ପଟ୍ଟାମୁଣ୍ଡାଇ ବାଇପାସ ପୂର୍ତ ବିଭାଗ ରାସ୍ତା ପାଲଟିଛି ମରଣଯନ୍ତା

0 67

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ସହର ପୁରୁଣା ବାଇପାସ ପୋଲ ଠାରୁ ଅଳଭା ପର୍ଯ୍ୟନ୍ତ ପୂର୍ତ ବିଭାଗ ରାସ୍ତା ମରଣଯନ୍ତା ପାଲଟିଛି । ରାସ୍ତାର ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଆଣ୍ଠୁଏ ଲେଖାଏଁ ଗାଢ ସୃଷ୍ଟି ହୋଇ ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ସାମାନ୍ୟ ବର୍ଷା ହେଲେ ଏହି ସବୁ ଖାଲଖମାରେ ପାଣି ଭର୍ତି ହୋଇ ଗାଡିଆର ଭ୍ରମ ସୃଷ୍ଟି କରୁଛି । ତେବେ ପୂର୍ତ ବିଭାଗ ପକ୍ଷରୁ ପ୍ରତିବର୍ଷ ଉଣାଅଧିକେ ରାସ୍ତା ମରାମତି ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଅବସ୍ଥା ସୁଧୁରି ପାରୁନାହିଁ ।ଏହି ରାସ୍ତା ଉପରେ ପଟ୍ଟାମୁଣ୍ଡାଇ ପୌରାଚଂଳର ତନୁପୁର, ବାଲିପଡା, ନୂଆଗାଁ, ଅଳଭା ଆଦି ଗ୍ରାମର ଲୋକମାନେ ଦୈନିକ ନିର୍ଭର କରୁଥିବାବେଳେ ପଟ୍ଟାମୁଣ୍ଡାଇରୁ ରାଜନଗରକୁ ଏହି ରାସ୍ତା ଦେଇ ଦୈନିକ ଶହ ଶହ ଗାଡିମୋଟର ଓ ଭାରୀଯାନ ଗୁଡିକ ଚଳାଚଳ କରୁଛି । ପୁନଃଶ୍ଚ ଅଳଭା ଠାରୁ ମଦନପୁର ପର୍ଯ୍ୟନ୍ତ ରାସ୍ତାର ଅବସ୍ତା ମଧ୍ୟ ଗୁରୁତର ହୋଇପଡିଛି ।

ଏହି ରାସ୍ତା ଉପରେ ଶାସନ, ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର, ଚନ୍ଦନଗର, ସଂସାରଫଳ ଆଦି ପଚାଂୟତ ଗୁଡିକର ହଜାର ଜନସାଧାରଣ ନିର୍ଭର କରନ୍ତି । ଏକଦା ପଟ୍ଟାମୁଣ୍ଡାଇରୁ ରାଜନଗରକୁ ସଂଯୋଗ କରୁଥିବା ଏହି ରାସ୍ତା ଏହି ଅଚଂଳର ଲାଇଫଲାଇନ ବୋଲି କୁହାଯାଉଥିଲା ।ପଟ୍ଟାମୁଣ୍ଡାଇ ଉତିକଣ ବନ୍ୟାବନ୍ଧ ଉପରେ ନିର୍ମାଣ କରାଯାଇଥିଭା ଏହି ରାସ୍ତାର ଉପରି ଭାଗ ପୂର୍ତ ବିଭାଗ ଅଧୀନରେ ଥିବାବେଳେ ବନ୍ଧର ଉଭୟପାର୍ଶ୍ଵ ଜଳସଂପଦ ବିଭାଗ ଅଧୀନରେ ରହିଛି । ଦ୍ୱୈତ ବିଭାଗ ଦାୟିତ୍ୱରେ ଥିବାରୁ ଏବଂ ଉଭୟ ବିଭାଗ ମଧ୍ୟରେ ତାଖମେଳ ରହୁନଥିବାରୁ ଏହି ରାସ୍ତାଟି ଚରମ ଅବହେଳାର ଶିକାର ହୋଇଆସୁଛି । ଏହି ରାସ୍ତା ଦେଇ ଯାନବାହନ ଯାତାୟତ କରୁଥିବା ସମୟରେ ଦୈନିକ ଛୋଟବଡ ଦୂର୍ଘଟଣାମାନ ଘଟୁଥିବା ଲକ୍ଷ୍ୟ କରାଯାଉଛି । ପଟ୍ଟାମୁଣ୍ଡାଇ ପୁରୁଣା ବାଇପାସ ପୋଲ ଛକ ଠାରୁ କେନାଲ ପୋଲ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଅତ୍ୟନ୍ତ ଖରପ ଅବସ୍ଥାରେ ରହିଛି ।କରୋନା ପାଇଁ ଗତ ୨ ବର୍ଷ ହେବ ପଟ୍ଟାମୁଣ୍ଡାଇ ପରିବା ହାଟ, ମାଛ ମାର୍କେଟ, ଶୁଖୁଆ ହାଟ ଓ ମାଂସ ବଜାରକୁ ଏହି ରାସ୍ତା ପାର୍ଶ୍ଵରେ ଅବସ୍ଥାପିତ କରାଯାଇଛି । ଏହି ସ୍ଥାନକୁ ପନିପରିବା, ମାଛମାଂସ, ଶୁଖୁଆ କିଣିବା ପାଇଁ ଦୈନିକ ହଜାର ହଜାର ଲୋକଙ୍କ ସମାଗମ ହେଉଛି । ରାସ୍ତା ସାରା ଗାଢ ସୃଷ୍ଟି ହୋଇଥିବାରୁ ହାଟ ରାସ୍ତା ଦେଇ ଯାନବାହନ ଚଳାଚଳ ସମୟରେ ଲୋକମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ଏହି ରାସ୍ତାରେ ପାଦରେ ଚାଲି ଚାଲି ଯାଉଥିବା ପଥଚାରୀମାନେ ଖାଲଖମାରେ ପଡି ଲହୁଲୁହାଣ ହେଉଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ପୁନଃନିର୍ମାଣ ପାଇଁ ବିଭାଗୀୟ କର୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.