ଝାଡଖଣ୍ଡ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ

0 76

-ଓଡିଆ ଭାଷା ଓ ଓଡିଶାର ସ୍ୱାର୍ଥକୁ ଗୁରୁତ୍ୱ ଦେବାକୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଓଡ଼ିଆ ଭାଷାର ସୁରକ୍ଷା ନେଇ ପଡ଼ୋଶୀ ରାଜ୍ୟ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଏବଂ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡୀଙ୍କୁ ପୃଥକ ପୃଥକ ପତ୍ର ଲେଖିବା ସହ ଓଡିଆ ଭାଷା ଓ ଓଡିଶାର ସ୍ୱାର୍ଥକୁ ଗୁରୁତ୍ୱ ଦେଇ ପଦକ୍ଷେପ ନେବାକୁ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିବାକୁ ଅନୁରୋଧ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପତ୍ର ଲେଖି ଜାତୀୟ ଶିକ୍ଷା ନୀତି୨୦୨୦ରେ ଥିବା ମୂଲ୍ୟବୋଧକୁ କାର୍ଯ୍ୟକାରୀ କରିବା ସହ ଝାଡଖଣ୍ଡରେ ଓଡ଼ିଆ ଭାଷାଭାଷୀ ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଛନ୍ତି । ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ୨୦୧୧ ସେପ୍ଟେମ୍ବର ୧ରେ ଝାରଖଣ୍ଡ ସରକାର ଅନ୍ୟ ୫ଟି ଆଂଚଳିକ ଭାଷା ସହ ଓଡ଼ିଆ ଭାଷାକୁ ରାଜ୍ୟର ଦ୍ୱିତୀୟ ସରକାରୀ ଭାଷା ଭାବେ ମାନ୍ୟତା ଦେଇଥିଲେ । ଅନେକ ଗୁଡ଼ିକ ବିବାଦ ଯୋଗୁଁ ଏହି ଓଡ଼ିଆ ମାଧ୍ୟମ ସ୍କୁଲ ବନ୍ଦ ହେବାରେ ଲାଗିଛି । ଓଡ଼ିଆ ମାଧ୍ୟମ ସ୍କୁଲରେ ଶିକ୍ଷକମାନେ ଅବସର ନେବା ପରେ ରାଜ୍ୟ ଶିକ୍ଷା ବିଭାଗ ଓଡ଼ିଆ ମାଧ୍ୟମ ସ୍କୁଲ ଗୁଡ଼ିକରେ ହିନ୍ଦି ଭାଷାଭାଷୀ ଶିକ୍ଷକଙ୍କୁ ନିଯୁକ୍ତି ଦେଉଅଛି । ଏନସିଇଆରଟି ସର୍କୁଲାର୍ ଫ୍ରେମ୍ ୱାର୍କ ଆଧାରରେ ଓଡ଼ିଆ ପୁସ୍ତକ ପ୍ରକାଶନ କରିବା ପାଇଁ ଝାଡଖଣ୍ଡ ରାଜ୍ୟ ପ୍ରାଧିକରଣକୁ ଏନସିଇଆରଟି କପି ରାଇଟ୍ ଦେଇଛି କିନ୍ତୁ ଏହା ଉପରେ ପଦକ୍ଷେପ ନିଆଯାଇନାହିଁ । ଓଡ଼ିଆ ଭାଷାଭାଷା ସମ୍ପ୍ରଦାୟ ବସବାସ କରୁଥିବା ଅଂଚଳ ଗୁଡ଼ିକରେ ଓଡ଼ିଆ ମାଧ୍ୟମିକ ସ୍କୁଲ ଗୁଡ଼ିକୁ ଝାଡଖଣ୍ଡ ରାଜ୍ୟ ଶିକ୍ଷା ବିଭାଗ ହିନ୍ଦି ମାଧ୍ୟମିକ ସ୍କୁଲକୁ ମିଶାଇ ଦେଉଛ । ୨୦୦୬-୦୭ ମସିହାରୁ ଝାରଖଣ୍ଡରେ ଓଡ଼ିଆ ଭାଷା କହୁଥିବା ଛାତ୍ରଛାତ୍ରୀଙ୍କୁ ସବୁ ବିଷୟରେ ପୁସ୍ତକ ପ୍ରଦାନ କରାଯାଉ ନାହିଁ । ଓଡ଼ିଶା ଭାଷାରେ ଗବେଷଣା ଏବଂ ଶିକ୍ଷାରେ ଅଧ୍ୟୟନ କରୁଥିବା ଲିଙ୍ଗ୍ୟୁଷ୍ଟିକ୍ ମାଇନୋରିଟି ସ୍କଲାରଙ୍କ ପାଇଁ ବୃତିକୁ ବନ୍ଦ କରି ଦିଆଯାଇଛି ।ନୂତନ ଶିକ୍ଷା ନୀତି – ୨୦୨୦ରେ ଥିବା ମୂଲ୍ୟବୋଧ ଏବଂ ଝାଡଖଣ୍ଡରେ ବସବାସ କରୁଥିବା ଓଡ଼ିଆ ଭାଷାଭାଷୀ ଛାତ୍ରଛାତ୍ରୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରେ ବ୍ୟକ୍ତିଗତ ହସ୍ତକ୍ଷେପ କରି ଝାଡଖଣ୍ଡରେ ବସବାସ କରୁଥିବା ଓଡ଼ିଆ ଭାଷା କହୁଥିବା ଜନସଂଖ୍ୟାକୁ ଓଡ଼ିଆ ଭାଷାରେ ଶିକ୍ଷା ପ୍ରଦାନ କରିବା ଓ ସହଜ କରିବା ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି ।

