ଓଡ଼ିଶା ମୁହାଁ ହୋଇପାରେ ବାତ୍ୟା

0 74

-୧୦ରେ ଲଘୁଚାପ ସୃଷ୍ଟି ସମ୍ଭାବନା
-୫ଦିନ ସମୁଦ୍ରରେ ରହି ବଳ ଗୋଟାଇବ

ଭୁବନେଶ୍ୱର : ଚଳିତବର୍ଷ ବଙ୍ଗୋପସାଗରରୁ ବାରମ୍ବାର ଲଘୁଚାପ ସୃଷ୍ଟି ହେବାରେ ଲାଗିଛି । ସେପ୍ଟେମ୍ବରରେ ୩ଟି ଲଘୁଚାପ ଓ ଗୋଟିଏ ବାତ୍ୟା ପରେ ଏବେ ଅକ୍ଟୋବରରେ ବି ବଙ୍ଗୋପସାଗରରେ ଲଘୁଚାପ ଦାନା ବାନ୍ଧିଲାଣି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ରିପୋର୍ଟ ଅନୁସାରେ ଉତ୍ତର-ଆଣ୍ଡାମାନ ସାଗରରେ ଆସନ୍ତା ୮-୯ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ୧୦ ତାରିଖ ବେଳକୁ ଏହା ଏକ ଲଘୁଚାପରେ ପରିଣତ ହେବ । ପରବର୍ତ୍ତୀ ୪-୫ ଦିନରେ ଏହା ଆହୁରି ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଏହା ଏକ ବାତ୍ୟା ରୂପ ନେଇ ଦକ୍ଷିଣ-ଓଡ଼ିଶା ଓ ଉତ୍ତର-ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବାର ସମ୍ଭାବନା ରହିଛି ବୋଲି ଆଇଏମ୍ଡି କହିଛି । ଏହି ଲଘୁଚାପଟି ବାତ୍ୟାରେ ପରିଣତ ହେଲେ ତାହାର ନାଁ “ଜାୱାଦ’ ରଖାଯିବ । ସାଉଦି ଆରବ ପକ୍ଷରୁ ଏହି ନାମକରଣ କରାଯାଇଛି ।

ଏହି ବାତ୍ୟା ଓଡ଼ିଶା ଆଡ଼କୁ ଆସୁଥିବାରୁ ଚଳିତବର୍ଷ ଦଶହରା ଉତ୍ସବ ଫିକା ପଡ଼ିବାର ସମ୍ଭାବନା ରହିଛି । କରୋନା କଟକଣା ଯୋଗୁଁ ପୂର୍ବରୁ ହିଁ ଦଶହରାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ କମ୍ ଥିଲା । ଏବେ ବାତ୍ୟା ଆସୁଥିବାରୁ ଦଶହରା ସଂପୂର୍ଣ୍ଣ ଧୋଇଯିବାର ଆଶଙ୍କା ଦେଖାଦେଇଛି । ବରିଷ୍ଠ ପାଣିପାଗ ବିଜ୍ଞାନୀ ତଥା ଘରୋଇ ପାଣିପାଗ ସଂସ୍ଥା ଆକ୍ୟୁୱେଦରର ଅନ୍ତର୍ଜାତୀୟ ଫୋରକାଷ୍ଟ ମ୍ୟାନେଜର ଜାକସନ୍ ନିକୋଲସ୍ଙ୍କ ଆକଳନ ଅନୁସାରେ ଆସନ୍ତା ସପ୍ତାହରେ ବଙ୍ଗୋପସାଗରର ଆଣ୍ଡାମାନ୍ ନିକଟରେ ଲଘୁଚାପ ସୃଷ୍ଟି ହେବ । ଏହା କ୍ରମଶଃ ଅବପାତରେ ପରିଣତ ହେବ । ପରେ ବାତ୍ୟାର ରୂପ ନେଇ ପୂର୍ବ ଭାରତ ଆଡକୁ ମୁହାଁଇବ । ତେବେ ଏହା କେଉଁଆଡେ ମୁହାଁଇବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ସେହିପରି ୟୁରୋପିଆନ୍ ପାଣିପାଗ ସଂସ୍ଥା ଇସିଏମଡବ୍ଲୁଏଫ୍ ମଡେଲ ଅନୁଯାୟୀ ୧୦/୧୧ ତାରିଖ ବେଳକୁ
ଲଘୁଚାପ୍ କ୍ଷେତ୍ରରେ ସୃଷ୍ଟିର ସମ୍ଭାବନା ରହିଛି । ତିନି ଚାରିଦିନ ଭିତରେ ଅଧିକ ଘନୀଭୂତ ହୋଇ ୧୫ ତାରିଖ ବେଳକୁ ଗଭୀର ଅବପାତ କିମ୍ବା ବାତ୍ୟାର ରୂପ ନେଇପାରେ । ମଡେଲ ମୁତାବକ ଏହା ଉତ୍ତର ଓ ଉପକୂଳ ଆନ୍ଧ୍ର କିମ୍ବା ଦକ୍ଷିଣ ଓଡ଼ିଶା ମୁହାଁ ହେବ । ଏସବୁ ଭିତରେ ପଶ୍ଚିମ ରାଜସ୍ଥାନ ଏବଂ ସଂଲଗ୍ନବର୍ତ୍ତୀ ଗୁଜରାଟର କିଛି ଅଂଶରୁ ମୌସୁମୀ ଫେରିଛି ।

Leave A Reply

Your email address will not be published.