ବିଜେପି ଆଣ୍ଠେଇଲା, କଂଗ୍ରେସ ପେଟେଇଲା : ନବୀନଙ୍କ ଲୋକପ୍ରିୟତା ଆଗରେ ବିରୋଧୀ ଫିକା

0 70

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଅତୁଟ ରହିଛି । ଯାହା ପିପିଲି ଉପନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହେବା ସହିତ ବିରୋଧୀ ଦଳ ପାଇଁ ଶକ୍ତ ଝଟ୍କା ଆଣିଛି । ଉପନିର୍ବାଚନରେ ବିଜେଡି କ୍ରମାଗତ ଭାବେ ତାର ବିଜୟ ଅଭିଯାନ ଜାରି ରଖିଛି । ବିଜେପୁର, ବାଲେଶ୍ୱର, ତିର୍ତ୍ତୋଲ ପରେ ପିପିଲି ମିଶନ ସଫଳ ହୋଇଛି । ବିଜେଡି ସୁପ୍ରିମୋଙ୍କ ପଞ୍ଚମ ପାଳିର ପିପିଲି ହେଉଛି ଚତୁର୍ଥ ଭିଟ୍ରି । ବାରମ୍ବାର ବିରୋଧୀମାନେ ବିଜେଡି
ବିରୋଧରେ ଲଢ଼ି ଫେଲ ହେଉଛନ୍ତି । ଉପନିର୍ବାଚନ ପ୍ରଚାର ଓ ହାୱାରେ ବିଜେପି ଫାଇଟ୍ ଦେବା ସତ୍ତେ୍ୱ ବିଜେଡିର ବିଜୟ ବ୍ୟବଧାନକୁ କମାଇ ପାରିଲା ନାହିଁ । ପିପିଲି ଉପନିର୍ବାଚନରେ ୨୦ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଜିତିଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଆଶାନୁରୂପ ଭୋଟ ପାଇଲେ ନାହିଁ । କଂଗ୍ରେସ କଥା ନ କହିବା ଭଲ । ଅମାନତ ହରାଇଲା ଦଳ । ଫଳାଫଳ ଆସିବା ପୂର୍ବରୁ ଦଳୀୟ ନେତୃତ୍ୱ ହାତ ଟେକିଦେଲେ ।

ବିଜେଡିର ସାଙ୍ଗଠନିକ ପରିଚାଳନା ଓ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଆଗରେ ସେସବୁ ତୁଚ୍ଛ ବୋଲି ପୁନର୍ବାର ପ୍ରମାଣିତ ହୋଇଛି । ସବୁ ଉଦ୍ୟମ ସତ୍ତେ୍ୱ ଦଳ ଆଶ୍ରିତଙ୍କୁ ବିଜୟୀ କରିପାରିଲା ନାହିଁ । ଆଶ୍ରିତଙ୍କ ପାଇଁ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ସମ୍ବିତ ପାତ୍ର, ଅପରାଜିତ ଷଡ଼ଙ୍ଗୀ ଏବଂ ସମୀର ମହାନ୍ତିଙ୍କ ଭଳି ହେଭିୱେଟ୍ ନେତା ପ୍ରଚାର କରିଥିଲେ । କିନ୍ତୁ ପିପିଲି ପ୍ରଚାର ମଇଦାନକୁ ନଯାଇ ମଧ୍ୟ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଯୋଗୁ ଦଳ ପୁଣି ବିପୁଳ ଭୋଟ ବ୍ୟବଧାନରେ ବିଜୟଲାଭ କଲା । ଯୁଦ୍ଧକ୍ଷେତ୍ରରେ ଶତ୍ରୁପକ୍ଷଙ୍କୁ ଦମନ କରିବାର ରଣକୌଶଳ କେବଳ ବିଜେଡିକୁ ଭଲ ଭାବରେ ଜଣା ବୋଲି ରାଜ୍ୟବାସୀ ଜାଣିସାରିଲେଣି । ଖାଲି ପିପିଲି ନିର୍ବାଚନ ନୁହେଁ,୨୦୨୦ ଉପନିର୍ବାଚନରେ ବିଜେପିଠାରୁ ବିଜେଡି ବାଲେଶ୍ୱର ଆସନକୁ ଛଡ଼ାଇ ଆଣିଥିଲା । ନବାଗତ ସ୍ୱରୂପ ଦାସଙ୍କୁ ପ୍ରାର୍ଥୀ କରିଥିଲେ ନବୀନ । ଆଉ ସଫଳ ମଧ୍ୟ ହୋଇଥିଲେ । ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ, ନବୀନଙ୍କ ଲୋକପ୍ରିୟତା ଆଗରେ ବିରୋଧୀ ସମ୍ପୂର୍ଣ୍ଣ ରୂପେ ଫିକା । ଏବେ ପିପିଲିରେ ପୁଣି ସଫଳତା ଦୋହରାଇଛି ବିଜେଡି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ବିଜେଡିର ସାଙ୍ଗଠନିକ ଶକ୍ତି ଖୁବ୍ ସୁଦୃଢ଼ ଏବଂ ପ୍ରାର୍ଥୀଙ୍କ ଜିତିବା ସକାଶେ ମୁଖ୍ୟମନ୍ତ୍ରୀଙ୍କୁ ଆଉ ଭୋଟରଙ୍କ ପାଖକୁ ଯିବାକୁ ପଡ଼ିବ ନାହିଁ । ପିପିଲି ଫଳାଫଳ ଆଗାମୀ ପଞ୍ଚାୟତ ନିର୍ବାଚନରେ କର୍ମୀଙ୍କ ମନୋବଳ ବଢ଼ାଇବ ବୋଲି ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି । ବିକାଶ ସହ ଲୋକ ରହିଛନ୍ତି । ନବୀନ ହେଉଛନ୍ତି ଜନନେତା । ତାଙ୍କ ନେତୃତ୍ୱ ଉପରେ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ରହିଛି । ସବୁ ଉପନିର୍ବାଚରେ ବିଜେଡି ବାଜିମାତ୍ କରିଛି । ପଞ୍ଚାୟତ ନିର୍ବାଚନରେ ମଧ୍ୟ ଦଳ ବିପୁଳ ବିଜୟ ହାସଲ କରିବ ବୋଲି ଶ୍ରୀ ମିଶ୍ର
ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.