କୋଇଲା ସଂକଟ : ଅନ୍ଧାର ହେବ ଅଧା ଭାରତ!

0 65

ନୂଆଦିଲ୍ଲୀ : ଅଧା ଭାରତରେ ଛାଇଯିବ ଅନ୍ଧକାର । ଘନେଇଲାଣି ବିଦ୍ୟୁତ ସଙ୍କଟ । ଦେଖାଦେଲାଣି କୋଇଲା ଅଭାବ । ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ ସମେତ ଦେଶର ଅନେକ ରାଜ୍ୟ ଏବେ ବିଦ୍ୟୁତ୍ ସଙ୍କଟ ଦେଇ ଗତି କରୁଛନ୍ତି । ଏହି ରାଜ୍ୟଗୁଡିକର କୋଇଲା ଭିତ୍ତିକ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ କିଛି ଦିନ ପାଇଁ ହିଁ କେବଳ କୋଇଲା ଷ୍ଟକ୍ ଅଛି । ଯଦି ଏହି ସମସ୍ୟାର ସମାଧାନ ନ ହୁଏ ତେବେ ଅଧା ଭାରତ ବ୍ଲାକଆଉଟ୍ ହୋଇଯିବ । କୋଇଲା ଯୋଗାଣକୁ ସ୍ୱାଭାବିକ କରିବାକୁ ଏହି ରାଜ୍ୟଗୁଡିକ କେନ୍ଦ୍ର ସରକାର ଏବଂ ଶକ୍ତି ମନ୍ତ୍ରଣାଳୟକୁ ଗୁହାରି କରିଛନ୍ତି । ଯଦି ଏହି ସମସ୍ୟା ସମାଧାନ ନହୁଏ ତେବେ ସେମାନଙ୍କୁ ବ୍ଲାକ୍ଆଉଟ୍ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ । ସେପଟେ ରାଜଧାନୀ ଦିଲ୍ଲୀ ସମେତ ଅନେକ ରାଜ୍ୟରେ ବିଜୁଳି କାଟ୍ ଆରମ୍ଭ ହୋଇଯାଇଛି । ତେବେ ଶକ୍ତି ମନ୍ତ୍ରଣାଳୟ ଅନୁଯାୟୀ ଯୋଗାଣକୁ ସ୍ୱାଭାବିକ କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି । ଖୁବଶୀଘ୍ର ଏହି ସଙ୍କଟ ଦୂର ହୋଇଯିବ ବୋଲି ଶକ୍ତି ମନ୍ତ୍ରଣାଳୟ ଦାବି କରିଛି । କୋଇଲା ମନ୍ତ୍ରଣାଳୟ ମଧ୍ୟ ସପ୍ତାହରେ ଦୁଇଥର କୋଇଲା ଷ୍ଟକ୍ ସମୀକ୍ଷା କରିବା ପାଇଁ ଦୁଇଟି ଟିମ୍ ଗଠନ କରିଛି ।

ସୂଚନାଯୋଗ୍ୟ, ଦେଶର ଥର୍ମାଲ ପାୱାର ପ୍ଲାଣ୍ଟରେ କୋଇଲାର ଘୋର ଅଭାବ ଦେଖାଦେଇଛି । ଦେଶର ୧୩୫ ପ୍ଲାଣ୍ଟରେ କୋଇଲାରୁ ବିଜୁଳି ଶକ୍ତି ଉତ୍ପାଦନ ହୋଇଥାଏ । ଏଥିରୁ ମୋଟ୍ ଚାହିାଦର ୭୦% ବିଜୁଳି ମିଳିଥାଏ । ଏହି ସବୁ ପ୍ଲାଣ୍ଟମାନଙ୍କରେ ତିନି ଦିନରୁ କମ ସମୟରେ କୋଇଲା ଗଚ୍ଛିତ ଅଛି । ଏଥିସହ ରାଜସ୍ଥାନ, ତାମିଲନାଡୁ ଏବଂ ଓଡିଶା ପରି କୋଇଲା ସମ୍ବଳ ରାଜ୍ୟରେ ମଧ୍ୟ କୋଇଲାର ଗମ୍ଭୀର ସଙ୍କଟ ରହିଛି । ଓଡ଼ିଶାରେ ମଧ୍ୟ କୋଇଲା ସଂକଟ ଦେଖାଦେଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ଉକ୍ରଳ ଚାମ୍ବରସ୍ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ( ୟୁସିସିଅ।ଇ ) । ଜରୁରିକାଳୀନ ଭିତ୍ତିରେ ଏହାର ସମାଧାନ ପାଇଁ ପଦକ୍ଷେପ ନେବାକୁ ୟୁସିସିଆଇ ପକ୍ଷରୁ ଅନୁରୋଧ କରାଯାଇଛି ।

ଦେଶରେ ବିଜୁଳି ସଂକଟ ନାହିଁ :

