ନୟାଗଡ-ଜଗତ୍ସିଂହପୁରରେ ବିକାଶର ନୂଆ ବିପ୍ଳବ : ଗରିବଙ୍କୁ ସଶକ୍ତ କରିବ ବିଏସ୍କେୱାଇ

0 63

-ଦୁଇ ଜିଲ୍ଲାକୁ ମୋଟ ୧୮୦୦ କୋଟିର ଭେଟି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ନୟାଗଡ ଓ ଜଗତସିଂହପୁର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ନୟାଗଡର ୭.୭୦ ଲକ୍ଷ ଲୋକ ଏହି ସୁବିଧା ପାଇବା ବେଳେ ଜଗତସିଂହପୁରର ପ୍ରାୟ ୯ ଲକ୍ଷ ଲୋକ ସ୍ମାର୍ଟ କାର୍ଡ ପାଇବେ । ଏହାସହିତ ରାଜ୍ୟର ୨୮ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ । ଏହି ଅବସରରେ ଉଭୟ ଜିଲ୍ଲାରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ୍ କାର୍ଡ ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରୂପାନ୍ତର ଆଣିପାରିବ । ଏହାଦ୍ୱାରା ଗରିବ ଲୋକମାନେ ପ୍ରକୃତରେ ସଶକ୍ତ ହୋଇପାରିବେ ବୋଲି ସେ ମତବ୍ୟକ୍ତ କରିଥିଲେ । ମୁଖ୍ୟମନ୍ତ୍ରୀ ନୟାଗଡ ଜିଲ୍ଲାରେ ୧୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ନୟାଗଡ ମାଟିର ଗୌରବ ପ୍ରସିଦ୍ଧ ଜ୍ୟୋର୍ତିବିଜ୍ଞାନୀ ପଠାଣୀ ସାମନ୍ତ ତଥା ସଂଗ୍ରାମୀ, ଶହୀଦ ରଘୁ ଦିବାକରଙ୍କୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସାରା ରାଜ୍ୟରେ ପିଇବା ପାଣି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନୟାଗଡରେ ୧୦୦୦ କୋଟି ଟଙ୍କା ବିନିଯୋଗରେ ଏକ ମେଗା ପାଇପ ପାଣି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ଏବଂ ଏହାଦ୍ୱାରା ଜିଲ୍ଲାର ୮ ଲକ୍ଷ ଲୋକ ଭଲ ପିଇବା ପାଣି ପାଇପାରିବେ । ନୟାଗଡର ମିଶନ ଶକ୍ତିର ମା’ ମାନଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେମାନଙ୍କ ବିଜିନେସରେ ସୁବିଧା ପାଇଁ ୧୬୪କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଛି । ସେହିପରି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ମଧ୍ୟ ଜିଲ୍ଲାରେ ଭଲ କାମ ହେଉଛି ବୋଲି କହିଥିଲେ ।

ସେହିପରି ଜଗତସିଂହପୁରରେ ଅଧିଷ୍ଠାତ୍ରୀ ଦେବୀ ମା’ ସାରଳାଙ୍କୁ ପ୍ରଣାମ ଜଣାଇ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ପିଇବା ପାଣି ଉପରେ ରାଜ୍ୟ ସରକାରଙ୍କ ସର୍ବାଧିକ ଗୁରୁତ୍ୱ ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଜଗତସିଂହପୁର ଓ ପାରାଦୀପ ସହରର ସବୁ ପରିବାରକୁ ପାଇପ ପାଣିର ସୁବିଧା ଯୋଗାଇ ଦିଆଯାଇଛି । ଜିଲ୍ଲାର ଗ୍ରାମାଞ୍ଚଳରେ ପାଇପ ପାଣିର ସୁବିଧା ପାଇଁ ଏକ ବୃହତ୍ ପାଇପ ପାଣି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ସେ ଘୋଷଣା କରିଥିଲେ । ସେ ଯେ ଜଗତସିଂହପୁର ଜିଲ୍ଲା ରାଜ୍ୟର ଏକ ଆଗୁଆ ଜିଲ୍ଲା ଏବଂ ଏହା କୃଷି, ଶିଳ୍ପ ସବୁ କ୍ଷେତ୍ରରେ ଉନ୍ନତ । ଅନେକ ସରକାରୀ ଯୋଜନା ଏଠାରେ ସଫଳ ଭାବରେ କାର୍ଯ୍ୟକାରୀ ହେଉଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ମିଶନ ଶକ୍ତି ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଜିଲ୍ଲାରେ ବହୁତ ଭଲ କାମ ହେଉଛି । ଚଳିତବର୍ଷ ସେପ୍ଟେମ୍ବର ୧ ତାରିଖରୁ ସାରା ରାଜ୍ୟରେ ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡରେ ସେବା ପ୍ରଦାନ ଆରମ୍ଭ ହୋଇଛି । ସେହିଦିନଠାରୁ ଓଡିଶାର ସ୍ୱାସ୍ଥ୍ୟ ସେବାରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି । ସ୍ମାର୍ଟ ହେଲଥ୍ କାର୍ଡ ଦ୍ୱାରା ଆମର ଗରିବ ଲୋକମାନଙ୍କ ଚିନ୍ତା ଦୂର ହୋଇଛି । ଏଥିରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ବୋଲି ସେ କହିଥିଲେ । ସ୍ୱାସ୍ଥ୍ୟସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ ।

ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ । ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ଚାଷୀ ହେଉ ବା ମୂଲିଆ ବା ରିକ୍ସା ବାଲା-ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ । ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ସେ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂଠାରୁ ଆରମ୍ଭକରି ଟ୍ରିଟମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ନୟାଗଡରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା, କୃଷି ମନ୍ତ୍ରୀ ଡ. ଅରୁଣ ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ଜଗତସିଂହପୁରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଜଳସଂପଦ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ,ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ୱ ଓ ଦୂରଦର୍ଶୀ କାର୍ଯ୍ୟକ୍ରମ ଯୋଗୁ ଓଡିଶା ଆଜି ବିଭିନ୍ନ କ୍ଷେତ୍ରରେ ଅନ୍ୟ ରାଜ୍ୟଙ୍କ ପାଇଁ ଆଦର୍ଶ ସୃଷ୍ଟି କରିପାରିଛି ବୋଲି ସେମାନେ କହିଥିଲେ ।

Leave A Reply

Your email address will not be published.