ସେହିପରି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡୀଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ସୀମା ନିର୍ଦ୍ଧାରଣ ପରେ ଓଡ଼ିଶା ତଥା ଆନ୍ଧ୍ରପ୍ରଦେଶର ସୀମାନ୍ତବର୍ତୀ କେତେକ ବିଦ୍ୟାଳୟ ଯଥାକ୍ରମେ ଆନ୍ଧ୍ରପ୍ରଦେଶ ଏବଂ ଓଡିଶାର ବିଦ୍ୟାଳୟ ବ୍ୟବସ୍ଥାରେ ମିଶି ଯାଇଛନ୍ତି । ଫଳସ୍ୱରୂପ, ଦୁଇ ରାଜ୍ୟର ବିଦ୍ୟାଳୟରେ ଅନେକ ଓଡ଼ିଆ ଏବଂ ତେଲୁଗୁ ଭାଷାଭାଷୀ ପିଲା ସଂଖ୍ୟାଲଘୁ ଗୋଷ୍ଠୀରେ ପରିଣତ ହୋଇଛନ୍ତି । ଓଡ଼ିଆ ଶିଖିବାକୁ ଇଚ୍ଛା କରୁଥିବା ବିଶାଖାପାଟନମ୍ ଏବଂ ଶ୍ରୀକାକୁଲମ୍ ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ସହଯୋଗ ଦିଆଯାଉ ନାହିଁ । କିନ୍ତୁ ଓଡିଶାରେ ତେଲୁଗୁ ଭାଷା ଶିଖିବାକୁ ଛାତ୍ରଛାତ୍ରୀଙ୍କୁ ସହଯୋଗ ଦିଆଯିବା ସହ ଶିକ୍ଷକ ନିଯୁକ୍ତ କରାଯାଉଛି । ଆନ୍ଧ୍ରପ୍ରଦେଶ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ମାଧ୍ୟମିକ ପୁସ୍ତକ ପ୍ରଦାନ କରାଯାଇନାହିଁ ।

ଓଡ଼ିଆ ଭାଷାଭାଷୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଗ୍ରହଣରେ ଉପଯୁକ୍ତ ପରିବେଶ ସୃଷ୍ଟି କରିବା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ପ୍ରଥମତଃ ଆନ୍ଧ୍ର ସୀମାବର୍ତୀ ଥିବା ସ୍କୁଲ ଗୁଡ଼ିକରେ ଓଡ଼ିଆ ଭାଷାର ପ୍ରୋତ୍ସାହନ, ଦ୍ୱିତୀୟତଃ ସୀମାରେ ଥିବା ସ୍କୁଲ ଗୁଡ଼ିକରେ ଓଡ଼ିଆ ଶିକ୍ଷକ ନିଯୁକ୍ତି ଏବଂ ଆନ୍ଧ୍ର ପ୍ରଦେଶରେ ଓଡ଼ିଆ ମାଧ୍ୟମିକ ଶିକ୍ଷା ଆପଣାଇଥିବା ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ସମୟରେ ଓଡ଼ିଆ ପୁସ୍ତକ ପ୍ରଦାନ କରିବା ପାଇଁ ସେ ତିନୋଟି ପରାମର୍ଶ ଦେଇଛନ୍ତି ।

କେନ୍ଦ୍ର ସରକାର ଏବଂ ମନ୍ତ୍ରଣାଳୟ ବିବାଦକୁ ସମାଧାନ କରିବା ପାଇଁ ପ୍ରତିଶୃତିବଦ୍ଧ ଏବଂ ସେ ନିଜେ ବ୍ୟକ୍ତିଗତ ସ୍ତରରେ ବିବାଦ ଗୁଡ଼ିକର ଆପୋସ ସମାଧାନ ପାଇଁ ସାହାଯ୍ୟ କରିବା ପାଇଁ ପତ୍ରରେ ପ୍ରତିଶ୍ରୁତି ଦେଇଛନ୍ତି । ଓଡ଼ିଶା, ଆନ୍ଧ୍ର ସୀମାରେ ଥିବା ଗାଁର ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରେ ବ୍ୟକ୍ତିଗତ ସ୍ତରରେ ହସ୍ତକ୍ଷେପ କରନ୍ତୁ ଏବଂ ତ୍ୱରିତ ପଦକ୍ଷେପ ନେଇ ଉଭୟ ରାଜ୍ୟ ମଧ୍ୟରେ ଆପୋସ ବୁଝାମଣା କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.