ବ୍ରହ୍ମଗିରିରୁ ମିଶନ ଉପକୂଳ : ପୁରୀ ଧାମର ବିକାଶ ଆମ ଦାୟିତ୍ୱ

0 61

-ବିଏସ୍କେୱାଇ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
-ଉପକୃତ ହେବେ ୩ ଲକ୍ଷ ୬୪ ହଜାର ପରିବାର
-ହଜାରେ କୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ
-୩୦୦ ଶଯ୍ୟା ବିଶିଷ୍ଟ ହେବ ପୁରୀ ଜିଲ୍ଲା ହସ୍ପିଟାଲ

ବ୍ରହ୍ମଗିରି : ମାଲକାନଗିର, ସୁନ୍ଦରଗଡ, ବଲାଙ୍ଗୀର, ଗଜପତି ପରେ ପୁରୀ ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମଗିରିର କେରାଣ୍ଡିଆରେ ଏହାର ଶୁଭାରମ୍ଭ କରିଛନ୍ତି । ଏଥିରେ ପୁରୀ ଜିଲ୍ଲାର ୩ଲକ୍ଷ ୬୪ହଜାର ପରିବାର ଏହି କାର୍ଡର ସୁବିଧା ପାଇବେ । ଏଥିସହିତ ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୁରୀ ଜିଲ୍ଲାର ଜନସାଧାରଣ ଆମର ବିକାଶ କାର୍ଯ୍ୟକ୍ରମକୁ ସବୁବେଳେ ଦୃଢ ସମର୍ଥନ ଦେଇ ସରକାରଙ୍କ ହାତମୁଠାରୁ ଟାଣ କରିଛନ୍ତି । ସେଥିପାଇଁ ପୁରୀବାସୀଙ୍କୁ ଧନ୍ୟବାଦ ଦେବା ସହିତ ଜିଲ୍ଲାବାସୀଙ୍କ ସ୍ନେହ ଓ ଆଦରକୁ ପାଥେୟ କରି ବିକାଶ କାର୍ଯ୍ୟକ୍ରମକୁ ଆହୁରି ଆଗକୁ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ପୁରୀ ଜିଲ୍ଲାର ବିକାଶ ପାଇଁ ନିଆଯାଇଥିବା ବିଭିନ୍ନ ଫ୍ଲାଗ୍ଶିପ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ମହାପ୍ରଭୁଙ୍କ ପବିତ୍ରଧାମ ପୁରୀର ବିକାଶ ହେଉଛି ଆମର ପବିତ୍ର ଦାୟିତ୍ୱ । ପିଇବା ପାଣି କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏବେ ପୁରୀର ଜନସାଧାରଣ ଟ୍ୟାପ୍ରୁ ସିଧାସଳଖ ଫିଲଟର ମାନର ପାଣି ପାଇପାରୁଛନ୍ତି । ଏଭଳି ସୁବିଧା ପାଇବାରେ ପୁରୀ ହେଉଛି ସାରା ଦେଶରେ ପ୍ରଥମ ଏବଂ ପୁରୀବାସୀ ଲଣ୍ଡନ, ନ୍ୟୁୟର୍କ ସହରର ଲୋକଙ୍କ ଭଳି ସୁବିଧା ପାଉଛନ୍ତି ବୋଲି ସେ କହିଥିଲେ । ସ୍ମାର୍ଟ ହେଲଥ୍ କାର୍ଡ ଯୋଜନା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହାଦ୍ୱାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଏହାଦ୍ୱାରା ଆମର ଗରିବ ଲୋକମାନେ ସ୍ୱାସ୍ଥ୍ୟସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ । ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ । ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ଚାଷୀ ହେଉ ବା ମୂଲିଆ ବା ରିକ୍ସା ବାଲା-ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ।

