ଆସିଲା ବିଶ୍ୱର ପ୍ରଥମ ମ୍ୟାଲେରିଆ ଟିକା : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମତି

0 59

-ପ୍ରତିବର୍ଷ ଯାଉଛି ୪ଲକ୍ଷ ଜୀବନ
-୨ବର୍ଷୀୟ ଶିଶୁଙ୍କୁ ଦିଆଯିବ ୪ ଡୋଜ୍
-୨୦୧୯ରୁ ଘାନା, କେନିଆରେ ଚାଲିଥିଲା ପ୍ରୋଜେକ୍ଟ

ନୂଆଦିଲ୍ଲୀ : ମ୍ୟାଲେରିଆ ମାତ୍ ଦେବ ଭ୍ୟାକ୍ସିନ୍ । ବିଶ୍ୱର ପ୍ରଥମ ମ୍ୟାଲେରିଆ “ମୋସ୍କୁଇଟ୍ରିକ୍ସ’/RTS, S/AS01 ଟିକାକୁ ଅନୁମତି ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ୨୦୧୯ରୁ ଘାନା, କେନିଆ, ମଲାବୀରେ ମ୍ୟାଲେରିଆ ଭ୍ୟାକ୍ସିନ୍ ନେଇ ପାଇଲଟ୍ ପ୍ରୋଗ୍ରାମ ଚାଲିଥିଲା । ଏହାଦ୍ୱାରା ବହୁତ ଲୋକ ମ୍ୟାଲେରିଆ ଜନିତ ମୃତ୍ୟୁ ମୁଖରୁ ରକ୍ଷା ପାଇପାରିବେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଧିକାରୀମାନେ ସାମ୍ବାଦିକ ସମ୍ମୀଳନୀରେ କହିଛନ୍ତି ୨୦୧୯ ମସିହାରୁ କେନିଆ ଓ ମଲାବିଠାରେ ସମ୍ପୃକ୍ତ ଟିକାର ଉପରେ ହୋଇଥିବା ପ୍ରାୟୋଗିକ ପରୀକ୍ଷା ଓ ସମୀକ୍ଷାକରଣ ପରେ RTS,S/AS01 ମ୍ୟାଲେରିଆ ଟିକାକୁ ବ୍ୟବହାର ଅନୁମତି ଦିଆଯାଇଛି । ଏଠାରେ ୨ଲକ୍ଷରୁ ଅଧୀକ ଟିକା ଦିଆଯାଇଥିଲା, ଯାହାକି ଜିଏସ୍କେ ଫାର୍ମାସ୍ୟୁଟିକାଲ କମ୍ପାନୀ ଦ୍ୱାରା ୧୯୮୭ ମସିହାରେ ତିଆରି ହୋଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରିୟସସ ଖବରଦାତାମାନଙ୍କୁ କହିଛନ୍ତି ଯେ ଅତିକମରେ ତିନୋଟି ଆଫ୍ରିକୀୟ ଦେଶରେ ଆରଟିଏସ୍ ଭ୍ୟାକ୍ସିନର ସଫଳ ପ୍ରାୟୋଗିକ ପରୀକ୍ଷଣ ପରେ ଏହାକୁ ବ୍ୟବହାର ପାଇଁ ମଞ୍ଜୁରି ପ୍ରଦାନ କରାଯାଇଛି । ହୁ’ର ପରାମର୍ଶ ଦେଉଥିବା ସଂସ୍ଥା ଓ ମ୍ୟାଲେରିଆ ଗବେଷଣା ଦଳର ବୈଜ୍ଞାନିକମାନେ ଟିକାକୁ ସଫଳ ଓ ଏହା ମାରାତ୍ମକ ମ୍ୟଲେରିଆ ରୋଗରୁ ରକ୍ଷା କରିବ ବୋଲି କହିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିବା ଅନୁସାରେ ଆଫ୍ରିକାରେ ବର୍ତ୍ତମାନ ଅଧୀକ ଶିଶୁ ମୃତ୍ୟୁ ମ୍ୟାଲେରିଆ କାରଣରୁ ହେଉଛି । ଏହାଯୋଗୁ ପ୍ରତିବର୍ଷ ଏଠାରେ ୨ଲକ୍ଷ ୬୦ ହଜାରରୁ ଅଧୀକ ଶିଶୁଙ୍କର ମୃତ୍ୟୁ ହେଉଛି ।

