏଣୁ ଗଜପତି ଓ ରାୟଗଡ଼ା ଜିଲ୍ଲାରେ ଭୂସ୍ଖଳନ ହୋଇପାରେ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ରବିବାର ସମ୍ଭାବ୍ୟ ବତ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଜରୁରିକାଳୀନ ସହାୟତା ଲାଗି ଟୋଲ୍ ଫ୍ରି ନମ୍ବର- ୧୫୫୪ ଜାରି ହୋଇଛି ।

Leave A Reply

Your email address will not be published.