କାର୍ଯ୍ୟକ୍ରମରେ ଯୋଜନା ବୋର୍ଡର ଅଧ୍ୟକ୍ଷ ସଂଜୟ ଦାସବର୍ମା କହିଥିଲେ ରାଜ୍ୟ ସରକାର ଜଳସେଚନ ଓ ଜଳ ନିଷ୍କାସନ କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ୧୧ଟି ପଞ୍ଚାୟତରେ ମେଗା ଜଳପ୍ରକଳ୍ପ ପାଇଁ ୧୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ବ୍ରହ୍ମଗିରିରେ ୮ଟି ବ୍ରିଜ୍ ନିର୍ମାଣ କରିଛନ୍ତି । ଡେଲାଙ୍ଗ ମୁଖ୍ୟ ରାସ୍ତା ପୂର୍ଣ୍ଣ ହୋଇଛି । ରୂପାନ୍ତରିତ କାର୍ଯ୍ୟକ୍ରମରେ ୧୫୧ଟି ସ୍କୁଲ ନିର୍ମାଣ ହେବ । ଏଥିରୁ ବ୍ରହ୍ମଗିରି ବ୍ଲକ୍ରେ ୨୬ଟି ସାମିଲ ରହିଛି । ସେହିପରି ବ୍ରହ୍ମଗିରି ବିକାଶରେ ୩ଟି ଗ୍ରୀଡ଼ କାମ ପୂରା ହୋଇଛି । ବ୍ରହ୍ମଗିରିର ୨୭ଖଣ୍ଡ ଗାଁରେ ସୁରକ୍ଷା ପ୍ରାଚୀର ଆବଶ୍ୟକତା ରହିଛି । ୧୯୯୯ ମସିହା ମହାବାତ୍ୟା ପରେ ବ୍ରହ୍ମଗିରି ବ୍ଲକ୍ରେ ଥିବା ୮୨ କିମି ବେଳାଭୂମି ଅଧିକ କ୍ଷତିଗ୍ରସ୍ତ ହୋଇଛି । ଗତ ଫନି ବାତ୍ୟାରେ ପୁରୀ ଜିଲ୍ଲା ପାଇଁ ୧୧୦୦ କୋଟି ଟଙ୍କା ମଞ୍ଜୁରି କରିଥିଲେ । ଗୋପାଳପୁର-ଦୀଘା କୋଷ୍ଟାଲ ଜାତୀୟ ରାଜପଥକୁ ପୂରା କରିବାରେ ମୁଖ୍ୟମନ୍ତ୍ରୀ ସବୁଜ ସଂକେତ ଦେଇଛନ୍ତି । ପୁରୀ ସାଂସଦ ପିନାକୀ ମିଶ୍ର କହିଥିଲେ, ଚିଲିକା ଉପରେ ବ୍ରିଜ ନିର୍ମାଣ କରାଗଲେ ଏଠାକାର ଲୋକଙ୍କ ପାଇଁ ଆଶୀର୍ବାଦ ସ୍ୱରୂପ ହେବ । ଦଳମତ ଛାଡ଼ି ସମସ୍ତେ ବିକାଶ ପାଇଁ କାମ କଲେ ଭଲ ହୋଇପାରିବ । ଓଡ଼ିଶା ଆଜି ଯାହା ଚିନ୍ତା କରୁଛି, ତାହା ଅନ୍ୟ ରାଜ୍ୟରେ ଲାଗୁ ହେଉଛି । ରାଜ୍ୟ ଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି, ପୁରୀ ଜିଲ୍ଲା ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ଦିନ । ଓଡ଼ିଶାବାସୀ ଜାଣନ୍ତି, ନବୀନ ବାବୁ ଯାହା କୁହନ୍ତି, ତାକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତି । ସ୍ୱାସ୍ଥ୍ୟ ପାଇଁ ଓଡ଼ିଶା ଯାହା କରୁଛି, ତାହା ଓଡ଼ିଶା ବାହାରେ ନାହିଁ । ପୁରୀବାସୀ ଖୁସି ଯେ, ୯୬ ହଜାର ଘର ମଞ୍ଜୁରି କରିଛନ୍ତି । କୌଣସି ଗୋଟିଏ ପରିବାରର ଚାଳ ଘର ନରୁହେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରୟାସ କରିଛନ୍ତି ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ୩୩୦୦ ସ୍କୁଲ ରୂପାନ୍ତରିତ କାର୍ଯ୍ୟରେ ପରିଣତ ହେବ । ଭାରତରେ ଓଡ଼ିଶା ୧ ନମ୍ବର ରାଜ୍ୟ ହେବା ପାଇଁ ନବୀନ ପଟ୍ଟନାୟକ ବଡ଼ ଲକ୍ଷ୍ୟ ରଖିଛନ୍ତି । ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ କହିଲେ, ଶ୍ରୀକ୍ଷେତ୍ର ପୁରୀ ପାଇଁ ଆଜି ଖୁସି ଖବର । ସ୍ମାର୍ଟ କାର୍ଡ ଯୋଜନାରୁ ସାରା ଓଡ଼ିଶାର ଲୋକେ ଉପକୃତ ହେବେ । ବିଜୁ ସ୍ୱାସ୍ଥ୍ୟ କାର୍ଡ ଓଡ଼ିଶାର ଲୋକଙ୍କ ପାଇଁ ଆଶୀର୍ବାଦ ସଦୃଶ । ମୁଖ୍ୟମନ୍ତ୍ରୀ ଏଥି ପାଇଁ ପ୍ରତି ପରିବାରକୁ ୨ଟି ଲେଖାଏଁ କାର୍ଡ ଦେଇଛନ୍ତି । ପୁରୀ ଜିଲ୍ଲାରେ ୩୦ ହଜାର ପରିବାରକୁ ଆଜି ସ୍ୱାସ୍ଥ୍ୟ କାର୍ଡ ଦିଆଯାଉଛି । ଗାଁକୁ କାମ ଓ ମା’ଙ୍କୁ ସମ୍ମାନ ଦେଇଛନ୍ତି ନବୀନ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଥିଲେ ଯେ, ମୁନି ଋଷିମାନେ ବହୁ ବର୍ଷ ତପସ୍ୟା କଲେ ମଧ୍ୟ ମାନବସେବା ଜାଣିପାରନ୍ତି ନାହିଁ । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାହା ଜାଣିଛନ୍ତି । ଗଜପତି ଜିଲ୍ଲା ମୋହନା ବ୍ଲକରେ ମା’ମାନେ ନବୀନଙ୍କ କାର୍ଯ୍ୟକଳାପକୁ ବହୁ ପ୍ରଶଂସା କରିଛନ୍ତି । ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବ୍ରହ୍ମଗିରି ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟା ଉପସ୍ଥାପାନ କରିଥିଲେ । ବ୍ରହ୍ମଗିରିରେ ଫନି ସମୟରେ ହରାଇଥିବା କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରାଯାଉଛି । ଚିଳିକାର ଆରପାଖରେ ଥିବା ୮୦,୦୦୦ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଜୈବ ବିବିଧତା, ପରିବେଶ, ଡଲଫିନ, ବିଦେଶାଗତ ପକ୍ଷୀ ଅଛନ୍ତି । କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରି ଏହି ସମସ୍ୟାର ସମାଧାନ କରିବାକୁ ଦାବି କରିଥିଲେ । ସେ କହିଥିଲେ ଯେ,କୃଷ୍ଣପ୍ରସାଦରୁ ସାତପଡ଼ା ପର୍ଯ୍ୟନ୍ତ ଯୋଗାଯୋଗ ବ୍ୟବସ୍ଥା କରାଗଲେ ଲୋକେ ଉପକୃତ ହୋଇପାରନ୍ତେ । ଏହି କାର୍ଯ୍ୟକ୍ରମରେ ୫-ଟି ସଚିବ ଭିକେ ପାଣ୍ଡିଆନ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

କେଉଁ କଥା ମୁଖ୍ୟମନ୍ତ୍ରୀଙ୍କୁ ଅସ୍ଥିର କରେ :

