ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ବଦାନ୍ୟତା, ମୃତ ବ୍ୟକ୍ତିଙ୍କ ପରିବାରକୁ ମିଳିଲା ୨୦ ଲକ୍ଷ ଟଙ୍କାର ବୀମା ରାଶି

0 72

କୋଟପାଡ଼ : ବ୍ୟାଙ୍କରେ ବାର୍ଷିକ ଏକ ହଜାର ଟଙ୍କା ପ୍ରିମିଅମ ପ୍ରଦାନ କରି ଜଣେ ବ୍ୟକ୍ତି ୨୦ ଲକ୍ଷ ଟଙ୍କାର ଜୀବନ ବୀମା କରିଥିଲେ । ଆଉ ବୀମା କରିବାର କିଛି ମାସ ମଧ୍ୟରେ ସାପ କାମୁଡ଼ାରେ ମୃତ୍ୟୁବରଣ କରିଥିଲେ । ତେବେ ଏହି ଜୀବନ ବୀମା ବିଷୟରେ ମୃତକଙ୍କ ପରିବାର ଜାଣି ନଥିଲେ ମଧ୍ୟ ବ୍ୟାଙ୍କ ପକ୍ଷରୁ ସେମାନଙ୍କୁ ଅବଗତ କରାଯାଇ ୨୦ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରାଯାଇଛି । କୋରାପୁଟ ଜିଲ୍ଲା କୋଟପାଡ଼ରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ସୂଚନା ଅନୁଯାୟୀ, କୋଟପାଡ଼ ବ୍ଲକ ଅନ୍ତର୍ଗତ କୁସୁମୀ ଗ୍ରାମର ସମ୍ବାରୁ ହରିଜନ ୨୦୨୦ ମସିହାରେ ସ୍ଥାନୀୟ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଏହି ଜୀବନ ବୀମା କରିଥିଲେ । ହେଲେ ଏନେଇ ତାଙ୍କ ପରିବାରର କୌଣସି ସଦସ୍ୟ ଅବଗତ ନଥିଲେ । ଦୁର୍ଭାଗ୍ୟବଶତଃ ଗତବର୍ଷ ଜୁଲାଇରେ ସାପ କାମୁଡ଼ାରେ ତାଙ୍କ ମୃତ୍ୟୁ ହୋଇଥିଲା । ଏହାର କିଛି ମାସ ପରେ ମୃତ ସମ୍ବାରୁ ହରିଜନଙ୍କ ପୁଅ ଜଗବନ୍ଧୁ ହରିଜନ ବ୍ୟାଙ୍କରେ ଥିବା ବାପାଙ୍କୁ ଖାତାରୁ କିଛି ଟଙ୍କା ଉଠାଇବା ପାଇଁ ଯାଇଥିଲେ । ଏହି ସମୟରେ ବ୍ୟାଙ୍କର ଆକାଉଣ୍ଟାଣ୍ଟ ସନ୍ଦୀପ ମହାନ୍ତି ତାଙ୍କ ବାପାଙ୍କ ଜୀବନ ବୀମାର ୨୦ ଲକ୍ଷ ଟଙ୍କା ଆସିଥିବା ବିଷୟରେ ଅବଗତ କରିଥିଲେ । ଆଉ ଏହା ଜାଣବା ପରେ ଅଟୋ ଚଳାଇ ପରିବାର ଚଳାଉଥିବା ଜଗବନ୍ଧୁ ହରିଜନ ବିଶ୍ୱାସ କରିପାରି ନଥିଲେ । ଏତେ ଗୁଡ଼ିଏ ଟଙ୍କା ତାଙ୍କ ପାଇଁ ସ୍ୱପ୍ନ ଭଳି ଲାଗିଥିଲା । କିନ୍ତୁ ବ୍ୟାଙ୍କ ମ୍ୟାନେଜର ସୁଶାନ୍ତ କୁମାର ପଡାଲ ଜଗବନ୍ଧୁଙ୍କୁ ଏନେଇ ସୁନିଶ୍ଚିତ କରିବା ପରେ କରିବା ପରେ ସେ ଆଶ୍ୱସ୍ତ ହୋଇଥିଲେ । ପରବର୍ତୀ ସମୟରେ ବ୍ୟାଙ୍କ ପକ୍ଷରୁ ସମସ୍ତ ଆବଶ୍ୟକୀୟ କାଗଜପତ୍ର କାମ ଶେଷ କରାଯାଇ ଜଗବନ୍ଧୁଙ୍କୁ ୨୦ ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଥିଲା । କୋଟପାଡ଼ରେ ପ୍ରଥମ ଥର ଲାଗି ଜୀବନ ବୀମା ଦ୍ୱାରା କୌଣସି ବ୍ୟକ୍ତିଙ୍କ ପରିବାର ଏତେ ଗୁଡ଼ିଏ ଟଙ୍କା ପାଇଥିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯିବା ସହ ଅଞ୍ଚଳବାସୀ ସମସ୍ତ କର୍ମଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.