ଦେଶର ଅନେକ ରାଜ୍ୟରେ ଦେଖାଦେଇଛି କୋଇଲା ଅଭାବ । ଏଥିଯୋଗୁଁ ବିଦ୍ୟୁତ ସଙ୍କଟ ଘନେଇବାରେ ଲାଗିଛି । ରାଜ୍ୟଗୁଡିକ ପାଖରେ ବେଶ୍ କମ୍ କୋଇଲା ଗଚ୍ଛିତ ରହିଛି । ଏଭଳି ସ୍ଥିତିରେ କୌଣସି ବିଦ୍ୟୁତ ସଙ୍କଟ ନାହିଁ । ଏନେଇ ଅଯଥା ଅପପ୍ରଚାର କରାଯାଉଛି ବୋଲି କହିଛନ୍ତି କେନ୍ଦ୍ର ଶକ୍ତିମନ୍ତ୍ରୀ । ଆଜି ବିଦ୍ୟୁତ ସଙ୍କଟ ନେଇ ଦିଲ୍ଲୀରେ କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍ କେ ସିଂହଙ୍କ ଘରେ କେତେକ ଘରୋଇ ବିଦ୍ୟୁତ କମ୍ପାନୀ ଓ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ବସିଥିଲା । ଏଥିରେ କୋଇଲା ଅଭାବ ଦୂର କିଭଳି କରାଯାଇପାରିବ ସେ ନେଇ ଆଲୋଚନା ହୋଇଥିଲା । ବୈଠକ ପରେ କେନ୍ଦ୍ର ଶକ୍ତିମନ୍ତ୍ରୀ କହିଛନ୍ତି, ରାଜଧାନୀ ଦିଲ୍ଲୀରେ କୌଣସି ପ୍ରକାରର ବିଦ୍ୟୁତ ସଙ୍କଟ ନାହିଁ । ଆମ ପାଖରେ କୋଇଲା ଭରପୂର ଷ୍ଟକ ରହିଛି । କୋଇଲା ଷ୍ଟକ୍ ଉପରେ ଶକ୍ତି ମନ୍ତ୍ରାଳୟ ନଜର ରଖିଛି । ସଙ୍କଟ ନେଇ ଅଯଥା ଅପପ୍ରଚାର କରାଯାଉଛି । ଏନେଇ ଆମେ ଟାଟା ପାୱାର ସିଇଓଙ୍କୁ ଚେତାବନୀ ଦେଇଛୁ । ଉପଭୋକ୍ତାଙ୍କୁ କୌଣସି ଭିତ୍ତିହୀନ ମେସେଜ ଦେଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି । ସାରା ଦେଶରେ ବିଦ୍ୟୁତ୍ କେନ୍ଦ୍ରକୁ ଆବଶ୍ୟକ ପରିମାଣର ଗ୍ୟାସ୍ ଯୋଗାଣ ଜାରି ରଖିବାକୁ ମୁଁ ଗେଲ ସିଏମ୍ଡିଙ୍କୁ କହିଛି । ଯୋଗାଣ ଜାରି ରହିବ ବୋଲି ସେ ମୋତେ ଆଶ୍ୱାସନା ଦେଇଛନ୍ତି । ଅତୀତରେ ଗ୍ୟାସର ଅଭାବ ନଥିଲା କିମ୍ବା ଭବିଷ୍ୟତରେ ଏହା ଘଟିବ ନାହିଁ ବୋଲି କେନ୍ଦ୍ର ଶକ୍ତିମନ୍ତ୍ରୀ କହିଛନ୍ତି । ଶକ୍ତିମନ୍ତ୍ରୀଙ୍କ ବାସଭବନରେ ହୋଇଥିବା ଉକ୍ତି ବୈଠକରେ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ କୋଇଲା ଅଭାବ ସମ୍ପର୍କରେ ବିଏସଇବି ଏବଂ ଟାଟା ପାୱାରର ପ୍ରତିନିଧୀ ତଥା ମନ୍ତ୍ରଣାଳୟର ଅଧିକାରୀମାନେ ଯୋଗ ଦେଇଥିଲେ ।

ସୂଚନା ମୁତାବକ, ଥର୍ମାଲ ପାୱାର ପ୍ଲାଣ୍ଟରେ ଆଗାମୀ କିଛି ଦିନ ପାଇଁ ହିଁ କୋଇଲା ଷ୍ଟକ୍ ଅଛି । ଏଭଳି ସ୍ଥିତିରେ ଅନେକ ରାଜ୍ୟ ସ୍ପଷ୍ଟ କରିଦେଛନ୍ତି ଯେ, ଯଦି ଏପରି ପରିସ୍ଥିତି ଉପୁଜେ ତେବେ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା କଷ୍ଟସାଧ୍ୟ ହେବ । ଦିଲ୍ଲୀ, ପଞ୍ଜାବ ଏବଂ ରାଜସ୍ଥାନ ଭଳି ରାଜ୍ୟ ବିଦ୍ୟୁତ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ଦିଲ୍ଲୀ ସରକାର ସ୍ପଷ୍ଟ କରିଛନ୍ତି ଯେ, ଯଦି କୋଇଲା ଯୋଗାଣ ସୁଗମ ନୁହେଁ, ତେବେ ଦିଲ୍ଲୀର ଲୋକଙ୍କୁ ବ୍ଲାକଆଉଟ୍ ପରିସ୍ଥିତିର ସାମ୍ନା କରିବାକୁ
ପଡିପାରେ । ସେପଟେ ପଞ୍ଜାବ, ରାଜସ୍ଥାନ ଭଳି ରାଜ୍ୟମାନେ ନିଜ ସହରରେ ବିଦ୍ୟୁତ୍ କାଟ କରି ଯୋଗାଣକୁ ସ୍ୱାଭାବିକ ରଖିବାକୁ ଚେଷ୍ଟା କରୁଛନ୍ତି ।

Leave A Reply

Your email address will not be published.