ମଞ୍ଚରେ ମନ କଥା କହିଲେ ମୁଖ୍ୟମନ୍ତ୍ରୀ । ବ୍ରହ୍ମଗିରିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହେଲଥ କାର୍ଡ ବଣ୍ଟନ ବେଳେ ମନ କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରିବାରର କେହି ସଦସ୍ୟ ଅସୁସ୍ଥ ହୋଇପଡ଼ିଲେ, ଆମ ଚିନ୍ତା ବଢ଼ିଯାଇ ଥାଏ । ସବୁଠାରୁ ବଡ଼ ଚିନ୍ତା ଥାଏ ଚିକିତ୍ସା ପାଇଁ ଟଙ୍କା । ଚିକିତ୍ସା ପାଇଁ କିଏ ଜମି ବିକେ ତ କିଏ ସୁନା ବିକେ । କେହି କେହି ଋଣ କରିବା ସହ ପିଲାଙ୍କ ପାଠପଢ଼ା ବନ୍ଦ କରି ଦେଇଥାନ୍ତି । ଏକଥା ଶୁଣି ବହୁତ ଦୁଃଖ ଲାଗେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦେଶରେ ମାଇଲଖୁଣ୍ଟ ସ୍ଥାପନ କରିଛି । ଦେଶରେ ପ୍ରଥମ ରାଜ୍ୟ ଭାବେ ଲୋକଙ୍କୁ ଏଭଳି ସୁବିଧା ଯୋଗାଉଛି ଓଡ଼ିଶା । ରାଜ୍ୟର ୯୬ ଲକ୍ଷ ପରିବାର ବିଏସ୍କେୱାଇ କାର୍ଡ ପାଇବେ । ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷାର ସମସ୍ତ ହିତାଧିକାରୀଙ୍କୁ ବିଏସ୍କେୱାଇ କାର୍ଡ ମିଳିବ । ରାଜ୍ୟର ସାଢ଼େ ୩ କୋଟି ଲୋକ ଉପକୃତ ହେବେ । ଦେଶର ୨ଶହରୁ ଅଧିକ ବଡ଼ ବଡ଼ ହସ୍ପିଟାଲରେ ଏହି କାର୍ଡ ଜରିଆରେ ମାଗଣାରେ ଚିକିତ୍ସା ସେବା ମିଳିବ । ଏହି ଯୋଜନାରେ ପରିବାରର ସଦସ୍ୟଙ୍କ ପାଇଁ ବର୍ଷକୁ ୫ଲକ୍ଷ ଟଙ୍କା ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ଖର୍ଚ୍ଚ ମିଳିବ । ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ମାର୍ଟ କାର୍ଡ ଆପଣଙ୍କ ଏହି ସମସ୍ୟା ଦୂର କରିବ । ଚିକିତ୍ସା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି, ଏଣୁ ଆପଣ ଏ ଟଙ୍କାରୁ ସଞ୍ଚୟ କରିପାରିବେ । ପିଲାଙ୍କ ପାଠପଢା଼ ସହ ପରିବାରର ଉନ୍ନତି ପାଇଁ ଖର୍ଚ୍ଚ କରିପାରିବେ । ସିଏଚ୍ସିରୁ ନେଇ ସରକାରୀ ମେଡିକାଲରେ ସରକାର ଚିକିତ୍ସା ଖର୍ଚ୍ଚ ବହନ କରୁଛନ୍ତି । ସରକାରୀ ମେଡିକାଲରେ ଡାଏଲେସିସ୍,କେମୋଥେରାପି, ସିଟି ସ୍କାନ୍, ଏମ୍ଆରଆଇ ସୁବିଧା ମାଗଣାରେ ଉପଲବ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ଚାଷୀ ହେଉ ବା ମୂଲିଆ ବା ରିକ୍ସା ବାଲା, ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ । ପ୍ରତି ପରିବାରର ଉନ୍ନତିରେ ରାଜ୍ୟର ଉନ୍ନତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.