ପ୍ରତ୍ୟେକବର୍ଷ ମ୍ୟାଲେରିଆ କାରଣରୁ ୪ଲକ୍ଷ ଲୋକଙ୍କ ଜୀବନହାନି ହେଉଛି ବୋଲି ହୁ’ର ଏକ ରିପୋର୍ଟରେ ଦର୍ଶାଯାଇଛି । ମ୍ୟାଲେରିଆ ଯୋଗୁଁ ପ୍ରତି ଦୁଇ ମିନିଟରେ ଜଣେ ଶିଶୁର ମୃତ୍ୟୁ ହେଉଛି । ସୂଚନା ଅନୁସାରେ ଛୋଟ ପିଲା ଓ ଗର୍ଭବତୀ ମହିଳାମାନେ ମ୍ୟାଲେରିଆରେ ଅଧବକ ସଂକ୍ରମିତ ହୋଇଥାଆନ୍ତି । ୨୦୧୯ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଟିକାର ପ୍ରଥମ ପ୍ରାୟୋଗିକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ଏହି ସମୟରେ ଘାନା, କେନିଆ ଓ ମଲାବୀରେ ୮ଲକ୍ଷ ଶିଶୁଙ୍କୁ ପରୀକ୍ଷଣ ଭିତ୍ତିରେ ଏହି ଟିକା ଦିଆଯାଇଥିଲା । ଫଳସ୍ୱରୂପ ଉପ ସାହାରା ଆଫ୍ରିକାରେ ମ୍ୟାଲେରିଆର ସାଧାରଣ ସଂକ୍ରମଣକୁ ୩୯ ପ୍ରତିଶତ ଓ ଗମ୍ଭିର ମାମଲାକୁ ୨୯ ପ୍ରତିଶତ କମାଇ ଦେଇଥିଲା । ସୂଚନାଥାଉ କି ଦୀର୍ଘ ଚାରି ବର୍ଷର ପରୀକ୍ଷଣ ପରେ ଏହା ସଫଳ ହୋଇଛି । ହୁ’ର ମହାନିର୍ଦ୍ଦେଶକ ଆହୁରି କହିଛନ୍ତି ଶିଶୁଙ୍କ ପାଇଁ ଅପେକ୍ଷାରେ ଥିବା ମ୍ୟଲେରିଆ ଭ୍ୟାକ୍ସିନ ପିଲାମାନଙ୍କର ସ୍ୱାସ୍ଥ୍ୟ ଓ ମ୍ୟାଲେରିଆ ନିୟନ୍ତ୍ରଣ କ୍ଷେତ୍ରରେ ଏକ ବଡ଼ ସଫଳତା । ମ୍ୟାଲେରିଆ ନିରୋଧୀ ଉପକରଣରେ ଏହା ଶୀର୍ଷରେ ରହିବା ସହିତ ଯୁବବର୍ଗଙ୍କ ଜୀବନ ବଞ୍ଚାଇବାରେ ସହାୟକ ହେବ । ଏହି ଭ୍ୟାକ୍ସିନ ବ୍ରିଟିସ ଔଷଧ କମ୍ପାନୀ ଗ୍ଲାକ୍ସୋ ସ୍ମିଥ୍ କ୍ଲାଇନ (ଜିଏସ୍କେ) ଦ୍ୱାରା ପ୍ରସ୍ତୁତ କରାଯାଇଛି ।

Leave A Reply

Your email address will not be published.